କଂଗ୍ରେସ ଶିବିରରେ ଏବେବି ସସପେନ୍ସ, ଏପ୍ରିଲ ପହିଲାରେ ପ୍ରଥମ ପ୍ରାର୍ଥୀ ତାଲିକା

ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା ବୋଲି ଜଣାପଡ଼ିଛି । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ।

Congress

୨୪ ମହାସମର ପାଇଁ ଉଭୟ ବିଜେପି ଓ ବିଜେଡି ପର୍ଯ୍ୟାୟ କ୍ରମେ ପ୍ରାର୍ଥୀ ଘୋଷଣା କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଏଯାଏଁ ତାର ପତ୍ତା ଖୋଲିନାହିଁ । କଂଗ୍ରେସ ଶିବିରରେ ଏବେ ଏହାକୁ ନେଇ ସସପେନ୍ସ ଲାଗି ରହିଛି । ତେବେ ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା ବୋଲି ଜଣାପଡ଼ିଛି । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ।

ସେ ନିଜେ ଏଥର ନର୍ଲା ଆସନରୁ ଲଢ଼ିବେ ବୋଲି କହିଛନ୍ତି ଭକ୍ତ । ତାଙ୍କ ସୂଚନା ଅନୁସାରେ, ଗତ ନିର୍ବାଚନରେ ସ୍ୱଳ୍ପ ଭୋଟରେ ହାରିଥିବା ୬୦ଟି ସିଟରେ ଆଗୁଆ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । କର୍ମୀଙ୍କ ପାଖରେ ଥିବା ନେତାଙ୍କୁ ପ୍ରାର୍ଥୀ ଚୟନରେ ଗୁରୁତ୍ୱ ଦିଆଯାଇଛି । ତାଲିକା ଘୋଷଣା ପରେ ଗାଁ ଗାଁରେ ପ୍ରଚାର କରିବ ଦଳ ।

ମାସେ ଭିତରେ ଅନେକ କିଛି ବଦଳିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଭକ୍ତ ଦାସ । ସୂଚନା ଯୋଗ୍ୟ ଯେ, ଏବେ ସୁଦ୍ଧା ବିଜେପି ଓଡ଼ିଶାର ୧୮ଟି ଲୋକସଭା ଆସନ ଏବଂ ବିଜେଡି ୧୫ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ, କଂଗ୍ରେସ ଏଯାଏଁ ଏସଂପର୍କରେ କୌଣସି ଘୋଷଣା କରିନି ।

ସେପଟେ ବିଜେଡିର ଗତକାଲିର ପ୍ରାର୍ଥୀ ଘୋଷଣା ପରେ ରାୟଗଡ଼ା ବିଜେଡିରେ ତୁତୁ ମେମେ ଦେଖିବାକୁ ମିଳିଛି । ରାୟଗଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତରାମ ମାଝୀଙ୍କ ଝିଅଙ୍କ ନାଁ ଘୋଷଣା କରିବା ପରେ ପଦାରେ ପଡ଼ିଲା ଭାସ୍କର ଓ ସୁଧୀର ଗୋଷ୍ଠୀ କନ୍ଦଳ । ଅନ୍ୟପଟେ ପ୍ରାର୍ଥୀତ୍ୱକୁ ବିରୋଧ କରି କିଛି କାଉନସିଲର ଓ ସଂଗଠନରେ ଥିବା ଅନେକ ମହିଳା ନେତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି ।

ବିଜେଡି ପ୍ରଥମ ଥର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦ଟି ନିର୍ବାଚନ ମଣ୍ଡଳୀରୁ ତିନୋଟି ନିର୍ବାଚନ ମଣ୍ଡଳୀରେ ମହିଳା ପ୍ରାର୍ଥୀ ଘୋଷଣା କରିଛି । ପ୍ରଥମ ପାର୍ଯ୍ୟୟ ତାଲିକାରେ କିନ୍ତୁ ଜୟପୁର, ଲକ୍ଷ୍ମୀପୁର, ପଟାଙ୍ଗି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେଡି ।