BJP
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବିଜେପିର ମହା ମିଶ୍ରଣରେ ଶକ୍ତି ପ୍ରଦର୍ଶନ । ବିଜେଡି ଛାଡ଼ି ପଦ୍ମ ଧରିଲେ ୮ ହଜାରରୁ ଅଧିକ କର୍ମୀ । ବିଜେଡି ଗଡ଼ରେ ଶକ୍ତି ବୃଦ୍ଧି କରୁଛି ବିଜେପି । ଖଲ୍ଲିକୋଟ କଞ୍ଚଣା ପଂଚାୟତର ସମିତିସଭ୍ୟ ଚିତ୍ରସେନ ଘୋଷଙ୍କ ଆହ୍ୱାନରେ ପ୍ରାୟ ୮ ହଜାର କର୍ମୀଙ୍କ ସହ ଅନେକ ପଂଚାୟତର ସରପଞ୍ଚ ବିଜେଡି ଛାଡ଼ି ବିଜେପିରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ।
ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ଆସିକା ଲୋକସଭା ପ୍ରାର୍ଥୀନୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଓ ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ । ଖଲ୍ଲିକୋଟର ଅଞ୍ଚଳର ପାଞ୍ଚଟି ପଞ୍ଚାୟତର ସରପଞ୍ଚଙ୍କ ସମେତ ବିଜେଡିର ବହୁ ନେତା ଓ ଶହ ଶହ ମହିଳା ପୁରୁଷମାନେ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ାରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ସାମିଲ ହେଲେ ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମହାକାଳପଡା ନିର୍ବାଚନ ମଣ୍ଡଳୀର ଅଙ୍ଗୁଲାଇ ବଜାରରେ ପହଁଞ୍ଚିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ବିପୁଳ ସ୍ୱାଗତ କରିଥିଲେ ବିଜେପି କର୍ମୀ । ପରେ ଅଙ୍ଗୁଲାଇ ମଣ୍ଡପରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସେ ଯୋଗଦେଇଥିଲେ। ସେଠାରେ ଉପସ୍ଥିତ ଥିଲେ ୨୫ ନମ୍ବର ଜୋନର କାର୍ଯ୍ୟକର୍ତ୍ତା ।
ଚଳିତ ନିର୍ବାଚନରେ କିଭଳି ବୁଥସ୍ତରରେ ଦଳ ସଂଗଠିତ ହେବ, ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୁଥସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବୈଜୟନ୍ତ ପଣ୍ଡା । କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ପ୍ରାର୍ଥୀଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BJP_1713872652.jpg)