ପଦ୍ମ ଧରିଲେ ସମୀର ଦାଶ, ବଦଳାଇ ଦେବେ ନିମାପଡ଼ା ସମୀକରଣ !

ବିଜେଡିକୁ ଲାଗିଲା ବଡ଼ ଝଟକା । ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଶେଷରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।

Samir Dash

ସମୀର ବଦଳାଇ ଦେବେ କି ନିମାପଡ଼ା ସମୀରକରଣ ? ବିଜେପି ଖାତାକୁ ଯିବ କି ନିମାପଡ଼ା ଆସନ ? ଅସନ୍ତୁଷ୍ଟ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଆରମ୍ଭ ହୋଇଛି ଏଭଳି ଆକଳନ । ବିଜେଡି ଟିକେଟରୁ ତିନି ତିନି ଥର ବିଧାୟକ ହୋଇଥିବା ସମୀରଙ୍କୁ କିନ୍ତୁ ଏଥର ଭରସା କରିନଥିଲା ଦଳ । ଯେଉଁଥିପାଇଁ ସମୀର ଅସନ୍ତୁଷ୍ଟ ଥିଲେ । ହଜାର ହଜାର କର୍ମୀଙ୍କ ନେଇ ବାରମ୍ବାର ଶକ୍ତି ପ୍ରଦର୍ଶନ କରି ବିଜେଡି ପ୍ରାର୍ଥୀ ଦିଲୀପ ନାୟକଙ୍କ ଟିକେଟ ବଦଳାଇବା ପାଇଁ ଚାପ ପ୍ରୟୋଗ କରିଥିଲେ ।

ମାତ୍ର ଦଳପତି ତାହା ଶୁଣିନଥିଲେ । ଯେଉଁଥିପାଇଁ ସମୀର ହଜାର ହଜାର ସମର୍ଥକଙ୍କ ସହ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିନଥିବାରୁ ସେ ଦଳ ଛାଡି ବିଜେପି ଭଳି ଜାତୀୟ ଦଳରେ ଯୋଗ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି । ଏହାସହ ନିମାପଡାରେ ବିଜେପି ଲକ୍ଷାଧିକ ଭୋଟରେ ବିଜୟୀ ହେବ ବୋଲି ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସମୀରଙ୍କ ଯୋଗଦାନ ବିଜେପିକୁ ସମୃଦ୍ଧ କରିବ ବୋଲି ବିଜେପିର ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡା କହିଥିବାବେଳେ ବିଜେଡି କହିଛି କୌଣସି ପ୍ରଭାବ ପଡିବନି ।

ସମୀରଙ୍କ ବିଜେଡିକୁ ବାଏ ବାଏ, ଶାସକ ଦଳର ପୁରୀ ଜିଲ୍ଲା ସଂଗଠନ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବଡ଼ ପ୍ରଭାବ ପକାଇପାରେ । କାରଣ ସମୀରଙ୍କ ସଂଗଠନ ବିଜେପିକୁ ସୁହାଇପାରେ । ସେପଟେ ଗତକାଲି କାକଟପୁରର ପୂର୍ବତନ ବିଧାୟକ ତଥା ବିଜେଡି ଛାଡିଥିବା ସୁରେନ୍ଦ୍ର ସେଠୀ ବିଜେପିରେ ଯୋଗ ଦେଇଛନ୍ତି । ଯାହା ଫଳରେ ବିଜେଡି ସେଠି ବ୍ୟାକ୍ ଫୁଟ୍‌ରେ ରହିଛି । ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଏ ଦୁଇ ନିର୍ବାଚନ ମଣ୍ଡଳୀରେ ବିଜେଡିର ସନ୍ତୁଳନ ବିଗିଡି ଥିବାରୁ ଦଳ ଘାଟାରେ ପଡିପାରେ । ସେହିପରି ପୁରୀ ଜିଲ୍ଲା କଥା ଦେଖିଲେ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା ଓ ବ୍ରହ୍ମଗିରିରୁ ଉମା ସାମନ୍ତରାୟ ପ୍ରାର୍ଥୀ ହେବା ପରେ ବିବାଦ ବଢିଛି । ବ୍ରହ୍ମଗିରିରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନାଙ୍କ ଦବଦବା ବଢୁଥିବା ବେଳେ ବିଜେଡି ଅସନ୍ତୋଷର ପ୍ରଭାବ ସତ୍ୟବାଦୀରେ ବି ପଡିପାରେ । ଏସବୁ ଭିତରେ ନିର୍ବାଚନ ଏକ ରୋଚକ ମୋଡରେ ପହଞ୍ଚିଛି ।

ଜଣକ ପରେ ଜଣେ ବିଧାୟକ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି । ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ ଆଠମଲ୍ଲିକ ବିଧାୟକ ରମେଶ ସାଏ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ଆଉ ଏବେ ମୋଦିଙ୍କ ପୁରୀ ରୋଡ୍ ସୋ ପୂର୍ବରୁ ସମୀର ଦାଶ ବିଜେପିରେ ଯୋଗ ଦେବା, ଶାସକ ଦଳ ଉପରେ କି ପ୍ରଭାବ ପକାଉଛି ତାକୁ ଅପେକ୍ଷା ।