ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ବୁଥ୍ ରେ ପ୍ରସ୍ତୁତ ଇଭିଏମ୍; ବାଜିରେ ହେଭିୱେଟଙ୍କ ଭାଗ୍ୟ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ । ଆସନ୍ତାକାଲି ସକାଳ ୭ରୁ ପଡିବ ଭୋଟ୍ । ସ୍ୱଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି କରାଯାଇଛି ।

Odisha Election

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ । ଆସନ୍ତାକାଲି ସକାଳ ୭ରୁ ପଡିବ ଭୋଟ୍ । ସ୍ୱଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି କରାଯାଇଛି । ସେହିପରି ୱେବ୍ କାଷ୍ଟିଂ ଜରିଆରେ ସମ୍ବେଦନଶୀଳ ବୁଥଗୁଡ଼ିକ ଉପରେ ରହିଛି ନିର୍ବାଚନ କମିଶନଙ୍କ ନଜର । ଏହି ପର୍ଯ୍ୟାୟରେ ଅଧିକାଂଶ ହାଇପ୍ରୋଫାଇଲ୍ ଲଢେଇ ଦେଖିବାକୁ ମିଳିବ ।

ରାତି ପାହିଲେ ନିର୍ବାଚନ । ୬୪ ସାଂସଦ ପ୍ରାର୍ଥୀ ଓ ୩୮୩ ବିଧାୟକ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ଏହାରି ଭିତରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ୧୦ ହଜାର ୫୫୧ଟି ବୁଥ୍ ଥିବା ବେଳେ ୨୦ ପ୍ରତିଶତ ବୁଥ ସମ୍ବେଦନଶୀଳ । ନିର୍ବାଚନ ହେବାକୁ ଥିବା ୧୨ ପୋଲିସ୍ ଜିଲ୍ଲାରେ ୩୫ ହଜାର ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

୧୨୧ କଂପାନୀ ଅର୍ଦ୍ଧ ସାମରିକ ବାହିନୀ , ୧୦୬ ପ୍ଲାଟୁନ ଓଡିଶା ଆର୍ମଡ୍ ପୋଲିସ ରହିବେ । ସମ୍ବଲପୁର, କେନ୍ଦୁଝର, ଖୋର୍ଦ୍ଧା ଓ କଟକ ପାଇଁ ୪ ଜଣ ଆଇପିଏସ ଦାୟିତ୍ୱ ରହିବେ । ବୁଥ୍ ତଦାରଖ ପାଇଁ ୭୬୩ଟି ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଅତିରିକ୍ତ ଏସ୍ ପି ଦାୟିତ୍ୱରେ ରହିବେ ।

ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୩୩୧ଟି ଫ୍ଲାଇଂ ସ୍କ୍ୱାର୍ଡ ସଜାଗ ରହିଛି । ଏହା ବ୍ୟତୀତ ୩୪୩ଟି ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ପରିଭ୍ରମଣ କରୁଛି । ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପୋଲିସ ଡିଜି ।

ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ହେବ ମତଦାନ । ମୋଟ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ୍ ଦେବେ। ତେବେ ଏହି ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ଭୁବନେଶ୍ୱର, କଟକ, ପୁରୀ ଓ ସମ୍ବଲପୁରରେ ହାଇଭୋଲଟେଜ୍ ଲଢେଇ ଦେଖିବାକୁ ମିଳିବ ।

ଭୁବନେଶ୍ୱରରେ ବିଜେପିର ଅପରାଜିତାଙ୍କ ସହ ଲଢେଇ ହେଉଛି ବିଜେଡି ପ୍ରାର୍ଥୀ ତଥା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କର । ସେହିପରି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଲଢେଇ ହେଉଛି । ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ୍କ ସାମ୍ନାସାମ୍ନି ହେଉଛନ୍ତି ।

ଆଉ କଟକରେ ବିଜେପି ପ୍ରାର୍ଥୀ ତଥା ୬ ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଟକ୍କର ଦେବେ ବିଜେଡିର ସନ୍ତୃପ୍ତ ମିଶ୍ର । ସେହିପରି ବିଧାନସଭା ଲଢ଼େଇରେ ଜୟନାରାୟଣ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଶାନ୍ତ ଜଗଦ୍ଦେବ, ବଦ୍ରି ପାତ୍ର, ସୌମ୍ୟରଂଜନ ପଟ୍ଟନାୟକ, ଜୟଦେବ ଜେନା, ସୋଫିଆ ଫିର୍ ଦୌସ୍ ଓ ଉପାସନା ମହାପାତ୍ରଙ୍କ ଉପରେ ନଜର ରହିବ ।