ଲଢ଼େଇ ହେବ ଜୋରଦାର୍...ବିଜେପିରେ ଅନୁଭବ, ବିଜେଡିରେ ମିଶିଲେ ବର୍ଷା

ବିଜେପିରେ ଅନୁଭବ, ବିଜେଡିରେ ବର୍ଷା । ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି ଅଭିନେତ୍ରୀ ତଥା ଅନୁଭବ ମହାନ୍ତିଙ୍କ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

Odisha Politics

ବିଜେପିରେ ଅନୁଭବ, ବିଜେଡିରେ ବର୍ଷା । ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି ଅଭିନେତ୍ରୀ ତଥା ଅନୁଭବ ମହାନ୍ତିଙ୍କ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ଗତ କିଛି ଦିନ ତଳେ ହିଁ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଅନୁଭବ । ଆଉ ଏହାପରେ ରାଜନୀତିରେ ସିଧାସଳଖ ଏଣ୍ଟ୍ରି ମାରିଛନ୍ତି ତାଙ୍କ ପୂର୍ବତନ ପତ୍ନୀ ବର୍ଷା ।

ଅନୁଭବ ଥରେ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଥରେ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଛନ୍ତି । ଗତ କିଛିଦିନ ତଳେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଭବ ପଦ୍ମ ଶିବିରରେ ସାମିଲ ହୋଇଥିଲେ । କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ । ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ମଧ୍ୟ ଦେଖିବାକୁ ମିଳୁନଥିଲା ।

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡ଼ା ମୈଦାନକୁ ଓହ୍ଲାଇବେ ମୋଦି ଓ ଅମିତ ଶାହ: ବୈଜୟନ୍ତ

ବିଭିନ୍ନ ସମୟରେ ନିଜ ମନ୍ତବ୍ୟ ପାଇଁ ବିବାଦରେ ରହି ଆସିଥିଲେ । ନିଜ ପାରିବାରିକ କଳହକୁ ନେଇ ବି ବିବାଦରେ ଥିଲେ । ସେହିପରି ଗତ କିଛିଦିନ ତଳେ ମନୋମାଳିନ୍ୟ ପାଇଁ ଅନୁଭବ ଓ ବର୍ଷା ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ୨୦୧୪, ଫେବୃୟାରୀ ୮ । ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେଲିବ୍ରିଟି କପଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ।

କିନ୍ତୁ, ବିବାହର କେଇଟା ବର୍ଷ ଭିତରେ ଉଭୟଙ୍କ ମଧ୍ୟରେ ଉପୁଜିଥିଲା ବିବାଦ । ୨୦୨୦ରେ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ବର୍ଷାଙ୍କ ଆବେଦନ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରାଯାଇଥିଲା ।

କିନ୍ତୁ ଅନୁଭବ କରିଥିବା ବିବାହ ବିଚ୍ଛେଦ ଆବେଦନ ଏବଂ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ । ଯାହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ । ଆଉ ଅନୁଭବଙ୍କ ଆବେଦନ ସପକ୍ଷରେ ଗତ ଡିସେମ୍ବର ୨୧ରେ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ରାୟ ଶୁଣାଇଥିଲେ ।