Advertisment

ବିଜେଡି ପ୍ରାର୍ଥୀ ଅଦଳବଦଳ; ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ?

ପ୍ରସନ୍ନଙ୍କୁ ପ୍ରସନ୍ନ କରିବାକୁ ନିଷ୍ପତ୍ତି ବଦଳାଇଲା କି ବିଜେଡି ? ସମ୍ବଲପୁର ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଦେଲା ରେଢାଖୋଲ। ସମ୍ବଲପୁର ଗଲେ ରୋହିତ ପୂଜାରୀ। ପଶ୍ଚିମ ଓଡିଶାରେ ଏହି ଦୁଇ ଆସନରେ ଅଦଳବଦଳ ସମୀକରଣକୁ ନେଇ ଚର୍ଚ୍ଚା।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Odisha Politics

ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସବୁଠୁ ଅଧିକ ଚର୍ଚ୍ଚା ସମ୍ବଲପୁର-ରେଢାଖୋଲ ପ୍ରାର୍ଥୀ ଅଦଳବଦଳକୁ ନେଇ। ପ୍ରସନ୍ନ ଆଉ ରୋହିତଙ୍କୁ ଅଦଳବଦଳ ପଛରେ କଣ ଏହି ଷ୍ଟ୍ରାଟେଜି। ନିମାପଡାରୁ ହେଭିୱେଟ ସମୀର ଦାସଙ୍କ ଟିକେଟ କଟିବାକୁ ନେଇ ବି ଚର୍ଚ୍ଚା। ୯ ଟିକେଟ ମଧ୍ୟରୁ ୩ ସିଟିଂ ଏମଏଲଏଙ୍କ ଟିକେଟ କଟିଥିବା ବେଳେ ଦୁଇଟି ସ୍ଥାନରେ ଟିକେଟ୍ ନେଇଛନ୍ତି ଆମଦାନୀ ନେତା।

Advertisment

ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ? ପ୍ରସନ୍ନଙ୍କୁ ପ୍ରସନ୍ନ କରିବାକୁ ନିଷ୍ପତ୍ତି ବଦଳାଇଲା କି ବିଜେଡି ? ସମ୍ବଲପୁର ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଦେଲା ରେଢାଖୋଲ। ସମ୍ବଲପୁର ଗଲେ ରୋହିତ ପୂଜାରୀ। ପଶ୍ଚିମ ଓଡିଶାରେ ଏହି ଦୁଇ ଆସନରେ ଅଦଳବଦଳ ସମୀକରଣକୁ ନେଇ ଚର୍ଚ୍ଚା। କାରଣ ରେଢାଖୋଲ ପାଇଁ ଆଶାୟୀ ରହି ସଂଗଠନ କରୁଥିବା ପ୍ରସନ୍ନଙ୍କୁ ଦଳ ସମ୍ବଲପୁର ଟିକେଟ୍ ଦେବା ପରଠୁ ସେ ଅପ୍ରସନ୍ନ ଥିବା କୁହାଯାଉଥିଲା। ଏପରିକି ଗଲା ୧୨ ତାରିଖରେ ଏନେଇ ନବୀନ ନିବାସ ଯାଇ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ ସେ ଟିକେଟ ଫେରାଉଥିବାର ବି ଚର୍ଚ୍ଚା ହେଉଥିଲା। ତେଣୁ ବାଧ୍ୟ ହୋଇ ଦଳ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଅନ୍ୟପଟେ ଏହା ପ୍ରସନ୍ନଙ୍କୁ ଖୁସ୍ କରିଥିଲେ ବି ରେଢାଖୋଲରେ ପରବର୍ତ୍ତୀ ସମୀକରଣ କଣ ହେବ ତାକୁ ନେଇ ଚର୍ଚ୍ଚା। ପ୍ରସନ୍ନଙ୍କୁ ସହଯୋଗ କରିବେ ତ ରୋହିତଙ୍କ ଗୋଷ୍ଠୀ ? କାହିଁକିନା ରେଢ଼ାଖୋଲ ପାଇଁ ପ୍ରସନ୍ନ ଆଶାୟୀ ଥିବା ଚର୍ଚ୍ଚା ବେଳେ ରୋହିତ ତାଙ୍କୁ ସିଧାସଳଖ ବ୍ୟକ୍ତିଗତ ଆକ୍ଷେପ ବି କରିଥିଲେ। ଅନ୍ୟପଟେ ସମ୍ବଲପୁର ବିଧାନସଭାରେ ଗୋଳିଆ ସ୍ଥିତିରେ ଅଛି ବିଜେଡି। କାହିଁକି ନା ଟିକେଟ ଆଶାରେ ଥିବା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ସିଦ୍ଧାର୍ଥ ଦାସଙ୍କ ଗୋଷ୍ଠୀ ଏବେ ବିଦ୍ରୋହ ମୁଦ୍ରାରେ। ତେଣୁ ଏମିତି ସ୍ଥିତିରେ ସମ୍ବଲପୁରରୁ ରୋହିତ କେମିତି ଲଢିବେ ତାକୁ ନେଇ ବି ଚର୍ଚ୍ଚା ଜୋର।

