ବିଜେଡିକୁ ଘାରିଛି କି ଶେଷ ପର୍ଯ୍ୟାୟ ଭୋଟ୍ ଶଙ୍କା ? ନିମାପଡ଼ା ଓ ଚାନ୍ଦବାଲିରେ ଡେରା ପକାଇଛନ୍ତି ମାଳ ମାଳ ନେତା

କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ । ଆଉ ଚାନ୍ଦବାଲିରେ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ।

General Election 2024

ସମୀର ଦାଶଙ୍କୁ ନେଇ ଶଙ୍କାରେ କି ବିଜେଡି ? ଚାନ୍ଦବାଲିରେ ବିଜେଡିକୁ ଭାରି ପଡ଼ୁଛନ୍ତି କି ମନମୋହନ ? ବିଜେଡିକୁ ଘାରିଛି କି ଉପକୂଳ ଭୟ ? ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ଗଣ୍ଡା ଗଣ୍ଡା ପର୍ଯ୍ୟବେକ୍ଷକ । ତିନି ପର୍ଯ୍ୟାୟରେ ସରିଥିବା ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଉପକୂଳ ଦାୟିତ୍ୱ ଦେଇଛି ଦଳ । ନିମାପଡ଼ାରେ ବିଧାୟକ ସମୀର ଦାଶଙ୍କୁ କାଉଣ୍ଟର ପାଇଁ ବିଜେଡି ନିଯୁକ୍ତ କରିଛି ୧୬ ପର୍ଯ୍ୟବେକ୍ଷକ ।

ପ୍ରଥମେ ପର୍ଯ୍ୟାୟ ନିର୍ବାଚନ ପରେ ଗଞ୍ଜାମର ଏକାଧିକ ବିଧାୟକ ସହ ୮ ନେତାଙ୍କୁ ନିମାପଡାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲା। ଆଉ ଗତକାଲି ପୁରୀ ଜିଲ୍ଲାର ୮ ନେତାଙ୍କୁ କେବଳ ନିମାପଡ଼ା ଦାୟିତ୍ୱ ଦେଇଛି ବିଜେଡି । ସତେ ଯେମିତି ସମୀର ବିଜେପିରେ ଯୋଗ ଦେବା ପରେ ବିଜେଡିର ନିଦ ହଜିଯାଇଛି । କୁହାଯାଉଛି, କେବଳ ନିମାପଡ଼ା ନୁହଁ, ଏହାକୁ ଲାଗି ଥିବା କାକଟପୁରରେ ବି ସମୀରଙ୍କ ଦବଦବା ରହିଛି। ସବୁଠୁ ଅଧିକ ଟେନସନ ହେଲା ସମୀର ବିଜେପିରେ ମିଶିବା ପରେ ଜଗତସିଂହପୁର ଲୋକସଭାରେ ବିଜେପିର ପଲ୍ଲା ଭାରି ହୋଇଯାଇଛି ।

ଅନ୍ୟପଟେ ଚାନ୍ଦବାଲି ପାଇଁ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ଦଳ । ସେଠୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଲଢୁଥିବା ବେଳେ ଦିନକୁ ଦିନ ବଦଳୁଥିବା ସମୀକରଣ ମନମୋହନଙ୍କ ସପକ୍ଷରେ ଯାଉଥିବା କୁହାଯାଉଛି । ନିକଟରେ ଘନ ଘନ ମିଶ୍ରଣ ପର୍ବ କରି ବିଜେଡିକୁ ଦୁର୍ବଳ କରିବାରେ ଲାଗିଛି ବିଜେପି । ଏହା ସହ ନିଜେ ବିଜେଡି ପ୍ରାର୍ଥୀ ବ୍ୟାମକେଶ ରୟଙ୍କ ମାମୁ ଅଜୟ ନାୟକ ବି ଏବେ ପଦ୍ମ କ୍ୟାମ୍ପରେ। ତେଣୁ କଳେ ବଳେ କୌଶଳେ ଉପକୂଳ ହାତେଇବାକୁ ସବୁ ପ୍ରୟା କରୁଛି ବିଜେଡି ।

ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଉପକୂଳ ଏବଂ ଉତ୍ତର ଓଡ଼ିଶାର ୬ ଲୋକସଭା ଏବଂ ୪୨ ବିଧାନସଭା ଅତ୍ୟନ୍ତ ଗୁରୁତ୍ୱ ରଖୁଛି । ମୈଦାନରେ ଅଛନ୍ତି ବିଜେପିର ଏକାଧିକ ହେଭିୱେଟ। କେନ୍ଦ୍ରାପଡା ଲୋକସଭାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଲଢୁଥିବା ବେଳେ ବାଲେଶ୍ୱରରୁ ଲଢୁଛନ୍ତି ହେଭିୱେଟ ପ୍ରତାପ ଷଡଙ୍ଗୀ । ସେହିପରି ଜଗତସିଂହପୁରରେ ବିଜେପିରୁ ଲଢୁଛନ୍ତି ପୂର୍ବତନ ସାଂସଦ ବିଭୂ ତରାଇ।

ଅନ୍ୟପଟେ ବିଜେଡିର ପ୍ରଣବ ପ୍ରକାଶ ଦାସ ଏଥର ଯାଜପୁର ଛାଡି ସମ୍ବଲପୁରରୁ ଲଢୁଛନ୍ତି । ୨୦୧୯ରେ ଏହି ୬ ଲୋକସଭାରୁ ୨ଟି ସିଟ୍ ବିଜେପି ପାଇଥିବା ବେଳେ ବିଜେଡି ଖାତାକୁ ଯାଇଥିଲା ୪ ସିଟ୍ । ସେହିପରି ବିଧାନସଭାରେ ବିଜେଡି ୩୪ ଆସନ ଜିତିଥିବା ବେଳେ ବିଜେପି ପାଇଥିଲା ୮ ସିଟ୍ । କିନ୍ତୁ ଏଥର ଉପକୂଳରେ ମାହୋଲ ବଦଳିଥିବା ବେଳେ ଅନେକ ସିଟରେ ବିଜେଡି-ବିଜେପି ଭିତରେ କଡା ଟକ୍କର ହେଉଥିବା ଦେଖିବାକୁ ମିଳୁଛି ।