‘ନବୀନଙ୍କୁ ବିଶ୍ରାମ ଦେବାକୁ ଲୋକେ ଚାହୁଁଛନ୍ତି, ଏଥର ଓଡ଼ିଶାରେ ୨୧ରୁ ୨୧ ଜିତିବୁ’

ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ । ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଲୋକ ମନସ୍ଥ କରିସାରିଛନ୍ତି ।

JP Nadda

ଓଡ଼ିଶାରେ ମାରାଥନ୍‌ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା । ପ୍ରଥମେ ମୟୂରଭଞ୍ଜ ଜିଲ୍ଲା କରିଞ୍ଜିଆରେ ଅୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ନଡ୍ଡା । ଏହାପରେ ଧାମନଗର ଓ ବଡ଼ଚଣାରେ ବିଶାଳ ଜନ ସମାବେଶରେ ଯୋଗ ଦେଇଛନ୍ତି ନଡ୍ଡା ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ଜେପି ନଡ୍ଡା । ସେ କହିଛନ୍ତି, ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ । ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଲୋକ ମନସ୍ଥ କରିସାରିଛନ୍ତି । ରାଜ୍ୟରେ ବିଜେପି ସରକାର ପାଇଁ ଲୋକ ମନସ୍ଥ କରିଛନ୍ତି । ବିକାଶବାଦର ରାଜନୀତିକୁ ମୋଦି ଆଗକୁ ବଢ଼ାଇଛନ୍ତି । ବିଜେଡି ସରକାର ଗରିବ, ଆଦିବାସୀଙ୍କୁ ବହୁତ କଷ୍ଟ ଦେଇଛନ୍ତି । ଆଦିବାସୀ ଯୁବକ ଦୁଇ ଓଳି ଖାଇବାକୁ ବାହାରକୁ ପଳାଉଛନ୍ତି ବୋଲି କହିଛନ୍ତି ନଡ୍ଡା।

ଅଧିକ ପଢ଼ନ୍ତୁ: ‘ବିଜେଡି ତ ସରକାର କରିପାରିବନି, ଏମାନଙ୍କୁ କାହିଁକି ଜିତାଇବା’

ସେହିପରି ସେ ଆହୁରି କହିଛନ୍ତି ଯେ, ଏଣିକି ବିଜୁଳି ବିଲ୍‌ ଶୂନ ହୋଇଯିବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ବନ୍ଦନ ଯୋଜନାରେ ବିଜୁଳି ବିଲ୍‌ ଶୂନ ହେବ । ରାଜ୍ୟ ସରକାରଙ୍କ ଉପରେ ବର୍ଷି ନଡ୍ଡା କହିଛନ୍ତି, ‘ଓଡ଼ିଶା ପ୍ରଶାସନକୁ ଚଳାଇବାକୁ କ’ଣ ଓଡ଼ିଶା ଲୋକ ନାହାନ୍ତି। ଓଡ଼ିଶା ପ୍ରଶାସନକୁ ଆଉଟସୋର୍ସ କରିଦିଆଯାଇଛି। ବିଜେପି ସରକାର ଆସିଲେ ଓଡ଼ିଶାର ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । ଓଡ଼ିଶାରେ ଏଭଳି ବ୍ୟବସ୍ଥାକୁ ବରଦାସ୍ତ କରନ୍ତୁନି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଅନ୍ୟପକ୍ଷରେ କରଞ୍ଜିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଧାମନଗର ସଭାରେ ନିଜର ଅଭିଭାଷଣ ରଖିଥିଲେ ଜେପି ନଡ୍ଡା । ଧାମନଗରରେ ମଧ୍ୟ ବିଜେଡିକୁ ଟାର୍ଗେଟ କରିଛନ୍ତି ନଡ୍ଡା । ଓଡ଼ିଶାର ୨୧ ଲୋକସଭାରେ ବିଜେପିକୁ ଜିତାଇବାକୁ ଲୋକ ମନସ୍ଥ କରିସାରିଲେଣି ବୋଲି ଧାମନଗରରେ ମଧ୍ୟ ଦୋହରାଇଥିଲେ ନଡ୍ଡା । ସେହିପରି ଓଡ଼ିଶାବାସୀ ନବୀନଙ୍କୁ ଆରାମ, ବିଜେପିକୁ କାମ ଦେବାକୁ ମନସ୍ଥ କରିଛନ୍ତି । ବିଜେଡିକୁ ଛୁଟି ଦେବାକୁ ଓଡ଼ିଶାବାସୀ ସଂକଳ୍ପ କରିଛନ୍ତି । ବିରୋଧୀ ତୁଷ୍ଟୀକରଣର ରାଜନୀତି କରୁଛନ୍ତି । ମୋଦି ସବ୍‌କା ସାଥ୍‌, ସବ୍‌କା ବିକାଶରେ ସମସ୍ତଙ୍କୁ ସନ୍ତୁଷ୍ଟ କରୁଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।

