Advertisment

ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩ ବିଧାୟକଙ୍କ ଟିକେଟ୍ କଟିଲା

ବାଲିକୁଦା-ଏରସମାରେ ରଘୁନନ୍ଦନଙ୍କ ସ୍ଥାନରେ ସାରଦା ପ୍ରସନ୍ନଙ୍କୁ ଟିକେଟ୍ । ବିରୋଧ ସତ୍ତ୍ବେ କାକଟପୁରରେ ତୁଷାରକାନ୍ତି ବେହେରା ରିପିଟ୍ ।

undefined

Odisha Politics

Advertisment

ଘୋଷଣା ହୋଇନଥିବା ବିଜେଡିର ୧୨ରୁ ୬ସିଟ୍‌ରେ ପ୍ରାର୍ଥୀ ଘୋଷଣା ହେଲା। ପୁଣି ବାକି ରହିଲା ୬। ବିଜେଡି ତାର ସପ୍ତମ ପର୍ଯ୍ୟାୟ ତାଲିକାରେ ତିନି ସିଟିଂ ଏମ୍ଏଲ୍ଏଙ୍କ ଟିକେଟ କାଟିଥିବାବେଳେ ଦୁଇ ବିଧାୟକଙ୍କ ପତ୍ନୀଙ୍କୁ ଦେଇଛି ଟିକେଟ। କେବଳ କାକଟପୁରକୁ ଛାଡ଼ିଦେଲେ ଅନ୍ୟ ୫ ସିଟ୍‌ରେ ନୂଆ ମୁହଁକୁ ଦଳ ପ୍ରାର୍ଥୀ କରିଛି। ଆରପଟେ ବାକି ଥିବା ୬ ବିବାଦୀୟ ନିର୍ବାଚନ ମଣ୍ଡଳୀ କଣ୍ଟା ଏବେ ବିଜେଡି ତଣ୍ଟିରେ ଲାଗିଛି।

Advertisment

ବରୀ, ବାଲିକୁଦା ଆଉ ହିନ୍ଦୋଳରେ କଟିଲା ବିଧାୟକଙ୍କ ଟିକେଟ। ବଳି ପଡ଼ିଲେ ସୁନନ୍ଦା, ସୀମାରାଣୀ ଓ ରଘୁନନ୍ଦନ। ଦୁଇ ସ୍ଥାନରେ ସ୍ୱାମୀଙ୍କ ବଦଳରେ ସ୍ତ୍ରୀଙ୍କୁ ମିଳିଲା ଟିକେଟ। କେବଳ କାକଟପୁରରେ ଦଳ ପ୍ର୍ରାର୍ଥୀଙ୍କୁ ରିପିଟ୍ କରିଥିବାବେଳେ ଆଉ ସବୁଠି ନୂଆ ପ୍ରାର୍ଥୀ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

ଢେଙ୍କାନାଳ ସାଂସଦ ମହେଶ ସାହୁ ଏଥର ହିନ୍ଦୋଳ ଆସନରୁ ଲଢିବେ। ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଧର୍ମପତ୍ନୀ ରଞ୍ଜିତା ମାର୍ଣ୍ଡିଙ୍କୁ ମିଳିଛି ବାଙ୍ଗିରିପୋଷି ଟିକେଟ। ସେହିପରି ରଘୁନାଥପାଲ୍ଲୀରେ ବିଧାୟକ ସୁବ୍ରତ ତରାଇଙ୍କ ପତ୍ନି ଅର୍ଚ୍ଚନା ରେଖା ବେହେରାଙ୍କ ଉପରେ ଭରସା କରିଛି ଦଳ। ବାଲିକୁଦା-ଏରସମାରେ ରଘୁନନ୍ଦନଙ୍କ ଟିକେଟ କଟିଥିବାବେଳେ ସାରଦା ପ୍ରସନ୍ନ ଜେନା ପାଇଛନ୍ତି ଟିକେଟ। ଚର୍ଚ୍ଚା ହେଉଛି ସରକାର ବିରୋଧୀ ହାୱା ପାଇଁ ତିନି ବିଧାୟକଙ୍କ ଟିକେଟ କାଟିଛି ଦଳ।

Advertisment

କାକଟପୁରରେ କିନ୍ତୁ ପ୍ରବଳ ବିରୋଧ ଭିତରେ ପୁଣିଥରେ ଟିକେଟ ହାତେଇ ନେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ବିବାଦୀୟ ବରୀ ସିଟ୍‌ରେ ଯୁବ ଚେହେରା ବିଶ୍ୱ ମଲ୍ଲିକଙ୍କୁ ବିଜେଡି କରିଛି ପ୍ରାର୍ଥୀ।

ସପ୍ତମ ପର୍ଯ୍ୟାୟ ଟିକଟ୍ ଘୋଷଣା ସହ ବିଜେଡି ମୋଟ୍ ୧୪୭ ଆସନରୁ ୧୪୧ଟିରେ ପ୍ରାର୍ଥୀ ଘୋଷଣା କରିସାରିଛି। ଆହୁରି ୬ ସିଟ୍ ରେ ଘୋଷଣା ବାକି ଅଛି। ଖୋର୍ଦ୍ଧା,  ବେଗୁନିଆ, ଖଣ୍ଡପଡ଼ା, ଭୋଗରାଇ, ନୀଳଗିରି ଓ କୋରେଇ ଆସନ ପାଇଁ ଏଯାଏ ଅଙ୍କ ଛିଡିପାରୁନି। ଏହି ଶେଷ ଛଅଟି ନିର୍ବାଚନ ମଣ୍ଡଳୀରେ ବିବାଦ ଯେତିକି, ବିଦ୍ରୋହ ବି ସେତିକି। ଆମଦାନୀ ନେତାଙ୍କ ସହ ଏକାଧିକ ଆଶାୟୀଙ୍କୁ ଥଇଥାନ କରି ବିଦ୍ରୋହକୁ ପ୍ରଶମିତ କରିବା ଦଳ ପାଇଁ ବଡ ଚାଲେଞ୍ଜ।

Advertisment

ଖୋର୍ଦ୍ଧା, ବେଗୁନିଆ, ଭୋଗରାଇ ଓ ନୀଳଗିରିରେ ବିଜେପି ମଧ୍ୟ ଏଯାଏ ପ୍ରାର୍ଥୀ ଘୋଷଣା କରିନି। ଯାହା ଚର୍ଚ୍ଚା ହେଉଛି ବିଜେପି ଓ ବିଜେଡି ମଧ୍ୟରେ ଏସବୁ ସିଟ୍ କୁ ନେଇ ଛକାପଞ୍ଝା ଲାଗି ରହିଛି। କାଳେ ବିଦ୍ରୋହୀ ବିଜେପି ମୁହାଁ ହେବେ ସେଥିପାଇଁ ଦଳ ଏସବୁ ଆସନରେ ଟିକେଟ ଝୁଲାଇ ରଖିଛି। ବିରୋଧୀଙ୍କ ଚାଲ୍ କୁ ଛକି ବିଜେଡି ଟିକେଟ ଘୋଷଣା କରୁଛି। ତେବେ ଏ ରଣନୀତି ବିଦ୍ରୋହକୁ କେତେ ପ୍ରଶମିତ କରୁଛି ଆଉ ନିର୍ବାଚନରେ କି ପ୍ରଭାବ ପଡୁଛି ତାକୁ ଅପେକ୍ଷା। 

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