କଂଗ୍ରେସ ପ୍ରଭାରୀଙ୍କ ଧାଏଁ ଧାଏଁ ନିଶାନା; କହିଲେ, BJD-BJP ମଧ୍ୟରେ ହୋଇଛି ଡିଲ୍

ବିଜେଡି ଓ ବିଜେପି ମିଶିକି ଅଛନ୍ତି । ନିର୍ବାଚନ ପାଖେଇଲେ ଦୁଇ ଦଳ ନାଟକ ଜୋରଦାର କରିବେ । ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ବାହାର ରାଜ୍ୟର ଲୋକଙ୍କ ଦବଦବା ରହିଛି ।

‘BJD-BJP ମଧ୍ୟରେ ହୋଇଛି ଡିଲ୍’

ପୁଣି ବର୍ଷିଲେ କଂଗ୍ରେସ ପ୍ରଭାରୀ । କାଲି ଅଣଓଡ଼ିଆ ଶାସନକୁ ନିଶାନା କରିଥିଲେ । ଆଉ ଆଜି ଆଣିଲେ ସାଙ୍ଘାତିକ ଅଭିଯୋଗ । କାଳେ ୧୫ ସାଂସଦ ସିଟ୍ ପାଇଁ ବିଜେଡି-ବିଜେପି ମଧ୍ୟରେ ଡିଲ୍ ହୋଇଛି ଅଭିଯୋଗ ଆଣି, ଉଭୟଙ୍କ ସଂପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯାହାକୁ ନେଇ ତେଜିଛି ରାଜ୍ୟ ରାଜନୀତି । ସେପଟେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ପ୍ରଭାରୀ ଅଜୟ କୁମାର ଦେଇଛନ୍ତି ନୂଆ ଫର୍ମୁଲା।...

ବିଜେଡି ଓ ବିଜେପି ମିଶିକି ଅଛନ୍ତି । ନିର୍ବାଚନ ପାଖେଇଲେ ଦୁଇ ଦଳ ନାଟକ ଜୋରଦାର କରିବେ । ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ବାହାର ରାଜ୍ୟର ଲୋକଙ୍କ ଦବଦବା ରହିଛି । ଅଭିଯୋଗ କରିଛନ୍ତି ଖଣି ପଇସା ବାହାରକୁ ଯାଉଛି । ସ୍କୁଲ, ହସ୍ପିଟାଲ ନିର୍ମାଣ ହେଉନି । କେବଳ ବାହାର ବ୍ୟବସାୟୀଙ୍କୁ ଲାଭ ଦିଆଯାଉଛି । ଯେଉଁଠି ବ୍ୟୁରୋକ୍ରାଟ ରାଜ୍ୟ ଚଳେଇବେ ସେଠି ଲୋକେ ଗରିବ ହିଁ ରହିବେବୋଲି ଅଭିଯୋଗ କରିଛନ୍ତି ଅଜୟ କୁମାର ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଚାରିପଟର ଲୋକ ଦୁର୍ନୀତିଗ୍ରସ୍ତ ହୋଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ କିପରି ସ୍ୱଚ୍ଛ ବୋଲି ପ୍ରଶ୍ନ କରିଛନ୍ତି । ଜବାବରେ ବିଜେପି କହିଛି, କଂଗ୍ରେସ, ବିଜେଡିରେ ବିକ୍ରି ହୋଇଥିବା ଦଳ । କାହା ସହିତ ମେଣ୍ଟ ନକରି ବିଜେପି ଏକା ଲଢ଼ି ୧୫ଟି ଲୋକସଭା ସିଟରେ ଜିତିବ । ସେପଟେ ବିଜେଡିର ସ୍ପଷ୍ଟୀକରଣ ହେଲା ସବୁଠି ବିଜେପି ସହ ବିଜେଡିର ଲଢେଇ ହେଉଛି ।

ସେପଟେ ରାଜ୍ୟ କଂଗ୍ରେସ ପାଇଁ ପ୍ରସ୍ତୁତ ହୋଇଛି ୨୪ ରୋଡ୍ ମ୍ୟାପ୍ । ୧୦ ଦିନ ଭିତରେ ମଣ୍ଡଳ କମିଟି, ପଞ୍ଚାୟତ ଓ ବ୍ଲକ୍ କମିଟି ଗଠନ କରିବାକୁ ଖୋଲା ମଞ୍ଚରୁ ତାଗିଦ୍ କରିଛନ୍ତି ପ୍ରଭାରୀ । ସଙ୍ଗଠନ ନକଲେ ଜିଲ୍ଲା କମିଟିର ନାଁ କାଟିବାକୁ ଚେତାବନୀ ବି ଦେଇଛନ୍ତି । ସେହିପରି ୨୧ ସଂସଦୀୟ କ୍ଷେତ୍ରରେ ନିଯୁକ୍ତ ହେବେ ବରିଷ୍ଠ ନେତା । ପ୍ରତି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ ବିଧାନସଭା ନିର୍ବାଚନ ମଣ୍ଡଳୀର ଦାୟିତ୍ୱରେ ରହିବେ ୭ ଟାଣୁଆ ନେତା । ବିଧାୟକମାନେ ନିଜ ନିର୍ବାଚନୀ ମଣ୍ଡଳୀ ସହ ଆଉ ଦୁଇ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ରହିବେ । ସେପଟେ ଜନ ସଂପର୍କ ପାଇଁ ଚଳିତ ମାସ ୨୧ ତାରିଖରୁ ୨୦ ଦିନ ଧରି ବସ୍ ଯାତ୍ରା ଆରମ୍ଭ କରିବ ଦଳ ।

ନିର୍ବାଚନକୁ ୪ ମାସ ବାକି ଥିବା ବେଳେ ଅସଜଡ଼ା ଘରକୁ ସଜାଡି କଂଗ୍ରେସକୁ ପୁଣି ଥରେ ଶକ୍ତିଶାଳୀ କରାଇବା ନେତୃତ୍ୱ ପାଇଁ ବଡ଼ ଚାଲେଞ୍ଜ । ରାଜନୈତିକ ସମୀକ୍ଷକଙ୍କ ମତରେ ଶକ୍ତିହୀନ କଂଗ୍ରେସ ପାଇଁ ଓଡ଼ିଶା ଦଖଲ କଷ୍ଟ ସାଧ୍ୟ ମିଶନ ହେଲେ ବି ସୁଯୋଗ ରହିଛି ।