Advertisment

ବିଜେଡି ଖେଳିଲା ସରପ୍ରାଇଜ୍ କାର୍ଡ; ବଡ଼ଚଣାରେ ବର୍ଷା ଇନ୍, ଅମର ଆଉଟ୍

ଆଗରୁ କ୍ରାଉଡ୍ ପୁଲର୍ ଭାବେ ଦଳ ପାଇଁ ପ୍ରଚାର କରୁଥିଲେ। ଦି' ଦିନ ତଳେ ଶଙ୍ଖ ଧରୁ ଧରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ହାତରେ ଟିକେଟ୍ ଧରାଇଦେଲା ବିଜେଡି। ତାହା ପୁଣି ବଡ଼ଚଣାରୁ, ଛ ଥରର ବିଧାୟକ ଅମର ଶତପଥୀଙ୍କ ସିଟରୁ।

author-image
Manoranjan Behera
undefined

BJD

ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ବିଜେଡି ଖେଳିଲା ବର୍ଷା, ସନା ସରପ୍ରାଇଜ୍ କାର୍ଡ। ବଡ଼ଚଣାରୁ ବିଧାୟକ ଅମର ଶତପଥୀଙ୍କୁ କାଟି ତାଙ୍କ ସ୍ଥାନରେ ଦି ଦିନ ପୂର୍ବରୁ ଶଙ୍ଖ ଧରିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ଟିକେଟ୍ ଦେଇଛି, ଆଉ ଦଳରେ ବିଧିବଦ୍ଧ ଯୋଗ ନଦେଇ ବି ଚମ୍ପୁଆ ପାଇଁ ଟିକେଟ୍ ହାତେଇଛନ୍ତି କେନ୍ଦୁଝର ଜିଲ୍ଲାର ବାହୁବଳୀ ନେତା ସନା ମହାକୁଡ଼। ତେବେ ସନାଙ୍କୁ ହାତେଇ ବିଜେଡି ଚମ୍ପୁଆରେ ଭଲ ଗେମ୍ ଖେଳିଥିବା କୁହାଯାଉଥିଲା ବେଳେ, ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷାଙ୍କୁ ବିଜେପିର ଦକ୍ଷ ଯୋଦ୍ଧା ଅମର ନାୟକଙ୍କ ବିପକ୍ଷରେ ପାରା ଡ୍ରପିଂ କରିବା ଅନେକଙ୍କୁ ଚକିତ କରିଛି।

Advertisment

ଆଗରୁ କ୍ରାଉଡ୍ ପୁଲର୍ ଭାବେ ଦଳ ପାଇଁ ପ୍ରଚାର କରୁଥିଲେ। ଦି' ଦିନ ତଳେ ଶଙ୍ଖ ଧରୁ ଧରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ହାତରେ ଟିକେଟ୍ ଧରାଇଦେଲା ବିଜେଡି। ତାହା ପୁଣି ବଡ଼ଚଣାରୁ, ଛ ଥରର ବିଧାୟକ ଅମର ଶତପଥୀଙ୍କ ସିଟରୁ। ବଡ଼ଚଣାରେ ବର୍ଷା ଇନ୍ ଅମର ଶତପଥୀ ଆଉଟ୍। ତେବେ ଏଠି ବିଜେଡି ସୁପ୍ରିମୋଙ୍କ କାହିଁକି ଏ ସରପ୍ରାଇଜ୍ କାର୍ଡ?

ଗଲା ୧୯ ନିର୍ବାଚନରେ ବର୍ତ୍ତମାନର ବିଧାୟକ ଅମର ଶତପଥୀ ବିଜେପି ପ୍ରାର୍ଥୀ ଅମର କୁମାର ନାୟକଙ୍କ ମାତ୍ର ୧୪୮୫ ଖଣ୍ଡ ଭୋଟରେ ହରାଇ ଜିତିଥିଲେ। ତେଣୁ ଏଥର ଦଳ ଏଠି ପ୍ରାର୍ଥୀ ବଦଳାଇବାକୁ ଚିନ୍ତା କରିଥିଲା। ନିକଟରେ ପୂର୍ବତନ ବିଧାୟକ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ ନାରାୟଣ ଶଙ୍ଖ ଧରିବା ପରେ କୁହାଯାଉଥିଲା ତାଙ୍କୁ ହୁଏତ ଏଠି ଚେହେରା କରିପାରେ ବିଜେଡି। କିନ୍ତୁ ବିଧାୟକ ଅମରଙ୍କୁ ମ୍ୟାନେଜ୍ କରିବାରେ ବିଫଳ ହେଉଥିଲା ଦଳ। ନିଜର ନହେଲା ନାଇଁ ପୁଅ ପାଇଁ ଟିକେଟ୍ ଲବି କରିବା ସହ ଲଗାତର କିଛି ଦିନ ହେଲା ବଡ଼ଚଣାରେ ଶକ୍ତି ପ୍ରଦର୍ଶନ କରି ଆସୁଥିଲେ ଅମର।

