‘ରତ୍ନ ଭଣ୍ଡାର ଚାବି ହଜାଇ କାହା ପାପ ଘୋଡ଼ାଇବାକୁ ଚାହୁଁଛନ୍ତି ରାଜ୍ୟ ସରକାର ?’

ଚାବି କୁଆଡ଼େ ଗଲା, ଲୋକଙ୍କର ଜାଣିବା ଅଧିକାର ଅଛି । ଚାବି ଗଲା, କୁଆଡ଼େ ଗଲା, କାହା ପାଖକୁ ଗଲା ବୋଲି ମୋଦି ପଚାରିଛନ୍ତି ।

Narendra Modi on Ratnabhandar

ଏଥର ଅଧିକ ଆଗ୍ରେସିଭ୍‌ ମୁଡ୍‌ରେ ମୋଦି । ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୋରଦାର ଭାଷଣ । ମହାପ୍ରଭୁ ଜଗନ୍ନାଥ ଓ ରତ୍ନଭଣ୍ଡାର କଥା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ । ପ୍ରତ୍ୟେକ ବାକ୍ୟରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା । ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ  । ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି । ଗତ ୪୦ ବର୍ଷରୁ ଅଧିକ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ । ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି । ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ନବୀନ ସରକାର । ଚାବି କୁଆଡ଼େ ଗଲା, ଲୋକଙ୍କର ଜାଣିବା ଅଧିକାର ଅଛି । ଚାବି ଗଲା, କୁଆଡ଼େ ଗଲା, କାହା ପାଖକୁ ଗଲା ବୋଲି ମୋଦି ପଚାରିଛନ୍ତି ।

ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି । ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା ? ଡୁପ୍ଲିକେଟ ଚାବିରେ କେହି ଖୋଲୁନଥିଲା ତ ରତ୍ନ ଭଣ୍ଡାର । ରତ୍ନ ନେଉନଥିଲା ତ ଡୁପ୍ଲିକେଟ୍‌ ଚାବିରେ । ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ । ଏଥିପାଇଁ କମିଶନ ବସିଲା କିନ୍ତୁ କମିଶନ ରିପୋର୍ଟ ସାର୍ବଜନୀନ ହେଲାନି। ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ । ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ କହିଲେ ମୋଦି ।

ମୋଦି ଆହୁରି କହିଛନ୍ତି, କନ୍ଧମାଳରେ ମୋତେ ଆଜି ମିଳିଥିବା ଆଶୀର୍ବାଦ ଭୁଲିବିନି । ସାରା ଦେଶରେ କିଭଳି ପରିବର୍ତ୍ତନ ଆସୁଛି, ଏହା ତାର ଉଦାହରଣ । ଜଣେ ମା’ ଆସି ମୋର ସ୍ୱାଗତ ସଂବର୍ଦ୍ଧନା କଲେ । ମୁଁ ତାଙ୍କ ବିଷୟରେ ଜାଣିବା ପରେ ଭାବବିହ୍ୱଳ ହୋଇଗଲି । ମା’ ତୁଳା ବେହେରା ଭିକ୍ଷା ମାଗନ୍ତି । ସେହି ଭିକ୍ଷା ଟଙ୍କାରୁ ୧ ଲକ୍ଷ ଟଙ୍କା ଜଗନ୍ନାଥଙ୍କ ପାଇଁ ଦାନ କରିଛନ୍ତି । ଏହା ଦେଖିଲା ପରେ ଲାଗୁଛି ପୂରା ଓଡ଼ିଶାର ଆଶୀର୍ବାଦ ମୋ ପ୍ରତି ଅଛି । ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ମଧ୍ୟ ମୋତେ ଆଶୀର୍ବାଦ କଲେ । ୨ ମା’ ଆଜି ଆଶୀର୍ବାଦ କଲେ, କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି । 

ଭୁବନେଶ୍ୱରରେ କାଲି ଯେଉଁ ଦୃଶ୍ୟ ଥିଲା, ଅବର୍ଣ୍ଣନୀୟ-ହଜାର ହଜାର ଲୋକ ମୋତେ ଆଶୀର୍ବାଦ ଜଣାଇଲେ । ଏସବୁ ପାଇଁ ଆପଣମାନଙ୍କୁ ଯେତେ କୃତଜ୍ଞତା ଜଣାଇଲେ ବି କମ୍‌ । ମୁଁ ଓଡ଼ିଶା ଲୋକଙ୍କ ପାଖରେ ଋଣୀ । ଆପଣଙ୍କ ଏ ଋଣ ମୁଁ ଦେଶସେବା କରି ପରିଶୋଧ କରିବି । ଓଡ଼ିଶାକୁ ବିକଶିତ ରାଜ୍ୟ କରି ଏ ଋଣ ପରିଶୋଧ କରିବି ।

ଆପଣଙ୍କ ଭୋଟ୍‌ ଏଠାରେ ବିଜେପି ଡବଲ ଇଂଜିନ ସରକାର କରିବ । ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର । ସେଥିପାଇଁ ଓଡ଼ିଶାର ୨୧ ସାଂସଦଙ୍କୁ ଦିଲ୍ଲୀ ପଠାଇବାକୁ ପଡ଼ିବ । ବିଜେପି ପାଇଁ ଦେଶର ୫ ଶହ ବର୍ଷର ଅପେକ୍ଷା ପୂରା ହେଲା । ରାଜ୍ୟ ବିଜେପି ଓଡ଼ିଆ ଭାଷା, ସଂସ୍କୃତି ପ୍ରତି ସମର୍ପିତ । ଓଡ଼ିଶାରେ ଜନ୍ମିତ କୌଣସି ପୁଅ ବା ଝିଅ, ବିଜେପିର ମୁଖ୍ୟମନ୍ତ୍ରୀ ହେବ । ଆପଣଙ୍କ ନିଜର ମୁଖ୍ୟମନ୍ତ୍ରୀ ହେବ, ନିଜ ମାଟିର ହେବ ।

ଖାଲି ସେତିକି ନୁହେଁ, ମୋଦି ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସୁବିଧା ଦେବାକୁ ଚାହୁଁଛି । ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି । ୫ ବର୍ଷ ହେଲାଣି ଏ ଯୋଜନା ନେବାକୁ ରାଜ୍ୟ ସରକାରକୁ କହୁଛି । ବିଜେପି ସରକାର ଆସିବା କ୍ଷଣି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେବ । ଏଭଳି ଅସମ୍ବେଦନଶୀଳ ସରକାର ଏଠାରେ ରହିବା ଅନୁଚିତ । 

ଓଡ଼ିଶା ସରକାରଙ୍କ ଉଦାସୀନତା କାରଣରୁ ଏଠାରେ ପର୍ଯ୍ୟଟନ ଆଣ୍ଠେଇଛି । ବିଜେପି ସରକାର ଆସିଲେ ଏଠାରେ ପର୍ଯ୍ୟଟନର ବିକାଶ ହେବ । ବିଜେପି ଆସିଲେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ । ବିଜେଡି ସରକାର ହଳଦୀ ଚାଷୀଙ୍କ ଅବସ୍ଥା ବେହାଲ କରିଛି। ବିଜେପି ଆସିଲେ କନ୍ଧମାଳରେ ମସଲା ପାର୍କ କରାଯିବ ।