Advertisment

ଗଣତନ୍ତ୍ରର ମହାପର୍ବ ପାଇଁ ସୀମାହୀନ ଉତ୍ସାହ; ମତାଧିକାର ସାବ୍ୟସ୍ତକୁ ଭୁଲିଲେନି ଶତାୟୁ

ଗଣତନ୍ତ୍ରର ଗଣପର୍ବ ପାଇଁ ସୀମାହୀନ ଉତ୍ସାହ। ବୟସର ଅପରାହ୍ଣରେ ଦୁର୍ବଳ ସ୍ୱାସ୍ଥ୍ୟକୁ ପଛ କରି ନିର୍ବାଚନର ମହାପର୍ବରେ ସାମିଲ ହୋଇଛନ୍ତି ଜଳେଶ୍ୱର ଡେମୁରିଆ ଗାଁର ୯୯ ବର୍ଷିୟା ଅଭୟାରାଣୀ ପ୍ରଧାନ। ଶାରୀରିକ ଅସୁସ୍ଥତା ସତ୍ତ୍ୱେ ହ୍ୱିଲ ଚେୟାରରେ ଆସି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଅସ୍ତରଙ୍ଗର ବର୍ଷିୟାନ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ।

author-image
Manoranjan Behera
undefined

General Election 2024

ରାଜ୍ୟରେ ସରିଲା ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ ମୟୂରଭଂଜରେ ବେଶ୍ ଉତ୍ସାହର ସହ ଭୋଟ୍ ଦେଇଛନ୍ତି ଜନତା। ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।

Advertisment

ଗଣତନ୍ତ୍ରର ଗଣପର୍ବ ପାଇଁ ସୀମାହୀନ ଉତ୍ସାହ। ବୟସର ଅପରାହ୍ଣରେ ଦୁର୍ବଳ ସ୍ୱାସ୍ଥ୍ୟକୁ ପଛ କରି ନିର୍ବାଚନର ମହାପର୍ବରେ ସାମିଲ ହୋଇଛନ୍ତି ଜଳେଶ୍ୱର ଡେମୁରିଆ ଗାଁର ୯୯ ବର୍ଷିୟା ଅଭୟାରାଣୀ ପ୍ରଧାନ। ଶାରୀରିକ ଅସୁସ୍ଥତା ସତ୍ତ୍ୱେ ହ୍ୱିଲ ଚେୟାରରେ ଆସି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଅସ୍ତରଙ୍ଗର ବର୍ଷିୟାନ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ। ମତଦାନ କରିବାକୁ ମନରେ ଅସୁମାରୀ ଇଛା, ୯୫ ବର୍ଷ ବୟସରେ ବି ତାଙ୍କୁ ଟାଣି ଆଣିଛି ଭୋଟ୍ କେନ୍ଦ୍ରକୁ। ରାଷ୍ଟ୍ର ଗଠନରେ ପ୍ରତି ନାଗରିକର ଦାୟିତ୍ୱ ଓ କର୍ତ୍ତବ୍ୟକୁ ମନେ ପକାଇବାକୁ ସଚେତନତା ବାର୍ତ୍ତା। ବାଜା ବଜାଇ ପଟୁଆରରେ ଆସି ନିଜେ ଭୋଟ୍ ଦେବା ସହ ଅନ୍ୟ ମାନଙ୍କୁ ବି ଦେଇଛନ୍ତି ମତଦାନର ଆହ୍ବାନ। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବାଇଦାପୋଷି ସ୍କୁଲରେ ମତଦାନ କରିବା ସହ ସମସ୍ତଙ୍କୁ ଭୋଟ୍ ଦେବାକୁ ଅପିଲ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁ।

