ନବୀନଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛି ବିଜେପି, ଉତ୍ତର ରଖୁନାହାନ୍ତି ମୁଖ୍ୟମନ୍ତ୍ରୀ

ବିଜେପିର ଘନଘନ ଟାର୍ଗେଟ, ହେଲେ ନବୀନ ନିରବ । ଖାଲି ରାଜନୈତିକ କାଉଣ୍ଟର କରୁଛନ୍ତି, ହେଲେ ମୁଦ୍ଦା କି ପ୍ରଶ୍ନର ଉତ୍ତର ରଖୁନାହନ୍ତି। ରତ୍ନଭଣ୍ଡାରରୁ ଚିଟଫଣ୍ଡ, ଖଣି ଦୁର୍ନୀତି ଠାରୁ ବାବୁ ରାଜ୍ ।

BJP target Naveen Patnaik

କୁଆଡ଼େ ଗଲା ରତ୍ନଭଣ୍ଡାର ଚାବି ? କାହିଁକି ଚାପିଛନ୍ତି ତଦନ୍ତ କମିଶନ୍ ରିପୋର୍ଟ ? ଭକ୍ତଙ୍କ ପାଇଁ କାହିଁକି ଖୋଲାଯାଉନି ଶ୍ରୀମନ୍ଦିର ଚାରି ଦ୍ୱାର? ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା କୁଆଡ଼େ ଗଲା ? ଖଣି ଦୁର୍ନୀତି ଅଭିଯୁକ୍ତ ଉପରେ କାହିଁକି ହୋଇନି କାର୍ଯ୍ୟାନୁଷ୍ଠାନ ? ଜିଲ୍ଲା ଖଣିଜ ପାଣ୍ଠି- DMFରେ କିଏ କରୁଛି ଘୋଟାଲା ? ଓଡ଼ିଶାବାସୀଙ୍କ ଉପରେ ନବୀନ କାହିଁକି ତାମିଲ ବାବୁଙ୍କ ଶାସନ ଥୋପିବାକୁ ଚେଷ୍ଟା କରୁଛନ୍ତି ? ପିଏମ୍ ମୋଦି ଓ ଶାହଙ୍କ ଏଭଳି ପ୍ରଶ୍ନବାଣରେ ଏବେ ଘାଇଲା ନବୀନ।

ଖାଲି ମୋଦି, ଶାହ ନୁହଁନ୍ତି, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଯିଏ ବି ଆସୁଛନ୍ତି ସମସ୍ତଙ୍କ ପାଖରେ ପ୍ରସଙ୍ଗ ସମାନ । ଆଉ ନବୀନ ସରକାରଙ୍କୁ ସମାଲୋଚନାର ସ୍ୱର ବି ସମାନ। ହେଲେ ଏସବୁ ତମାମ ପ୍ରଶ୍ନକୁ ନେଇ କିନ୍ତୁ ନିରବ ନବୀନ । ପ୍ରଶ୍ନ ଉଠୁଛି କାହିଁକି ବିଜେପି ହେଭିୱେଟଙ୍କ ପ୍ରଶ୍ନର ଉତ୍ତର ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ । ନା ନିର୍ବାଚନୀ ମଞ୍ଚରେ କିଛି କହୁଛନ୍ତି, ନା ସର୍ଟ ଭିଡିଓ କି ରିଲ୍ସରେ ବି ଉତ୍ତର ରଖୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ କ’ଣ ଏସବୁ ପ୍ରଶ୍ନର ଉତ୍ତର ନାହିଁ ? ନା ଏସବୁ ପ୍ରସଙ୍ଗରେ ବ୍ୟାକ୍ ଫୁଟରେ ଅଛି ବିଜେଡି ସରକାର ?

ଅଧିକ ପଢ଼ନ୍ତୁ: ନିର୍ବାଚନରେ ବଡ଼ ମୁଦ୍ଦା ପାନୀୟ ଜଳ ସଙ୍କଟ, ସାମ୍ନାକୁ ଆସୁଛି ବସୁଧା ଯୋଜନାର ସତ

ଏପଟେ ବିଜେପି ସରକାରକୁ ଆସିଲେ ଓଡିଶାକୁ ୧ ନମ୍ବର କରିବାକୁ ମୋଦିଙ୍କ ଗ୍ୟାରେଣ୍ଟି । ଖାଲି ସେତିକି ନୁହେଁ, ସବୁ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ଦେଉଛନ୍ତି ଟାଇମ ଲାଇନ୍ । ବିଜେପି ସରକାରକୁ ଆସିବାର ୬ ଘଣ୍ଟାରେ ଖୋଲିବ ଶ୍ରୀମନ୍ଦିର ଚାରି ଦ୍ୱାର । ଦେଢ ମାସରେ ରତ୍ନଭଣ୍ଡାର ଖୋଲି ମଣତି, ଗଣତି ହେବ। ଚାବି ହଜିବା ତଦନ୍ତ କମିଶନର ରିପୋର୍ଟ ସାର୍ବଜନୀନ ହେବ । ୧୦୦ ଦିନରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଦେଢ ବର୍ଷରେ ଚିଟପଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରାଯିବ ଜମା ଟଙ୍କା । ଜେଲ୍ ଯିବେ ଚିଟଫଣ୍ଡ ଦୁର୍ନୀତିରେ ଜଡିତ ବିଜେଡି ନେତା । ଟାଇମ୍ ଲାଇନ୍ ଦେଇ ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ନିଜେ କହିଛନ୍ତି ପ୍ରଧାନମନ୍ତ୍ରୀ।

ବିଜେଡିର ୨୫ ବର୍ଷର ଲମ୍ବା ଶାସନ ପରେ ବି ରାଜ୍ୟରେ ପୁଳା ପୁଳା ପ୍ରସଙ୍ଗ । ଆଉ ରାଜ୍ୟ ସରକାରଙ୍କ ମନ୍ଥର ଗତି କାର୍ଯ୍ୟାନୁଷ୍ଠାନକୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ବି ରହିଛି। ଏମିତି ସ୍ଥିତିରେ ଲୋକଙ୍କ ପାଖରେ ବିଜେପି ଟାଇମଲାଇନ୍ ରଖି ବିଶ୍ୱସନୀୟତା ବଢ଼ାଇବାକୁ ଭରପୁର୍ ଉଦ୍ୟମ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ‘ନିର୍ବାଚନ ପରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ’