କାହା ସମର୍ଥନରେ ଯିବ କେନ୍ଦୁଝର ସଦର ଜନମତ ? ମଇଦାନରେ ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ

କମ୍ପୁଛି ନିର୍ବାଚନୀ ମଇଦାନଳ, ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ଜୋରଦାର ଟକ୍କର ।

Election 2024

କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ଏଥର ସମ୍ମାନର ଲଢେଇ । କାହା ସମର୍ଥନରେ ଯିବ ଜନମତ ? କେନ୍ଦୁଝରର ଭାଗ୍ୟ ବଦାଇବାକୁ କିଏ କରିବ ସଂଘର୍ଷ ? ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋର ହେଉଛି ପ୍ରଚାର । ପ୍ରାର୍ଥୀପତ୍ର ଦାଖଲ କରିବା ସହ ଜନମତ ସଂଗ୍ରହ କରିବାକୁ ଆଗଭର ନେତା । ବିଜେପି ବିଧାୟକ ପ୍ରାର୍ଥୀ ମୋହନ ମାଝୀ ଷଷ୍ଠ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପୂର୍ବରୁ ୫ ଥର ନିର୍ବାଚନ ଲଢ଼ି ସେ ୩ ଥର ବିଜୟୀ ହୋଇଥିଲେ । ୨୦୦୦ ଓ ୨୦୦୪ରେ ମେଣ୍ଟ ସରକାରରେ ନିର୍ବାଚନ ଜିତିଥିବା ବେଳେ ୨୦୦୯, ୨୦୧୪ରେ ପରାଜିତ ହୋଇଥିଲେ । ୨୦୧୯ରେ କିନ୍ତୁ ବିଜୟୀ ହୋଇଥିଲେ ମୋହନ ମାଝୀ । ଗତ ପାଞ୍ଚବର୍ଷରେ କରିଥିବା ବିକାଶ ମୂଳକ କାମକୁ ନେଇ ସେ ଲୋକଙ୍କ ପାଖକୁ ଯିବେ । ଲୋକଙ୍କ ଭଲ ପାଇବା ଓ ଆଶିର୍ବାଦ ନିଶ୍ଚୟ ମିଳିବ ବୋଲି ସେ ଆଶା ରଖିଛନ୍ତି ।

କେନ୍ଦୁଝର ପାଇଁ ଏଥର ନୂଆ ମୁହଁ ତଥା ଜଣେ ମହିଳାଙ୍କୁ ଟିକେଟ ଦେଇଛି ବିଜେଡି । ପୌରପାଳିକାର ପୂର୍ବତନ ଅଧକ୍ଷା ତଥା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ସଦସ୍ୟା ମିନା ମାଝୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କ ସହ ବିଜେପିର କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ହେଲେ କିଛି ପୁରୁଣା ଅଭିଯୋଗ ମୀନା ମାଝିଙ୍କ ପିଛା ଛାଡୁନି । ମୁନିସିପାଲଟିର ଅଧ୍ୟକ୍ଷା ଥିବା ବେଳେ ତାଙ୍କ ବିରୋଧରେ ଆସିଥିଲା ଦୁର୍ନୀତି ଅଭିଯୋଗ । ଯାହା ତାଙ୍କୁ ଅଡୁଆରେ ପକାଇପାରେ ।

ବିଜେଡିର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକଙ୍କ ପତ୍ନୀ ପ୍ରତିଭା ମଞ୍ଜରୀ ନାଏକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ପ୍ରତିଭା ମଞ୍ଜରୀ ନାଏକ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ବିଜେପିରେ ଥାଇ ଝୁମ୍ପୁରା ବ୍ଲକ ଅଧକ୍ଷା ହୋଇଥିଲେ । ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ବିଜେଡିର ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ସ୍ୱାମୀ ବିଜେଡିର ବିଧାୟକ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ କାମ କରିଛନ୍ତି । ଯାହା ତାଙ୍କୁ ସହାୟକ ହେବ ବୋଲି ଆଶା କରିଛନ୍ତି ପ୍ରତିଭା ।

ତିନି ପ୍ରମୁଖ ଦଳକୁ ଛାଡ଼ିଦେଲେ କେନ୍ଦୁଝରର ଭାଗ୍ୟ ବଦଳାଇବାକୁ ଆଗକୁ ଆସିଛନ୍ତି ସ୍ୱାଧୀନ ପ୍ରାର୍ଥୀ । କୌଣସି ରାଜନୈତିକ ଦଳ କେନ୍ଦୁଝର ପାଇଁ ଚିନ୍ତା କରିନାହାନ୍ତି। ଲୋକଙ୍କୁ ଭୁଁଆ ବୁଲାଇଛନ୍ତି ବୋଲି ସ୍ୱାଧୀନ ପ୍ରାର୍ଥୀ କହିଛନ୍ତି। ସେପଟେ ଲୋକେ ଏଥର ବିକାଶକୁ ମୁଦ୍ଦା କରିଛନ୍ତି । ଯିଏ ଲୋକଙ୍କ ପାଇଁ କାମ କରିବ ତାକୁ ଭୋଟ ଦିଆଯିବ ବୋଲି କହିଛନ୍ତି କେନ୍ଦୁଝର ସଦର ବାସିନ୍ଦା।

ଆସନ୍ତା ୨୫ ତାରିଖରେ କେନ୍ଦୁଝରରେ ପଡିବ ଭୋଟ୍ । ହାତରେ ଆଉ କେଇଟା ଦିନ ଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର, ନିର୍ବାଚନୀ ମଇଦାନକୁ ସରଗରମ କରିଛି ।