ଭୋରରୁ ମନ୍ଦିର ଓ ଘରେ ପୂଜାପାଠ ସାରି ଭୋଟ୍ ଦେବାକୁ ବାହାରି ଯାଇଥିଲେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ। ବୁଥ୍ ବାହାରେ ନନାଙ୍କୁ ଦେଖିବାକୁ ମିଳିଥିଲା ସାଇକଲରେ। କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର ବି ନିଜ ନିଜ ବୁଥରେ ଦେଇଛନ୍ତି ଭୋଟ୍। ଭଦ୍ରକ ଭଣ୍ଡାରୀପୋଖରୀରେ ବିଜେପି ରାଜ୍ୟ ସଭାପତି ତଥା ଚାନ୍ଦବାଲି ପ୍ରାର୍ଥୀ ମନମୋହନ ସାମଲ ଭୋଟ ଦେଇଥିବା ବେଳେ ପତ୍ନୀଙ୍କ ସହ ଯାଇ ମତଦାନ କରିଛନ୍ତି ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବି ଭୋଟ୍ ଦେଇଛନ୍ତି। ରାଇରଙ୍ଗପୁର ମହୁଲଡିହା ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଛନ୍ତି ବିଜେପିର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀ।

Advertisment

ସକାଳୁ ସକାଳୁ ପତ୍ନୀଙ୍କ ସହ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କୁ। ଯାଜପୁର ବାହାବଳପୁରରେ ବିଜେଡିର ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଆଜି ମତଦାନ କରିଥିବା ବେଳେ ଅଭିନେତା ତଥା ବିଜେପିର କୋରେଇ ପ୍ରାର୍ଥୀ ଆକାଶ ଦାସନାୟକ ବ୍ୟାସନଗରରେ ପରିବାର ସହ ମତଦାନ କରିଛନ୍ତି।

ସେପଟେ କୁଜଙ୍ଗ ମଙ୍ଗରାଜପୁରରେ ବିଜେପିର ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୂପ୍ରସାଦ ତରାଇ, ତିର୍ତ୍ତୋଲରେ ରାଜଶ୍ରୀ ମଲ୍ଲିକ ଏବଂ ବାଲିକୁଦାରେ ଭୋଟ୍ ଦେଇଛନ୍ତି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି। ସେପଟେ କେନ୍ଦ୍ରାପଡାର ସଂସଦୀୟ କ୍ଷେତ୍ରର ବିଭିନ୍ନ ବିଧାନସଭା ପ୍ରାର୍ଥୀ ଦେଇଛନ୍ତି ଭୋଟ୍। ଜିଲ୍ଲାର ବିଭିନ୍ନ ବୁଥକୁ ଯାଇ ମତଦାନ କେମିତି ଚାଲିଛି ପରଖିଥିଲେ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।

ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ଭୋଟକେନ୍ଦ୍ରରେ ଲାଇନ୍ ଲଗାଇ ମତଦାନ କରିଛନ୍ତି ମୟୂରଭଂଜର ରାଜ ପରିବାର। ବାରିପଦାର ଏକ ବୁଥରେ ମହାରାଜା ପ୍ରବୀଣ ଭଞ୍ଜଦେଓ, ମହାରାଣୀ ରାଜଲକ୍ଷ୍ମୀ ଭଞ୍ଜଦେଓ ଏବଂ ରାଜ କୁମାରୀ ମୃଣାଳିକା ଭଞ୍ଜଦେଓ ଓ ଅକ୍ସିତା ପ୍ରମୁଖ ଭୋଟ୍ ଦେଇଛନ୍ତି। ସେପଟେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି ପଦ୍ମଶ୍ରୀ ବାବା ବଳିଆ। ଏହାରି ଭିତରେ ମତଦାନ କେନ୍ଦ୍ରକୁ ଆକର୍ଷଣୀୟ ଓ ନିଆରା ଭାବେ ସଜାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଥିଲା ପ୍ରଶାସନ। ପାନ ଚାଷର ହବ୍ କାକଟପୁରର ଏକ ପୁଲିଂ ବୁଥକୁ ଦିଆଯାଇଥିଲା ପାନ ବରଜର ରୂପ।

Odisha Politics General Election 2024
Advertisment
Advertisment