ବିଜେଡି-ବିଜେପି ସମ୍ପର୍କକୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ । ବିଜେଡି- ବିଜେପି ମଧ୍ୟରେ ଚାଲିଛି ସଲାସୁତରା ? ମେଣ୍ଟ କରିଛନ୍ତି ବିଜେଡି ବିଜେପି ଦଳ ? ସଂସଦ ଓ ବିଧାନସଭାରେ ବିଜେପିକୁ ବିଜେଡି କାହିଁକି କରୁଛି ସମର୍ଥନ ? ଦଳର ପରାଜୟ ପରେ ଭୟଭୀତ କି ବିଜେଡି ସୁପ୍ରିମୋ ? ନା ନବୀନଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ବିଜେଡି ନେତା ? ସୋସିଆଲ ମିଡିଆରେ କଂଗ୍ରେସର ଏପରି ପ୍ରତିକ୍ରିୟା ପରେ ଏମିତି ଅନେକ ପ୍ରଶ୍ନ ଛିଡ଼ା ହୋଇଛି ।
କେନ୍ଦ୍ର ଆଣିଲା ୱାକଫ୍ ବିଲ୍ । ବିଜେଡିର କିଛି ସଦସ୍ୟ କଲେ ସମର୍ଥନ । ରାଜ୍ୟ ଆଣିଲା ବିଶ୍ବବିଦ୍ୟାଳୟ ବିଲ୍ । ସାରାରାତି ବିଜେଡି କଲା ଆଲୋଚନା । ଉପରେ ଫଁ ଫଁ, ଭିତରେ କିନ୍ତୁ ସଲାସୁତରା । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବି ବିଜେପି ସରକାର ଏକା ଥରେ ଦୁଇ ଦୁଇଟି ଐତିହାସିକ ବିଲ୍ ପାରିତ କରିଛନ୍ତି । ସାରା ରାତି ଗୃହ ଚଳାଇ ଇତିହାସ ସୃଷ୍ଟି କରିଛନ୍ତି । ଯାହାକୁ ଖୋଲାଖୋଲି ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା । ହେଲେ କଂଗ୍ରେସ ଏହାକୁ ନେଇ ବାଢ଼ିଛି ବଡ଼ ଯୁକ୍ତି ।
Also Read
ଅଧିକ ପଢ଼ନ୍ତୁ: ନବୀନଙ୍କୁ ଖୋଲା ଚାଲେଞ୍ଜ୍, ସନ୍ଦିହାନ ବିଜେଡି ନେତା
ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ କାଏମ ରହିଛି ବୋଲି କହିଛି କଂଗ୍ରେସ । ସୋସିଆଲ୍ ମିଡିଆ ‘ଏକ୍ସ’ରେ ରାଜ୍ୟ କଂଗ୍ରେସ କହିଛି, ରାଜ୍ୟସଭାରେ ୱାକଫ୍ ବିଲ୍କୁ ବିବେକ ଅନୁସାରେ ଭୋଟିଂ କରିବାକୁ ବିଜେଡି ନିଜ ସାଂସଦଙ୍କୁ କହିଥିଲା । ବିଲ୍ ସପକ୍ଷରେ ବିଜେଡିର ବରିଷ୍ଠ ସାଂସଦ ସସ୍ମିତ ପାତ୍ର ଭୋଟ୍ ଦେଇଛନ୍ତି । ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ କାଏମ ରହିଛି । ପରସ୍ପର ମଧ୍ୟରେ ସଲାକୁସ୍ତି କରି ସେମାନେ ଓଡ଼ିଶା ଜନତାଙ୍କୁ ଠକି ପାରିବେନି ବୋଲି କହିଛି କଂଗ୍ରେସ ।
ସେପଟେ ଏନେଇ ବିଜେଡିର ବରିଷ୍ଠ ନତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଏନେଇ ଆମ ନେତାଙ୍କ ସହ ଆଲୋଚନା ହେବ । ତେବେ ୱାକଫ୍ ବିଲ୍କୁ ନେଇ ଏବେ ତେଜିଲାଣି ରାଜ୍ୟ ରାଜନୀତି । ବିଜେଡି-ବିଜେପି କୋଳାକୋଳି ବୋଲି କଂଗ୍ରେସ କହୁଛି । କଂଗ୍ରେସ ମାଇଲେଜ୍ ନେବାକୁ ପଛାଉନାହିଁ । ଆଗକୁ ଏ ରାଜନୀତି କେଉଁ ମୋଡ଼ ନେଉଛି ତା’ ଦେଖିବାକୁ ବାକି ରହିଲା ।