Advertisment

ଏପଟେ ପଞ୍ଚମ ପର୍ଯ୍ୟାୟରେ ଦଳ ଘୋଷଣା କରିଥିବା ୯ ଆସନରେ କଟିଛି ୩ ବିଧାୟକଙ୍କ ନାଁ। ସବୁଠୁ ଚର୍ଚ୍ଚିତ ଆସନ ନିମାପଡାରୁ ବାଦ୍ ପଡିଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ୧୧ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ବିବାଦରେ ଥିଲେ ସମୀର। କିନ୍ତୁ ବଡ ପ୍ରଶ୍ନ ହେଲା ଚଳିତ ନିର୍ବାଚନରେ ଅନେକ ବିବାଦୀୟ ନେତା ଦିବ୍ୟଶଙ୍କର ମିଶ୍ର, ଶ୍ରୀକାନ୍ତ ସାହୁ ସହ ପ୍ରତାପ ଜେନାଙ୍କ ସ୍ଥାନରେ ତାଙ୍କ ପୁଅକୁ ଟିକେଟ୍ ମିଳିଥିବା ବେଳେ ସମୀରଙ୍କ ଟିକେଟ କାହିଁକି କଟିଲା ତାକୁ ନେଇ ଚର୍ଚ୍ଚା।

ନିମାପଡ଼ାରୁ ସମୀରଙ୍କୁ କାଟି ବିଜେପିରୁ ଆମଦାନୀ ନେତା ଦିଲୀପ ନାୟକଙ୍କୁ ଟିକେଟ ଦେଇଛି ଦଳ। ଟିକେଟ୍ ମିଳିବା ପରେ ପ୍ରତିକ୍ରିୟା ରଖି ସମୀରଙ୍କ ଟିକେଟ କଟିବା କଟିବା ପଛରେ ସମାନ ବିବାଦ ଆଡକୁ ଇଙ୍ଗିତ କରିଛନ୍ତି ଦିଲୀପ। କିନ୍ତୁ ଏଯାଏଁ ଟିକେଟ କଟିବା ନେଇ ସମୀର କୌଣସି ପ୍ରତିକ୍ରିୟା ପ୍ରକାଶ କରିନିଥିବା କଣ ରହିବ ତାଙ୍କ ଆଗାମୀ ଆଭିମୁଖ୍ୟ ? ସମୀର ଦିଲୀପଙ୍କୁ ସହଯୋଗ କରିବେ ନା ବିଦ୍ରୋହୀ ହେବେ ତାକୁ ନେଇ ବି ଚର୍ଚ୍ଚା।

ଅନ୍ୟପଟେ ଦୁଇଟି ସ୍ଥାନରେ ଦଳୀୟ ନେତାଙ୍କ ପତ୍ନୀଙ୍କୁ ଚେହେରା କରିଛି ଦଳ। ଜୟପୁରରେ କଂଗ୍ରେସ ହେଭିୱେଟ ତାରା ବାହିନୀପତିଙ୍କ ବିରୋଧରେ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ଦଳ ଟିକେଟ ଦେଇଛି। ସେହିପରି ଅନୁଗୁଳରେ ରଜନୀକାନ୍ତ ସିଂଙ୍କ ପତ୍ନୀ ସଂଯୁକ୍ତା ସିଂ ନିର୍ବାଚନ ଲଢିବେ। ପଦ୍ମପୁରରୁ ବର୍ଷା ସିଂ ବରିହା ରିପିଟ୍ ହୋଇଥିବା ବେଳେ ସାନଖେମୁଣ୍ଡିରୁ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଦଳ ଟିକେଟ ଦେଇଛି। ଅନ୍ୟଦଳରୁ ଆସି ଟିକେଟ ନେଇଛନ୍ତି ଦୁଇ ପ୍ରାର୍ଥୀ। ଗତ ସପ୍ତାହରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ରାଜେନ୍ଦ୍ର ଛତ୍ରିଆଙ୍କୁ କୁଚିଣ୍ଡାରୁ ଟିକେଟ ଦେଇଛି ଦଳ। ସେହିପରି ଗତକାଲି ବିଜେପିରୁ ଆସିଥିବା ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ରାଣୀ ଅରୁନ୍ଧତୀ ଦେବୀ ପାଇଛନ୍ତି ଦେବଗଡ ଟିକେଟ।

Odisha Politics General Elections 2024
Advertisment
Advertisment