• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୦୧୯ ଭଳି ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଗଡ଼ ବଜାୟ ରଖିବା ସହ ଅଧିକରୁ ଅଧିକ ବିଧାନସଭା କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି ରାଜ୍ୟ ବିଜେପି। ସେଇଥିପାଇଁ ଷ୍ଟ୍ରାଟେଜିକ୍ ପଲିଟିକାଲ ପଏଣ୍ଟ ଭାବେ ସୋନପୁରକୁ ବାଛି ସେଇଠୁ ଅମିତ୍ ଶାହାଙ୍କ ସଭାରୁ ଦଳ ଆରମ୍ଭ କରିଛି ପ୍ରଚାରର ଶ୍ରୀଗଣେଶ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପୁଣି ପଶ୍ଚିମ ଓଡ଼ିଶାରୁ ଲଢୁଥିବାବେଳେ ତାଙ୍କୁ ଚେକ୍ ଦେବା ସହ ସମ୍ବଲପୁର ଓ ବଲାଙ୍ଗିର ଆସନରେ ବିଗ୍ ଫାଇଟର ଜବାବ ଦେବାକୁ ବିଜେପିର ଏହା ବଡ଼ ରଣନୀତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ।

ପ୍ରଚାର ଶ୍ରୀଗଣେଶ ପାଇଁ କାହିଁକି ସୋନପୁରକୁ ବାଛିଲା ବିଜେପି? ସାରା ପଶ୍ଚିମ ଓଡ଼ିଶାକୁ ଶୁଭିବ କି ଶାହଙ୍କ ହୁଙ୍କାର? କୁହାଯାଉଛି ସାରା ପଶ୍ଚିମ ଓଡ଼ିଶାରେ ଏବେ ବି ବିଜେପିର ଭଲ ଲହର ରହିଛି, ତାସହ ସୋନପୁର ହେଉଛି ସେଠିକାର ଏକ ବଡ଼ ପଲିଟିକାଲ ଷ୍ଟ୍ରାଟେଜିକ୍ ପଏଣ୍ଟ। ବିଜେପି କବଜାରେ ଥିବା ବଲାଙ୍ଗିର ଲୋକସଭା କ୍ଷେତ୍ର ଅନ୍ତର୍ଗତ ସୋନପୁରକୁ ଲାଗିଛି ଆଉ ୪ ସଂସଦୀୟ କ୍ଷେତ୍ର- କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ଼ ଓ ବରଗଡ଼।

୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୩୬ ବିଧାନସଭା ଆସନରୁ ବିଜେପି ୮ଟି ସିଟ୍- ଭବାନୀପାଟଣା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ଲୋଇସିଂହା ରେଙ୍ଗାଳି, ସମ୍ବଲପୁର ଓ ଦେବଗଡ଼ରେ ବାଜିମାତ୍ କରିଥିଲା। ଅନ୍ୟ ୨୦ଟି ଆସନରେ ଦମଦାର୍ ଫାଇଟ୍ ଦେଇ ଦଳର ଯୋଦ୍ଧାମାନେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏପରିକି ରଘୁନାଥପାଲ୍ଲୀ, କଣ୍ଟାବାଞ୍ଜି, କୁଚିଣ୍ଡା ଓ କଣ୍ଟାମାଳରେ ୫ ହଜାରରୁ ବି କମ୍ ଭୋଟ୍ ବ୍ୟବଧାନରେ ହାରିଥିଲେ ଦଳୀୟ ପ୍ରାର୍ଥୀ। ତେଣୁ ଏଥର ପଶ୍ଚିମ ଓଡ଼ିଶାର ସମସ୍ତ ୫ ଲୋକସଭା ଆସନ ଓ ଅଧିକରୁ ଅଧିକ ବିଧାନସଭା ସିଟ୍ ହାତେଇବା ଲକ୍ଷ୍ୟରେ ରହିଛି ବିଜେପି।