Advertisment

ଏହା ବାଦ୍ ୧୯ ନର୍ବାଚନରେ କଂଗ୍ରେସ ଛାଡ଼ି ବିଜେଡି ଆସିଥିବା ଜନ୍ମେଜୟ ଲେଙ୍କାଙ୍କ ଦାବିଦାରୀ ବି ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଥିଲା। ସେପଟେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ଜନସଭା ପରଠୁ ବିଜେପି ପ୍ରତି ବଢୁଥିବା ଜନମତ ଚର୍ଚ୍ଚା ଭିତରେ ବିଜେପି ମଧ୍ୟ ଗତଥରର ପ୍ରାର୍ଥୀ ଅମର କୁମାର ନାୟକଙ୍କୁ ଟିକେଟ୍ ଦେବାରୁ ଟେନସନ୍ ଆହୁରି ବଢ଼ିଥିଲା। ତେଣୁ ବଡଚଣା ବିଜେଡି ରାଜନୀତିରେ ଧାର ଧାରୁନଥିବା ଜଣଙ୍କୁ ପ୍ରାର୍ଥୀ କରି ଦଳୀୟ ଅନ୍ତର୍କନ୍ଦଳକୁ ମ୍ୟାନେଜ୍ କରିବା ପାଇଁ ସୁପ୍ରିମୋ ଏଠି ଅଭିନେତ୍ରୀ ବର୍ଷାଙ୍କୁ ଟିକେଟ୍ ଦେଇଥିବା କୁହାଯାଉଛି। ହେଲେ ଏହାର ଫଳ କଣ ହେବ, ଟିକେଟ୍ ଲବିରେ ଥିବା ତିନି ନେତା ଗ୍ରାଉଣ୍ଡରେ ବର୍ଷାଙ୍କୁ ସମର୍ଥନ ଦେବେ ନା ନାହିଁ, ବିଜେପିର ଟାଣୁଆ ନେତା ଅମର ନାୟକଙ୍କୁ କିଭଳି ସାମ୍ନା କରିବେ ନବାଗତା ବର୍ଷା ପ୍ରିୟଦର୍ଶିନୀ- ଏସବୁ ନେଇ ଚର୍ଚ୍ଚା ଜୋର୍।

ସେମିତି ସନା ମହାକୁଡ଼ଙ୍କୁ ଟିକେଟ୍ ଦେଇ ଦ୍ୱିତୀୟ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ଚମ୍ପୁଆ ବିଶେଷ କରି କେନ୍ଦୁଝର ରାଜନୀତିରେ ଅଖଣ୍ଡ ପ୍ରଭାବ ରଖୁଥିବା ପୂର୍ବତନ ବିଧାୟକ ସନା ମହାକୁଡ଼ ଗତ ନିର୍ବାଚନରେ ଲଢ଼ିନଥିଲେ ବି ଶେଷ ମୁହୂର୍ତ୍ତରେ ବିଜେଡିକୁ ସମର୍ଥନ କରିବାରୁ ତାଙ୍କ ସମର୍ଥିତ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ କେନ୍ଦୁଝର ସାଂସଦ ହୋଇଥିଲା ବେଳେ ମୀନାକ୍ଷୀ ମହନ୍ତ ଚମ୍ପୁଆରୁ ବିଧାୟକ ହୋଇଥିଲେ। କିନ୍ତୁ ଏଇ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ସନା ହୁଏତ ବିଜେପି ଯାଇ ପାରନ୍ତି।

ତିନି ଥରର ସାଂସଦ ଅନନ୍ତ ନାୟକଙ୍କୁ ଏଥର ବିଜେପି କେନ୍ଦୁଝରରୁ ସାଂସଦ ପ୍ରାର୍ଥୀ ଓ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ କେନ୍ଦୁଝର ସଦରରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ାଇବା ପରଠୁ ବଦଳି ଯାଇଛି ସମୀକରଣ। ଏଭଳି ସ୍ଥିତିରେ ପୂରା ଜିଲ୍ଲାରେ ବିଜେପିକୁ ଚେକ୍ ଦେବାକୁ ସନା ମହାକୁଡ଼ଙ୍କୁ ବିଜେଡି ଟିକେଟ୍ ଦେଇଥିବା କୁହାଯାଉଛି। ରୋଚକ ହେଉଛି,ବିଧିବଦ୍ଧ ଭାବେ ସନା ବିଜେଡିରେ ଯୋଗ ନଦେଇ ବି ଜିଲ୍ଲାରେ ଦବଦବା କାରଣରୁ ଟିକେଟ୍ ହାତେଇବାରେ ସମର୍ଥ ହୋଇଛନ୍ତି ସନା। ଏଥିସହ ସନାଙ୍କୁ ଟିକେଟ୍ ପଛରେ ଖଣି ଲବି ମଧ୍ୟ ଏକ ବଡ଼ ଫ୍ୟାକ୍ଟର ଥିବା ଚର୍ଚ୍ଚା ହେଉଛି।

ତେବେ ସୁପ୍ରିମୋଙ୍କ ଏ ଦୁଇ ସରପ୍ରାଇଜ୍ କାର୍ଡ ଭୋଟ୍ ବେଳେ କାମ କରୁଛି ନା ଓଲଟା ଫଳ ଆଣୁଛି ଏବେ ତା ଉପରେ ନଜର।

BJD Odisha Politics General Elections 2024
Advertisment
Advertisment