/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711462409.jpg)
Holi Celebration
ପ୍ରତିବର୍ଷ ତ ହୋଲି ଆସେ, ତେବେ ଏଥରର ହୋଲି ଟିକେ ନିଆରା। କାରଣ ଏଥର ହୋଲିରେ ଲାଗିଛି ନିର୍ବାଚନୀ ରଙ୍ଗ। ରଙ୍ଗ-ଅବିର ଖେଳ ସହିତ ନିର୍ବାଚନୀ ଉଷ୍ମତା ମାପିଛନ୍ତି ରାଜନୈତିକ ନେତା। ଆଶାୟୀ ପ୍ରାର୍ଥୀ ହୋଲିକୁ ନିଜ ଶକ୍ତି ପ୍ରଦର୍ଶନର ମାଧ୍ୟମ କରିଛନ୍ତି। ସେପଟେ ରଙ୍ଗର ପର୍ବରେ ବି ବିଜେଡି ବିଦ୍ରୋହୀଙ୍କ ମେଳି ଦେଖିବାକୁ ମିଳିଛି।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି। ରଙ୍ଗ ବର୍ଷା ସାଙ୍ଗକୁ ବାଜା-ବାଣ, ମିଠା-ପିଠାରେ ଭାସିଲା ତିନି ପ୍ରମୁଖ ରାଜନୈତିକ ଦଳ-ବିଜେପି, ବିଜେଡି ଓ କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗେରୁଆ ରଙ୍ଗରେ ମିଶିଛି ହୋଲିର ରଙ୍ଗ। ସଭାପତି ମନମୋହନ ସାମଲଙ୍କ ଏକାକୀ ଲଢ଼ିବା ବୟାନ ପରେ କର୍ମୀ ପୂରା ଉତ୍ସାହିତ। ଆଉ ନେତା ବି ଆଗାମୀ ଦିନରେ ରାଜ୍ୟରେ ଗେରୁଆ ଲହର ଆସିବାର ଦୃଢୋକ୍ତି ସହ ପରସ୍ପରକୁ ରଙ୍ଗ ବୋଳି ମିଠା ଖୁଆଇ ସେଲିବ୍ରେସନରେ ବୁଡ଼ିଛନ୍ତି। ଆଉ ଏପଟେ ନିଜ ନିର୍ବାଚନ ମଣ୍ଡଳୀ ଚାନ୍ଦବାଲିରେ ଦଳୀୟ ନେତା-କର୍ମୀଙ୍କ ସହ ହୋଲି ମନାଇଛନ୍ତି ନିଜେ ସଭାପତି ମନମୋହନ।
ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଧୁମ୍ ବର୍ଷିଛି ରଙ୍ଗ। ହୋଲି ଆଳରେ ବରିଷ୍ଠ ନେତାଙ୍କଠୁ ନେଇ ଛାତ୍ର, ଯୁବ ଓ ମହିଳା ନେତା, କର୍ମୀ ଏକାଠି ହୋଇ ଦଳକୁ ପୁଣି ବିପୁଳ ଭୋଟରେ ଜିତାଇ ଆଣିବାକୁ ଶପଥ ନେଇଛନ୍ତି। ମନ୍ତ୍ରୀ ଅଶୋକ ପଣ୍ଡା ନିଜ ବାସଭବନରେ ହୋଲି ଉତ୍ସବ ଆୟୋଜନ କରି ସମର୍ଥକଙ୍କୁ ଏକଜୁଟ କରିଛନ୍ତି। କଂଗ୍ରେସ ଭବନରେ ବିଧାୟକ ସୁରେଶ ରାଉତରାୟଙ୍କ ଉପସ୍ଥିତିରେ ନେତା ଓ କର୍ମୀ ଏକାଠି ହୋଇ ହୋଲି ଖେଳିବା ସହ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି।
ଏପଟେ ହୋଲିକୁ ଶକ୍ତି ପ୍ରଦର୍ଶନର ମାଧ୍ୟମ କରି ବିଜେଡି ଟିକେଟ୍ ଆଶାୟୀ ବି ପାଳିଛନ୍ତି ସମାନ୍ତରାଳ ଉତ୍ସବ। କର୍ମୀଙ୍କୁ ନେଇ ଦମ୍ ଦେଖାଇଛନ୍ତି ଭୁବନେଶ୍ୱର ଉତ୍ତର ଆଶାୟୀ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। କହିଛନ୍ତି ନିର୍ବାଚନ ପାଇଁ ସେ ସଂପୂର୍ଣ୍ଣ ପ୍ରସ୍ତୁତ। ସେହିପରି ମଧ୍ୟ ଭୁବନେଶ୍ୱର ଆଶାୟୀ ତଥା କର୍ପୋରେଟର ଅମରେଶ ଜେନା ବି ନିଜ ସମର୍ଥକଙ୍କୁ ହୋଲିରେ ଏକାଠି କରି ଶକ୍ତି ପ୍ରଦର୍ଶନ କରିଛନ୍ତି।
ନିର୍ବାଚନକୁ କମ୍ ସମୟ। ତେଣୁ ଏଥର ହୋଲିର ନିର୍ବାଚନୀ ରଙ୍ଗ କେଉଁ ନେତା ଓ ଦଳଙ୍କୁ କିଭଳି ରଙ୍ଗରେ ରଙ୍ଗଉଛି ତାହା ଦେଖିବାର କଥା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)