Advertisment

ସଭାପତିଙ୍କ ଉଦ୍ୟମ ସତ୍ତ୍ୱେ ଥମୁନି ପାଣ୍ଡିଆନ୍ ବିରୋଧୀ ଝଡ଼, ଶଙ୍ଖ ଭବନରେ ଶୁଭିଲା ବିଦ୍ରୋହର ଧ୍ୱନି

୨୪ ନିର୍ବାଚନରେ କାହିଁକି କ୍ଷମତାଚ୍ୟୁତ ହେଲା ବିଜେଡି ? କାହିଁକି ଭୁଶୁଡ଼ିଲା ବିଶାଳ ଦୁର୍ଗ ? ଯଦିଓ ବିଜେଡି ସୁପ୍ରିମୋ ନବୀନ ପଚ୍ଚନାୟକ ଏହାର କାରଣ ଖୋଜୁଛନ୍ତି, ହେଲେ ଦଳର ବିପର୍ଯ୍ୟୟ ପାଇଁ ସିଧା ପାଣ୍ଡିଆନ୍ ଙ୍କୁ ଦାୟୀ କରି ଦଳରେ ଜୋର ଧରିଲାଣି ଅସନ୍ତୋଷ।

undefined

BJD workers oppose VK Pandian

Advertisment

ଗଡ଼ିଲା ବିଜେଡି, ବଢ଼ିଲା ବିଦ୍ରୋହ । ୨୪ ନିର୍ବାଚନରେ ବିଜେଡିର ଦୁର୍ଗ ପତନ ହେବେ ପରେ ସିଧା ଶଙ୍ଖ ଭବନରେ ଶୁଭିଲା ବିଦ୍ରୋହର ଧ୍ୱନି। ଶୁଭିଲା ପାଣ୍ଡିଆନ୍ ବିରୋଧୀ ନାରା । ଅସନ୍ତୋଷ ଏତେ ଚରମ ସୀମାରେ ପହଞ୍ଚିଛି ଯେ, ଗତକାଲି ବିଜେଡି ମୁଖ୍ୟାଳୟରେ ଦଳର ଯୁବ-ଛାତ୍ର କର୍ମୀମାନେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଦେଇଥିଲେ ପାଣ୍ଡିଆନ୍ ମୁର୍ଦ୍ଦାବାଦର ସ୍ଲୋଗାନ୍ । ଖାଲି ସେତିକି ନୁହେଁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ବିରୋଧରେ ବି କରିଥିଲେ ଜୋରଦାର ନାରାବାଜି ।

Advertisment

ବିଜେଡି ହାରିବାର ପ୍ରମୁଖ କାରଣ ପାଣ୍ଡିଆନ୍ ବୋଲି କହି ରାଗ ଝାଡିଥିଲେ। ତା ସହ ପାଣ୍ଡିଆନ୍ ଦିଲ୍ଲୀ ଯିବା ନେଇ ସସ୍ମିତ୍ ପାତ୍ର କାହିଁକି ପ୍ରେସମିଟ୍ କରୁଥିଲେ ବୋଲି ମଧ୍ୟ ସଂଗଠନ ସଂପାଦକଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିବାର ମିଳିଛି ପକ୍କା ସୂଚନା । କଥା ଏଇଠି ସରିନି, ଏଥର ବ୍ରହ୍ମଗିରିରୁ ଲଢ଼ି ହାରିଥିବା ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ସାମନ୍ତରାୟ ବି ଆଜି ବିଷ ଓଗାଳିଛନ୍ତି । ଚାରି ଚାରି ଥର ମନା କରିବା ସତ୍ତ୍ୱେ ତାଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟ କରି ବ୍ରହ୍ମଗିରି ଆସନରୁ ଟିକେଟ୍ ଦେଇଥିଲେ । ଯାହାର ପରିଣାମ ସ୍ୱରୂପ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା ବୋଲି କହିଛନ୍ତି ଉମା ।

ତେଣେ ଦଳ ଭିତରେ ବଢୁଥିବା ଅସନ୍ତୋଷର ସ୍ୱର ଓ କୁହୁଳୁଥିବା କ୍ଷୋଭକୁ ପ୍ରଶମିତ କରିବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ, ବରିଷ୍ଠ ନେତା ଉପଦେଷ୍ଟାଙ୍କୁ ଡାକି ଘନ ଘନ ଆଲୋଚନା କରୁଛନ୍ତି। ଏଭଳି ସ୍ଥିତିରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ତାଳିପକା ମନ୍ତବ୍ୟ ଦେଇ କହିଛନ୍ତି ଗଣତନ୍ତ୍ରରେ ହାରଜିତ୍ ଲାଗି ରହିଛି ।

Advertisment

କେବଳ ଶଙ୍ଖ ଭବନର ଚିତ୍ର ନୁହେଁ ବିଜେଡିର ଲଜ୍ଜାଜନକ ପରାଜୟ ପରଠୁ ଦଳୀୟ ନେତାଙ୍କ ଖୋଲାଖୋଲି ଅସନ୍ତୋଷ ଜାରି ରହିଛି । ଦୁଇଦିନ ତଳେ ଟିକେଟ୍ କଟିଥିବା କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଶଶୀଭୂଷଣ ବେହେରା ବି କରିଥିଲେ ନିଶାନା । କହିଥିଲେ ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନାରୁ ଦୂରେଇ ରଖିବାରୁ ଦଳକୁ ଏଭଳି ପରିଣାମ ଭୋଗିବାକୁ ପଡ଼ିଲା । ସେମିତି ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ବି କହିଥିଲେ ଏବେ ପାଣ୍ଡିଆନଙ୍କ ବିନା ନବୀନ ବାବୁ ସବୁ କାମ କରିପାରିବେ । ବିଜେଡିର ଏଭଳି ଦୁଃସ୍ଥିତି ଭିତରେ ରାଜନୈତିକ ସମୀକ୍ଷକଙ୍କ କହିବା କଥା- ବିଜେଡି ପାଇଁ ଏବେ ଘଡ଼ିସନ୍ଧି ସମୟ । ବରିଷ୍ଠ ନେତାଙ୍କୁ ନେଇ ନବୀନ ଆଗକୁ ଯିବେ ? ନା ପୁଣି ସେଇ ପାଣ୍ଡିଆନ୍ ପ୍ରଭାବ ରହିବ ? ତା ଉପରେ ନିର୍ଭର କରୁଛି ଦଳର ଭବିଷ୍ୟତ ।

ଯଦିଓ ଓଡ଼ିଶା ରାଜନୀତିରେ ବିଜେଡିର ଧରାଶାୟୀ ସ୍ଥିତିର ଡ୍ୟାମେଜ କଣ୍ଟ୍ରୋଲ୍ ପାଇଁ ନବୀନ କରୁଥିବା ଘନ ଘନ ବୈଠକକୁ ପାଣ୍ଡିଆନଙ୍କୁ ଡକାଯାଉନି । ହେଲେ ପାଣ୍ଡିଆନ୍‌ଙ୍କୁ ନେଇ ବଢୁଥିବା ଅସନ୍ତୋଷକୁ କେମିତି ପ୍ରଶମିତ କରୁଛନ୍ତି ସୁପ୍ରିମୋ, ଏବେ ତା ଉପରେ ନଜର ।

Advertisment
Naveen Patnaik BJD VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