Advertisment

ବାରବାଟୀ-କଟକରୁ ଲଢ଼ିବେ କି ମୋକିମଙ୍କ ଝିଅ ? ସୋଫିଆଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ

ବାପାଙ୍କ ଜାଗାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି ଝିଅ । ସୋଫିଆଙ୍କ କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ଆରମ୍ଭ ହେଲାଣି କସରତ ।

ଅଦ୍ୟତନ ହୋଇଛି
Sofia Firdous

Sofia Firdous

Advertisment

ସୋଫିଆ ଫିର୍ଦ୍ଦୋସ... ବାରାବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ । ରିଅଲ ଇଷ୍ଟେଟ୍ ବ୍ୟବସାୟ ସମ୍ଭାଳୁଥିବା ସୋଫିଆଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା । ବାରବାଟୀ-କଟକରୁ ନିର୍ବାଚନ ଲଢ଼ିପାରନ୍ତି ସୋଫିଆ । ବାପାଙ୍କ ଜାଗାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି ଝିଅ । ସୋଫିଆଙ୍କ କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ଆରମ୍ଭ ହେଲାଣି କସରତ ।

Advertisment

ଏନେଇ ଆଜି ମହମ୍ମଦ ମୋକିମଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା ଏକ ବୈଠକ । ମଞ୍ଚରେ ନିଜେ ମୋକିମ; ସାମ୍ନାରେ କଟକ ନଗର କଂଗ୍ରେସ କମିଟିର ବହୁ ସଦସ୍ୟ, କର୍ପୋରେଟର ଓ ଅନ୍ୟ କର୍ମକର୍ତ୍ତା ତଥା ସମର୍ଥକ ଉପସ୍ଥିତ ଥିଲେ । ଆଇନ ଜାଲରେ ଛନ୍ଦି ହୋଇଥିବା ମୋକିମଙ୍କ ରାଜନୈତିକ ଭବିଷ୍ୟତ ଏବେ ଅନିଶ୍ଚିତତା ଘେରରେ ଥିବା ବେଳେ, ତାଙ୍କ ଜାଗାରେ ସୋଫିଆଙ୍କ ପ୍ରାର୍ଥିତ୍ୱକୁ ନେଇ ବୈଠକରେ ପ୍ରସ୍ତାବ ଦେଇଛନ୍ତି ଦଳୀୟ କର୍ମୀ ଓ ବୁଦ୍ଧିଜୀବୀ । କଂଗ୍ରେସ ଏଯାଏଁ ବାରବାଟୀ-କଟକ ଟିକେଟ୍ ଘୋଷଣା କରି ନ ଥିବା ବେଳେ, ସୋଫିଆଙ୍କୁ ଟିକେଟ୍ ମିଳୁ ବୋଲି ଦାବି ଉଠିଛି। ଏନେଇ ମୋକିମ କିଛି ସ୍ପଷ୍ଟ କରି ନ ଥିଲେ ବି, ସେ ସୋଫିଆଙ୍କ ସହ ଆଲୋଚନା କରିବେ ଏବଂ ଦଳୀୟ କର୍ମୀଙ୍କ ପ୍ରସ୍ତାବକୁ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇବେ ବୋଲି କହିଛନ୍ତି।

ଉଚ୍ଚଶିକ୍ଷିତା ତଥା ପୂର୍ବରୁ ବାପାଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିବା ସୋଫିଆ ଫିର୍ଦ୍ଦୋସ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେଲେ, ବାରବାଟୀ-କଟକରେ ବିଜେଡିର ପ୍ରକାଶ ବେହେରାଙ୍କ ସହ ଫାଇଟ୍ ହେବ । ସେଠାରେ ବିଜେପି ବି ଏଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।

Advertisment

ପ୍ରଥମ ଥର ୨୦୧୪ରେ ବିଧାନସଭା ନିର୍ବାଚନ ଲଢ଼ି ପରାଜିତ ହେବା ପରେ, ୨୦୧୯ରେ ବାରବାଟୀ-କଟକ ବିଧାୟକ ବନିଥିଲେ କଂଗ୍ରେସ ନେତା ମହମ୍ମଦ ମୋକିମ । ତେବେ ତାଙ୍କ ପାଇଁ ଏବେ ଅଡ଼ୁଆ ସାଜିଛି- ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ବା ORHDC ଦୁର୍ନୀତି ମାମଲା । ୨୦୨୨ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ, ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜରିମାନା କରିଥିଲେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ହାଇକୋର୍ଟ ମଧ୍ୟ ଏହି ଦଣ୍ଡାଦେଶକୁ କାଏମ ରଖିବା ପରେ, ମୋକିମଙ୍କ ପଲିଟିକାଲ୍ କ୍ୟାରିୟର ସଂକଟ ଘେରକୁ ଚାଲିଯାଇଛି ।

ସୁପ୍ରିମକୋର୍ଟ ମୋକିମଙ୍କୁ ଜାମିନ ଦେବା ସହ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ହେଲେ ତଳ କୋର୍ଟଙ୍କ ଦଣ୍ଡାଦେଶକୁ ସର୍ବୋଚ୍ଚ ଅଦାଲକ ସ୍ଥଗିତ କରିନଥିବାରୁ, ମୋକିମ ଏବେ ନିର୍ବାଚନ ଲଢ଼ିପାରିବେ ନାହିଁ। ଏଭଳି କ୍ଷେତ୍ରରେ ତାଙ୍କର ସେକେଣ୍ଡ ଜେନେରେସନଙ୍କୁ କଂଗ୍ରେସ ପ୍ରାର୍ଥୀ କରୁଛି କି ନାହିଁ, ସୋଫିଆ, ବାପାଙ୍କ ଭୋଟବ୍ୟାଙ୍କକୁ ନିଜ ଆଡ଼କୁ କେତେ ଆକର୍ଷିତ କରିପାରୁଛନ୍ତି ଏବଂ ଟିକେଟ ମିଳିଲେ ସୋଫିଆ ନିଜ ଅଭିଜ୍ଞ ପ୍ରତିଦ୍ୱନ୍ଦ୍ୱୀଙ୍କୁ କିପରି ସାମ୍ନା କରୁଛନ୍ତି, ଏବେ ଏସବୁ ଉପରେ ନଜର ରହିଛି ।

Advertisment
Congress Mohammed Moquim General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