/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715963337.jpg)
Hema Malini
ଓଡ଼ିଶାରେ ବିଜେପି ପାଇଁ ଡ୍ରିମ୍ ଗାର୍ଲ ହେମାମାଳିନୀଙ୍କ ମାରାଥନ ପ୍ରଚାର। ଆଜି ଗୋଟିଏ ଦିନରେ ଭୁବନେଶ୍ୱର, କଟକ ଓ ପୁରୀ ଜିଲ୍ଲାର ୩ଟି ସ୍ଥାନରେ ଘନ ଘନ ସମାବେଶ ଓ ରୋଡ୍ ସୋ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ମଥୁରା ସାଂସଦ। ଏହି ଅବସରରେ ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାରର ଆହ୍ୱାନ ଦେବା ସହ ୨୫ ବର୍ଷର ବିଜେଡି ସରକାର ରାଜ୍ୟରେ ସେଭଳି ବିକାଶ କରି ନଥିବା କହି, ଏଥର ସରକାର ବଦଳିବା ଦରକାରର ନାରା ଦେଇଛନ୍ତି।
ଭୁବନେଶ୍ୱରର ସାଲିଆ ସାହି, କଟକର କିଶୋରନଗର ଏବଂ ପୁରୀର ପିପିଲି। ରାଜ୍ୟର ତିନି ଜିଲ୍ଲାର ୩ଟି ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ଡ୍ରିମ୍ ଗାର୍ଲ ହେମାମାଳିନୀ। ବିଜେପିର ବରିଷ୍ଠ ନେତ୍ରୀ ତଥା ୟୁପି ମଥୁରା ସାଂସଦ ହେମାମାଳିନୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାଲିଆ ସାହି ବସ୍ତିରେ ଆୟୋଜିତ ବିଶାଳ ଆଶିର୍ବାଦ ସମାବେଶରେ ଯୋଗ ଦେଇଥିଲେ।
ଏହି ଅବସରରେ ସେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ଲାଗି ଭୋଟ୍ ମାଗି ରାଜ୍ୟର ବଜେଡି ସରକାର ଉପରେ ଖୁବ୍ ବର୍ଷିଥିଲେ। କହିଥିଲେ, ‘ଓଡ଼ିଶାରେ ୨୫ ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର, ଏଥର ବଦଳିବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବ୍ୟାପୀ ବିକାଶ ହେଉଥିବା ବେଳେ ଓଡ଼ିଶାରେ କିନ୍ତୁ ମୋଦିଙ୍କ ଉପଲବ୍ଧି ଦେଖିବାକୁ ମିଳୁନି। ଏଥିପାଇଁ ୟୁପି ଭଳି ଓଡ଼ିଶାରେ ବି ଦରକାର ଡବଲ ଇଞ୍ଜିନ ସରକାର ଆସିବା ଦରକାର ବୋଲି ଆହ୍ୱାନ ଦେଇଛନ୍ତି ହେମାମାଳିନୀ।
ରାଜଧାନୀରେ ସମାବେଶ ସାରି ପରେ କଟକ ସଦର ନିର୍ବାଚନମଣ୍ଡଳୀର କିଶୋରନଗର ଅଞ୍ଚଳରେ ଏକ ରୋଡ୍ ସୋରେ ଯୋଗ ଦେଇଥିଲେ ହେମାମାଳିନୀ। ଏଠି ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀଙ୍କ ପାଇଁ ଭୋଟ୍ ମାଗିଥିଲେ। ସ୍ୱଳ୍ପ ସମୟର ଏ କାର୍ଯ୍ୟକ୍ରମ ପରେ ହେମାମାଳିନୀ ଯାଇଥିଲେ ପୁରୀ ଜିଲ୍ଲାର ପିପିଲି। ଏଠାରେ ଏକ ବିଶାଳ ରୋଡ ସୋରେ ସାମିଲ ହୋଇ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ପିପିଲିର ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ ହେମାମାଳିନୀ।
ତେବେ ଏଥର ନିର୍ବାଚନୀ ପ୍ରଚାରରେ ଆସିବା ପୂର୍ବରୁ ସେ ଓଡ଼ିଶାକୁ ବହୁବାର ଆସିଥିବା କଥା କହିଛନ୍ତି ହେମାମାଳିନୀ। ଏହି ଅବସରରେ ସେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କୁ ମନେ ପକାଇବା ସହ କଳା ସାଧନା ଲାଗି ତାଙ୍କ ନିକଟକୁ ଅନେକ ଥର ଆସିଥିବା କହିଥିଲେ ହେମାମାଳିନୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)