ଭାଗ ହେବ କି କଂଗ୍ରେସ ଭୋଟ୍, ୟାସିର ଆସିବା ପରେ ବିପଦରେ ମନ୍ମଥ!

ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବଦଳୁଥିବା ରାଜନୈତିକ ସମୀକରଣ କାହାକୁ ଦେବ ଫାଇଦା । ଗତଥର ମଇଦାନରେ କଂଗ୍ରେସରୁ କେହି ନଥିଲେ। ଏଥର କିନ୍ତୁ ଜଣେ ଯୁବ ଚେହେରାଙ୍କୁ ଟିକେଟ୍ ଦେଇଛି ଦଳ ।

BJD-Congress Politics

ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବଦଳୁଥିବା ରାଜନୈତିକ ସମୀକରଣ କାହାକୁ ଦେବ ଫାଇଦା । ଗତଥର ମଇଦାନରେ କଂଗ୍ରେସରୁ କେହି ନଥିଲେ। ଏଥର କିନ୍ତୁ ଜଣେ ଯୁବ ଚେହେରାଙ୍କୁ ଟିକେଟ୍ ଦେଇଛି ଦଳ । ଅନ୍ୟପଟେ ଯେଉଁଥିପାଇଁ ସୁରଙ୍କ ପୁଅ ମନ୍ମଥଙ୍କୁ ବିଜେଡି ଟିକେଟ ଦେଇଥିଲା ତାହା ବି ସେତେଟା ସଫଳ ହେଲା ପରି ଲାଗୁନି ।

କାହିଁକି ନା, ସୁରଙ୍କୁ କଂଗ୍ରେସ ବାସନ୍ଦ କରିବା ପରେ, ତାଙ୍କ ପକେଟ୍ ଭୋଟ୍ ଏବେ ମନ୍ମଥଙ୍କ ପାଖକୁ ଯିବ ନା କଂଗ୍ରେସ ଖାତାକୁ ଯିବ, ତାକୁ ନେଇ ଚର୍ଚ୍ଚା । ବିଗୁଡୁଛି ବିଜେଡିର ଭୁବନେଶ୍ୱର ଗଣିତ, ଭୁବନେଶ୍ୱର ଲୋକସଭା ସିଟରେ ବଦଳୁଥିବା ସମୀକରଣକୁ ନେଇ ଚିନ୍ତାରେ ଶଙ୍ଖ ଦଳ । ସୁରଙ୍କୁ ଦଳରୁ ବାସନ୍ଦ ଆଉ ୟାସିର ନୱାଜଙ୍କ ଏଣ୍ଟ୍ରି ବିଗାଡି ପାରେ ବିଜେଡି ଷ୍ଟ୍ରାଟେଜୀ ।

ଗତ ନିର୍ବାଚନରେ ଭୁବନେଶ୍ୱରରେ ପ୍ରାର୍ଥୀ ନଦେଇ ସିପିଆଇଏମ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା କଂଗ୍ରେସ । ଯେଉଁଥି ପାଇଁ ୧୯ରେ ଦ୍ୱିମୁଖୀ ଲଢେଇ ହେବା ସହ ପ୍ରାର୍ଥୀ ନଥିବାରୁ ସର୍ବାଧିକ କଂଗ୍ରେସ ଭୋଟ ଯାଇଥିଲା ବିଜେଡି ଖାତାକୁ । ଏଇ ଯେମିତି ଜଟଣୀରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ୬୧ ହଜାର ୩୧୯ ଖଣ୍ଡ ଭୋଟ ମିଳିଥିବା ବେଳେ ସାଂସଦ ପ୍ରାର୍ଥୀ ପାଇଥିଲେ ୭୨ ହଜାର ୮୪୮ ଖଣ୍ଡ ଭୋଟ ।

କିନ୍ତୁ ଏଥର ଯୁବ ଚେହେରା ସାଙ୍ଗକୁ ସଂଖ୍ୟା ଲଘୁ କାର୍ଡ ଖେଳି ମଇଦାନକୁ ୟାସିର ନୱାଜଙ୍କୁ ଛାଡିଛି କଂଗ୍ରେସ । ୟାସିରଙ୍କ ପାଖେ ଯୁବ ସମର୍ଥନ ରହିଥିବା ବେଳେ ଜଟଣୀ ନିର୍ବାଚନ ମଣ୍ଡଳୀରେ ସଂଖ୍ୟା ଲଘୁ ସଂପ୍ରଦାୟ ସମର୍ଥନ ବି ରହିଛି । ଅନ୍ୟପଟେ, ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଦଳରେ ସାମିଲ କରି ଟିକେଟ ଦେଇଛି ବିଜେଡି ।