ଯେଉଁଥିପାଇଁ ସୋନପୁରର ବିଜୟ ସଂକଳ୍ପ ସମାବେଶ ପକାଇଛି ମୂଳଦୁଆ। ଦଳର ସେକେଣ୍ଡ କମାଣ୍ଡ ଇନ୍ -ଚିଫ୍ ଅମିତ ଶାହଙ୍କ ପ୍ରଚାର ପରେ ରାଜ୍ୟ ବିଜେପି ଫୁଲ୍ ଯୋଶ୍‌ରେ ଥିବାବେଳେ ବିଜେଡି ଓ କଂଗ୍ରେସ କହିଛନ୍ତି- ନିର୍ବାଚନବେଳେ ବଡ଼ ନେତା ଆସି ପ୍ରଚାର କରିବା କିଛି ନୂଆ କଥା ନୁହେଁ।

କାହିଁକି ଏଥର ପଶ୍ଚିମ ଓଡ଼ିଶାକୁ ସବୁ ଦଳଙ୍କ ଫୋକସ୍? ତର୍ଜମାକୁ ନେଲେ ସବୁଠୁ ସମ୍ମାନଜନକ ସଂସଦୀୟ କ୍ଷେତ୍ର ସମ୍ବଲପୁରରେ ହେଉଛି ବିଗ୍ ଫାଇଟ୍। ବିଜେପି ଯୋଦ୍ଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେମିତି ବଲାଙ୍ଗିରରେ ସଂଗୀତା ସିଂଦେଓଙ୍କ ବିଜୟ ଧାରାରେ ବ୍ରେକ୍ ଦେବାକୁ କଂଗ୍ରେସରୁ ସୁରେନ୍ଦ୍ର ସିଂ ଭୋଇଙ୍କୁ ଆଣି ପ୍ରାର୍ଥୀ କରିଛି ବିଜେଡି। କଂଗ୍ରେସ ବି ଅଭିନେତା ମନୋଜ ମିଶ୍ରଙ୍କୁ କରିଛି ଭରସା। ସୁନ୍ଦରଗଡ଼ରେ ଅପରାଜେୟ ଜୁଏଲ୍ ଓରାମଙ୍କୁ ବିଜେପି ପୁଣି ମଇଦାନକୁ ଓହ୍ଲାଇଥିବାବେଳେ ବରଗଡ଼ ଓ କଳାହାଣ୍ଡିରେ ପ୍ରାର୍ଥୀ ବଦଳାଇଛି ପଦ୍ମଦଳ।

ସେପଟେ ପଶ୍ଚିମ ଓଡ଼ିଶାରେ ଶଙ୍ଖ ଦଳର ପତିଆରା ବୃଦ୍ଧି ଲକ୍ଷ୍ୟରେ ଏଥର କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରକୁ ବାଛିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଂଗ୍ରେସର ବହୁ ତୁଙ୍ଗ ନେତା ଯେମିତିକି ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ଭକ୍ତ ଦାସ ବି ସେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ବିଧାନସଭା କ୍ଷେତ୍ରରୁ ଲଢୁଛନ୍ତି। ଏସବୁ ଭିତରେ ମୋଦି ଗ୍ୟାରେଣ୍ଟି ଓ ପଦ୍ମ ଲହରରୁ ଫାଇଦା ନେଇ ୫ରୁ ୫ ଲୋକସଭା ଆସନ ବଜାୟ ରଖିବା ଲକ୍ଷ୍ୟରେ ରହିଛି ବିଜେପି।

ଦେଖିବାର କଥା ଧାନର ଅଭାବୀ ବିକ୍ରି, ମମିତା ମେହେର ହତ୍ୟା ଓ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଦେଇ ଫେଲ୍ ମାରିଥିବା ବିଜେଡି ସରକାର ବିରୋଧରେ ପଶ୍ଚିମ ଓଡ଼ିଶାରେ ଜନମତ ହାତେଇବାରେ ବିଜେପିକୁ ଶାହାଙ୍କ ସୋନପୁର ମିଶନ କେତେ ବଳ ଦେଉଛି।