ସେପଟେ ଆଜି ଓଡ଼ିଶାରେ ପ୍ରଚାର କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଥମେ ଚିଲିକା ପରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଯୋଗୀ । ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଭୁରି ପ୍ରଶଂସା କଲେ ଯୋଗୀ । ବୈଜୟନ୍ତଙ୍କ ଭଳି ନେତା ପାଇ କେନ୍ଦ୍ରାପଡ଼ାବାସୀ ସୌଭାଗ୍ୟବାନ ବୋଲି କହିଲେ । ବୈଜୟନ୍ତ ଉତ୍ତର ପ୍ରଦେଶରେ ବଡ଼ ଦାୟିତ୍ୱ ନେଇଥିଲେ । କିନ୍ତୁ ତାଙ୍କୁ ଓଡ଼ିଶାର ଆବଶ୍ୟକତା ଥିବା କହି ପ୍ରଧାନମନ୍ତ୍ରୀ ପଠାଇଲେ । ଓଡ଼ିଶାର ବିକାଶ, ଅସ୍ମିତା ଆଗକୁ ନେବାକୁ ବୈଜୟନ୍ତ ପଣ୍ଡା ଅଛନ୍ତି । ବୈଜୟନ୍ତଙ୍କୁ ବିଜୟୀ କରି ମୋଦିଙ୍କ ୪୦୦ ପାର୍‌କୁ ସଫଳ କରନ୍ତୁ ବୋଲି କେନ୍ଦ୍ରାପଡ଼ାରେ ଆହ୍ୱାନ ଦେଇଛନ୍ତି ଯୋଗୀ ।

ଅଧିକ ପଢ଼ନ୍ତୁ: Video: ନବୀନଙ୍କ ରୋଡ୍ ସୋ’ ଦେଖିବାକୁ ଆସୁନାହାନ୍ତି ଲୋକ

ପ୍ରଥମେ ସଭାରେ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ବକ୍ତବ୍ୟ ଆରମ୍ଭ କଲେ । କହିଲେ କେନ୍ଦ୍ରାପଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇବାକୁ ୟୁପିରୁ ଆସିଛି । ୟୁପି ମଡେଲ ବୁଲ୍‌ଡୋଜର ମୁଁ ଆସିବା ପୂର୍ବରୁ ଏଠି ପହଞ୍ଚି ଗଲିଣି ବୋଲି କହିଛନ୍ତି । ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବାବୁରାଜ ଚାଲିଲେ ଅବ୍ୟବସ୍ଥା ବଢ଼ିବ। ଗରିବଙ୍କ ଶୋଷଣ, ମାଫିଆରାଜ ଚାଲିଥାଏ ବୋଲି କହିଛନ୍ତି ଯୋଗୀ । ୨୫ ବର୍ଷ ହେଲାଣି ବାବୁରାଜ ଓଡ଼ିଶା ଶାସନକୁ ନିଜ କବ୍‌ଜାକୁ ନେଇଯାଇଛି । ଓଡ଼ିଶାର ବିକାଶକୁ ୫୦ ବର୍ଷ ପଛକୁ ନେଇଯାଇଛି ବାବୁରାଜ । ସୁଶାସନ ଆଧାରଶୀଳାକୁ ସୁଦୃଢ଼ କରିବାକୁ ଡବଲ ଇଂଜିନ ସରକାର ଆଣନ୍ତୁ ବୋଲି ଯୋଗୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

ପାକିସ୍ତାନ ଉପରେ ମନ୍ତବ୍ୟ ଦେବାକୁ ଯାଇ କହିଛନ୍ତି, ମୋଦିଙ୍କ ଶାସନରେ ସୀମା ସୁରକ୍ଷିତ; ଆତଙ୍କବାଦ ସମାପ୍ତ ହୋଇଛି । ପାକିସ୍ତାନ ଜାଣିଛି, ଏ ନୂଆ ଭାରତରେ ବଦମାସୀ ଚଳିବନି । କେହି ବଦମାସୀ କଲେ କାହାକୁ ଛଡ଼ାଯିବନି । ସମସ୍ତଙ୍କୁ ପକ୍କା ଘର, ପ୍ରତି ଘରକୁ ନଳରେ ଜଳ ଦେବେ ମୋଦି । ନବୀନ ବାବୁ ଏ ବୟସରେ କଣ କରୁଛନ୍ତି କିଛି ବୁଝାପଡୁନି ବୋଲି କହିଛନ୍ତି ଯୋଗୀ । ଓଡ଼ିଶାର ଅସ୍ମିତା ସହ ଖେଳ ଚାଲିଛି । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀକୁ ସୁରକ୍ଷା ଦିଆଯାଉଛି ବୋଲି କହିଛନ୍ତି । ବାବୁ ରାଜ ଏଠି ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ମାଫିଆଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଏଠିକା ବିଜୁଳି ଓଡ଼ିଶା ଲୋକଙ୍କୁ ମହଙ୍ଗା, ବାହାର ରାଜ୍ୟକୁ ଶସ୍ତା ଦିଆଯାଉଛି । ବାବୁ ରାଜ୍‌ ଚକ୍କରରେ ପଡ଼ି ଯାଇଛନ୍ତି ନବୀନ ବାବୁ ବୋଲି କହିଛନ୍ତି ଯୋଗୀ ।