ଏହା ପଛରେ ବଡ ଷ୍ଟ୍ରାଟେଜି ଥିଲା ସୁରଙ୍କ ଭୋଟବ୍ୟାଙ୍କକୁ ନିଜ ଆଡକୁ ଆଣିବା । ସେହି ଅନୁଯାୟୀ ସୁର ବି କଂଗ୍ରେସରେ ଥାଇ ଖୋଲାଖୋଲି ନିଜ ସମର୍ଥକଙ୍କୁ ବିଜେଡି ପ୍ରାର୍ଥୀ ମନ୍ମଥଙ୍କୁ ଭୋଟ ଦେବାକୁ କହି ବୁଲୁଥିଲେ । ହେଲେ ହଠାତ୍ ଏଆଇସିସିର କାର୍ଯ୍ୟାନୁଷ୍ଠାନ ସବୁ ବିଗାଡ଼ି ଦେଇଛି । ସୁର ବାସନ୍ଦ ହେବା ପରେ କୁଆଡ଼େ ଯିବେ ତାଙ୍କ ସମର୍ଥକ, ତାକୁ ନେଇ ଚର୍ଚ୍ଚା ।

ଜଟଣୀରେ ବି କଂଗ୍ରେସ ସନ୍ତୋଷ ଜେନାଙ୍କୁ ଟିକେଟ ଦେଇଛି । ଚର୍ଚ୍ଚା ହେଉଛି ସେଠି କଂଗ୍ରେସ ଭୋଟ ଡିଭାଇଡ୍ ହୋଇପାରେ । ଅନ୍ୟପଟେ ଜୟଦେବ ଏବଂ ଜଟଣୀରେ ନିର୍ବାଚନ ମଣ୍ଡଳୀରେ ପାଖାପାଖି ୩୦ ହଜାର ମୁସଲିମ ସଂପ୍ରଦାୟ ବି ରହିଛନ୍ତି । ସେହିପରି ବେଗୁନିଆରେ ବି ଜାନକୀ ବଲ୍ଲଭଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କ ଏଣ୍ଟ୍ରି ବିଗାଡି ପାରେ ବେଗୁନିଆ ଭୋଟ୍ ସମୀକରଣ ।

କୁହାଯାଉଛି, ଯଦିଓ ପୂର୍ବଥର ପ୍ରାର୍ଥୀ କଂଗ୍ରେସ ନେତା ପ୍ରଦୀପ ସାହୁ ହାତ ଛାଡ଼ି ଶଙ୍ଖ ଧରିଛନ୍ତି, ହେଲେ ଏବେ ବି ସେଠି କଂଗ୍ରେସର ପକେଟ୍ ଭୋଟ ରହିଛି । ତେଣୁ ଲୋକସଭାରେ ବି ଏଠି କଂଗ୍ରେସ ଭୋଟ୍ ରହିବା ସୁନିଶ୍ଚିତ । ଅନ୍ୟପଟେ ଯଦିଓ ଏଠି ବିଜେଡି-ବିଜେଡି ପ୍ରାର୍ଥୀ ଘୋଷଣା କରିନାହାନ୍ତି, କିନ୍ତୁ ବିଜେପି ନେତା ପ୍ରଶାନ୍ତ ଜଗଦେବଙ୍କ ପୁରୁଣା ସଙ୍ଗଠନ ରହିଛି ।

ଅନ୍ୟପଟେ ଭୁବନେଶ୍ୱରର ଦୁଇ ନିର୍ବାଚନ ମଣ୍ଡଳୀ ଏକାମ୍ର ଆଉ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଏବେ ବି ବିବାଦ ସମାଧାନ ହୋଇନି । ଦୁଇ ନିର୍ବାଚନ ମଣ୍ଡଳୀରେ ବିଦ୍ରୋହୀ ଅମରେଶ ଏବଂ ବିରଞ୍ଚି ମହାସୁପକାରଙ୍କ ଗୋଷ୍ଠୀଙ୍କୁ ମ୍ୟାନେଜ୍ କରିପାରିନି ଦଳ । ଯେଉଁଥିପାଇଁ ଅମରେଶ ଜେନାଙ୍କ ଗୋଷ୍ଠୀର ଏକାଧିକ ପୂର୍ବତନ କର୍ପୋରେଟର ବିଜେପିରେ ଯୋଗ ଦେଇସାରିଲେଣି ।

ପୂର୍ବରୁ ମହିଳା କାର୍ଡକୁ ନେଇ ଭୁବନେଶ୍ୱରରେ ବ୍ୟାକଫୁଟରେ ଅଛି ବିଜେଡି । କାହିଁକିନା, ନିର୍ବାଚନ ଯଥେଷ୍ଟ ପୂର୍ବରୁ ଏଠୁ ଶ୍ରୀମୟୀଙ୍କୁ ଦଳ ଚେହେରା କରିଆସୁଥିବା ବେଳେ ଶେଷ ସମୟରେ କିନ୍ତୁ ତାଙ୍କୁ କାଟି ମନ୍ମଥଙ୍କୁ ପ୍ରାର୍ଥୀ କରିଥିଲା । ତେଣୁ କଂଗ୍ରେସ ଯଦି ନିଜ ଭୋଟ୍ ବଜାୟ ରଖେ, ତାହେଲେ କାହାର ଭୋଟ୍ କଟୁଛି ଓ କିଏ ଫାଇଦା ନେଉଛି ତାଉପରେ ନଜର ।