Advertisment

ମୋଦି ମୋଦି ନାରାରେ କମ୍ପିଲା ଜନପଥ

ଆଉ ରାତି ଠିକ୍ ୮ଟା ୪୦ ମିନିଟରେ ମେଗା ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ମାତାର ଜୟଧ୍ୱନି ଦେଇ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର। ମୋଦି ମୋଦି ନାରାରେ ପ୍ରକଂପିତ ହୋଇଥିଲା ପରିବେଶ।

author-image
Manoranjan Behera
PM Modi Road Show

PM Modi Road Show

ଜନପଥରେ ଜନସମୁଦ୍ର। ରାଜଧାନୀରେ ମୋଦି ଜୁଆର। ଜୁଆର ନୁହେଁ ତ, ସତେ ଯେମିତି ସୁନାମୀ। ନା କେହି କେବେ ଏମିତି ଦେଖିଥିଲେ, ନା କଳ୍ପନା କରିଥିଲେ। ସଞ୍ଜ ନଇଁବା ବେଳକୁ ମୋଦି ମାନିଆରେ ଉଛୁଳି ଉଠିଥିଲା କ୍ୟାପିଟାଲ ସିଟି ଭୁବନେଶ୍ୱର। ଜନପଥର ଦୁଇକଡ଼େ ଜମିଥିଲା ଜନତାଙ୍କ ଅସମ୍ଭବ ଗହଳି। ଲକ୍ଷାଧିକ ସଂଖ୍ୟାରେ ପିଲାଠୁ ବୟସ୍କ, ପୁରୁଷ ମହିଳା। ସମସ୍ତେ ଅପେକ୍ଷା କରିଥିଲେ ସେଇ ମୋଦି ମୁହୂର୍ତ୍ତକୁ।

Advertisment

ଆଉ ରାତି ଠିକ୍ ୮ଟା ୪୦ ମିନିଟରେ ମେଗା ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ମାତାର ଜୟଧ୍ୱନି ଦେଇ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର। ମୋଦି ମୋଦି ନାରାରେ ପ୍ରକଂପିତ ହୋଇଥିଲା ପରିବେଶ। ମୁହଁରେ ମୋଦି, ମୁଖାରେ ମୋଦି। କାନଭାସରୁ ହୋର୍ଡିଂ ସବୁଠି ମୋଦି ହିଁ ମୋଦି। ସୁସଜ୍ଜିତ କାରରେ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ ବିଜେପିର ଏହି ଟପ୍ ହେଭିୱେଟ୍ ଲିଡର୍। ତାଙ୍କ ମୁହଁରୁ ବି ଝଲସୁଥିଲା ଖୁସି ଓ ଉତ୍ସାହ। ସାଥିରେ ଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।

ବିଜେପି ପାର୍ଟି ଅଫିସରୁ ବାଣୀବିହାର ଛକ ଯାଏଁ। ଲୋକଙ୍କ ପାଇଁ ନିଅଣ୍ଟ ପଡ଼ିଥିଲା ପ୍ରାୟ ଅଢ଼େଇ କିଲୋମିଟର ରାସ୍ତା। ଜନପଥର ଦୁଇକଡ଼େ ପାଦ ରଖିବାକୁ ଜାଗା ନଥିଲା। କେବଳ ଭୁବନେଶୱର ନୁହେଁ, ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ଝଲକ ପାଇବା ପାଇଁ ବିଭିନ୍ନ ଜିଲ୍ଲାରୁ ଧାଇଁ ଆସିଥିଲେ ବହୁସଂଖ୍ୟକ ଲୋକ। ମୋଦିଙ୍କ ରୋଡ୍ ସୋ’ବେଳେ ସାରଥୀ ସାଜିଥିଲେ କିଛି ମହିଳା କର୍ମକର୍ତ୍ତା। ଯେଉଁମାନେ ମୋଦିଙ୍କ କାରକେଡ୍ ସହ ତାଳ ତାଳ ଦେଇ ଚାଲୁଥିଲେ। ସମ୍ବଲପୁରୀ ଶାଢ଼ୀ ପିନ୍ଧି ୧୪୦ ଜଣ ମହିଳା ସାମିଲ ହୋଇଥିଲେ ଏହି କାରକେଡରେ। ତା’ପୂର୍ବରୁ ହୁଳହୁଳି ସହ ମୋଦିଙ୍କୁ ଏମାନେ ସ୍ୱାଗତ କରିଥିଲେ।

Advertisment

କେବଳ ରାଜ୍ୟବିଜେପି ଶିବିର ନୁହେଁ, ମୋଦିଙ୍କ ପ୍ରଚାର ବେଳେ ଚରମ ସୀମାରେ ଥିଲା ଲୋକଙ୍କ ଉତ୍ସାହ। ବିଜେପି ଏଥର ଓଡ଼ିଆ ଅସ୍ମିତାକୁ ପ୍ରମୁଖ ନିର୍ବାଚନୀ ମୁଦ୍ଦା କରିଥିବା ବେଳେ, ମୋଦିଙ୍କ ରୋଡ୍ ସୋ'ରେ ବି ଦେଖିବାକୁ ମିଳିଥିଲା ଏହାର ଝଲକ। କେଉଁଠି ପାଇକଆଖଡ଼ା, ଘୋଡ଼ାନାଚ ତ ଆଉ କେଉଁଠି ଓଡ଼ିଶୀ ନୃତ୍ୟ। କେଉଁଠି ଶୁଭୁଥିଲା ଆହେ ନୀଳ ଶୈଳ ଗୀତ ତ ଆଉ କେଉଁଠି ରଙ୍ଗବତୀ ଗୀତରେ ଦୁଲୁକିଥିଲା ମଞ୍ଚ।

ଓଡ଼ିଶାର କଳା ଓ ସଂସ୍କୃତି ସହ ବିଭିନ୍ନ ସ୍ଥାନରେ ଶୋଭା ପାଇଥିଲା ମୋଦି ସରକାରଙ୍କ ୧୦ ବର୍ଷ ସଫଳତାର ଗାଥା। ରୋଡ୍ ସୋ ବେଳେ ଜଣେ ଯୁବକଙ୍କ ହାତରେ ସୁନ୍ଦର ପେଣ୍ଟିଂ ଦେଖି, ନିଜ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହାକୁ ଗ୍ରହଣ କରିଥିଲେ ମୋଦି। ସେଥିରେ ଶ୍ରୀଜଗନ୍ନାଥଙ୍କ ସୁନାବେଶ ସହ ମୋଦିଙ୍କ ଆଳତିକୁ ଆଙ୍କିଥିଲେ ଏକ ଯୁବ ଚିତ୍ରକର। ରୋଡ୍ ସୋ ଶେଷରେ ବାଣୀବିହାର ଛକରେ ଗାଡ଼ିରୁ ଓହ୍ଲାଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ମୋଦି। ଏହାପରେ ଅନ୍ୟ ଏକ ଗାଡ଼ିରେ ରାଜଭବନକୁ ଯାଇଥିଲେ ରାତ୍ରିଯାପନ ପାଇଁ।

PM Modi BJP Odisha Politics General Elections 2024
Advertisment
Advertisment