ରବିବାର ରାତି ୯.୩୦ରେ ପହଞ୍ଚିବେ ନରେନ୍ଦ୍ର ମୋଦି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

Narendra Modi

ରବିବାର ଆସିବେ ପ୍ରଧାନମନ୍ତ୍ରୀ । ରବିବାର ରାତି ପ୍ରାୟ ୯.୩୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତିରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେହିଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ । ତା’ପରେ ସୋମବାର ସକାଳୁ ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ତେବେ ଓଡ଼ିଶାରେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଥିବାରୁ କେନ୍ଦ୍ରୀୟ ନେତୃତ୍ୱମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି । ଓଡ଼ିଶାରେ ବିଜେପି ସରକାର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ଦଳ । ଆଜି ସକାଳୁ ଓଡ଼ିଶାରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ତାଙ୍କର ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଯେପରିକି ଏଡିଟର୍ସ ମିଟ, ବୁଦ୍ଧିଜୀବୀ ସମ୍ମିଳନୀ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ଜୟଶଙ୍କର । ଆସନ୍ତାକାଲି ସକାଳେ କଟକ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ଅପରାହ୍ନରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ ।

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଆଜି ଓ କାଲି ଓଡ଼ିଶାରେ ରହିବେ। ସେହିଭଳି ୫ତାରିଖ ଅପରାହ୍ନରେ BJP ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ପ୍ରମୁଖ ନେତାଙ୍କ ସହ ସେ ଆଲୋଚନା କରିବେ । କଟକରେ ମଧ୍ୟ ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର।

ତେବେ ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସଭାରେ ସୋମବାର ସକାଳ ୧୦ଟାରେ ସାମିଲ ହେବେ ମୋଦି । ଏହାପରେ ନବରଙ୍ଗପୁରରେ ଜନସଭାକୁ ସମ୍ୱୋଧିତ କରିବେ। ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ସହିତ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନକୁ ବିଜେପି ଫୋକସ୍‌ କରୁଛି । ଏଠାରେ ଜିତିବା ସମ୍ଭାବନା ଥିବାରୁ ମୋଦି ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ୧୧ ତାରିଖରେ ପୁଣି ଓଡ଼ିଶାକୁ ପ୍ରଚାରରେ ଆସିବାର କାର୍ଯ୍ୟକ୍ରମ ରହିଛି ।