ସରିଲା ପ୍ରଚାର, ଏବେ ଯୁଦ୍ଧକୁ ଅପେକ୍ଷା; ଦିନକ ପରେ ଭୋଟିଂ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ପ୍ରଚାର ଯୁଦ୍ଧ, ଏବେ ଭାଗ୍ୟ ନିର୍ଦ୍ଧାରଣର ପାଳି । ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଓ କନ୍ଧମାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ସୋମବାର ପଡ଼ିବ ଭୋଟ୍ ।

Odisha Election

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ପ୍ରଚାର ଯୁଦ୍ଧ, ଏବେ ଭାଗ୍ୟ ନିର୍ଦ୍ଧାରଣର ପାଳି । ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଓ କନ୍ଧମାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ସୋମବାର ପଡ଼ିବ ଭୋଟ୍ । ଶୃଙ୍ଖଳିତ ଭୋଟଗ୍ରହଣ ପାଇଁ ନିୟୋଜିତ ହୋଇଛନ୍ତି ମୋଟ୍ ୧୦୨ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବଳ । ଅଶାନ୍ତ ଗଞ୍ଜାମ ଓ ମାଓ ପ୍ରଭାବିତ କନ୍ଧମାଳ ଜିଲ୍ଲାରେ ଅଧିକ ଫୋର୍ସ ମୁତୟନ ସହ ଏହାକୁ ସ୍ୱତନ୍ତ୍ର ଫୋକସ୍ କରିଛନ୍ତି ନିର୍ବାଚନ କମିଶନ ।

୫ ଲୋକସଭା, ୩୫ ବିଧାନସଭା । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦିନକ ପରେ ହେବ ମତଦାନ । ମୋଟ୍ ୩୦୫ ଯୋଦ୍ଧାଙ୍କ ଭାଗ୍ୟର ହେବ ଫଇସଲା । ଏଥିପାଇଁ ବୁଥ୍ ମୁହାଁ ପୋଲିଂ ପାର୍ଟିଂ । ମାଓ ପ୍ରଭାବିତ କନ୍ଧମାଳ ଜିଲ୍ଲା ଫୁଲବାଣୀ । ଦୁର୍ଗମ ଅଞ୍ଚଳର ଭୋଟ କେନ୍ଦ୍ରଗୁଡ଼ିକୁ ଆଜିଠୁ ବାହାରିଯାଇଛନ୍ତି ପୋଲିଂ ଟିମ୍ ।

ପ୍ରତ୍ୟେକ ଟିମରେ ଅଛନ୍ତି ୬ ସଦସ୍ୟଙ୍କ ସହ ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀ । କନ୍ଧମାଳ ଲୋକସଭା ଏବଂ ଜିଲ୍ଲାର ଫୁଲବାଣୀ, ଜି.ଉଦୟଗିରି ଏବଂ ବାଲିଗୁଡ଼ା ବିଧାନସଭା ପାଇଁ ଆସନ୍ତା ସୋମବାର ଭୋଟଗ୍ରହଣ ପାଇଁ ଉତ୍ସାହିତ ସମସ୍ତେ । କେବଳ କନ୍ଧମାଳ ନୁହେଁ, ଆସିକା, ବଲାଙ୍ଗିର, ବରଗଡ଼ ଏବଂ ସୁନ୍ଦରଗଡ଼ ଲୋକସଭା ସମେତ ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ନିର୍ବାଚନ ପାଇଁ ବୁଥ୍ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି ।

କିଛି ସ୍ଥାନରେ ପୋଲିଂ ପାର୍ଟି ଆସନ୍ତାକାଲି ବାହାରିବେ । ମାଓପ୍ରଭାବିତ କନ୍ଧମାଳ ଓ ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡ଼ିଥିବା ଗଞ୍ଜାମ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସରେ ରଖିଛନ୍ତି ନିର୍ବାଚନ କମିଶନ୍ । ଆସିକା ଲୋକସଭା କ୍ଷେତ୍ରରେ ଆସୁଥିବା ଗଂଜାମ ଜିଲ୍ଲାର ୬୦ ପ୍ରତିଶତ ବୁଥରେ ୱେବ୍ କାଷ୍ଟିଂ ପାଇଁ ଯୋଜନା ରଖାଯାଇଛି ।

ଜିଲ୍ଲାର ୮ଟି ବିଧାନସଭାରେ ୧, ୯୩୭ଟି ବୁଥ କରାଯାଇଥିବା ବେଳେ ମୋଟ୍ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ । ସେହିପରି ୧୦/୧୨ଟି ଲେଖାଏଁ ବୁଥ ପାଇଁ ଗୋଟିଏ ମୋବାଇଲ୍ ପାର୍ଟି ବ୍ୟବସ୍ଥା ରହିବ । ଗୋଟିଏ ଲେଖାଏଁ ବିଧାନସଭା କ୍ଷେତ୍ର ପାଇଁ ଜଣେ ASP, ୨ DSP ରହିବେ ।

ସେହିପରି କନ୍ଧମାଳ ଜିଲ୍ଲା ପାଇଁ ସର୍ବାଧିକ ୨୨ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଦ୍ୱିତୀୟ ପର୍ଯ୍ୟାୟରେ ରହିଛନ୍ତି ମୋଟ୍ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର୍ । ଏଥିପାଇଁ ୯ ହଜାର ୧୬୯ଟି ମତଦାନ କେନ୍ଦ୍ର ରହିଥିବା ବେଳେ ୧ ହଜାର ୪୧ଟି ବୁଥ ମହିଳା ପୋଲିଂ କର୍ମଚାରୀ ଏବଂ ୨୫ଟି ବୁଥ PWD କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ ।

ସେହିପରି ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ରହିଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୋଟ୍ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳକୁ ନିୟୋଜିତ କରାଯିବ । ଅପେକ୍ଷା, ଆସନ୍ତା ସୋମବାରକୁ, ଯେଉଁଦିନ ୪୦ ସାଂସଦ ପ୍ରାର୍ଥୀ ଏବଂ ୨୬୫ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ ।