Advertisment

କାହିଁକି ନିଜ ବ୍ୟକ୍ତିଗତ ଭିଡ଼ିଓକୁ ଭାଇରାଲ କଲେ ନବୀନ?

ସାଧାରଣତଃ ନବୀନ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରଚାରିତ ହେବାକୁ ଦିଅନ୍ତିନି.. କିନ୍ତୁ ବେଳେ ବେଳେ ତାଙ୍କର ଭିଡିଓ ପଦାକୁ ଆସେ..ଏହାକୁ ଦେଖି ସମସ୍ତେ ଆମୋଦିତ ମଧ୍ୟ ହୁଅନ୍ତି.. ତେବେ ଏଠି ପ୍ରଶ୍ନ ଉଠୁଛି, ନବୀନ ମଝିରେ ମଝିରେ ଏମିତି ଭିଡିଓ ଛାଡ଼ନ୍ତି କାହିଁକି? ଏହା ପଛରେ କଣ କାରଣ ଥାଇପାରେ?

author-image
Sarbeswar
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା। ଉଭୟ ଭଲ ଚର୍ଚ୍ଚା ଓ ଖରାପ ଚର୍ଚ୍ଚା। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା, ନବୀନ ନିବାସ ଭିତରର ଏହି ଭିଡିଓଟି କେଉଁଠୁ ଆସିଲା, ତାକୁ କିଏ ସୁଟିଂ କରିଛନ୍ତି, ଯଦି କରିଛନ୍ତି କେଉଁ ଉଦ୍ଦେଶ୍ୟରେ କଲେ, ଏହା ପଛରେ ଓଡ଼ିଶାବାସୀଙ୍କୁ କିଛି ନିର୍ଦ୍ଦିଷ୍ଟ ମେସେଜ ଦେବାର ଉଦ୍ଦେଶ୍ୟ ରହିଛି କି, ଏହିସବୁ ପ୍ରଶ୍ନକୁ ନେଇ ଏବେ ପାୱାର କରିଡରରେ ଜୋରଦାର ଆଲୋଚନା ହେଉଛି। ଯାହା ଜଣାପଡୁଛି, ଭିଡିଓଟି ନବୀନ ନିବାସ ଭିତରର, ତେଣୁ ଏହାକୁ ନବୀନ ନିବାସ ଭିତରର କୌଣସି ବ୍ୟକ୍ତି ହିଁ ସୁଟିଂ କରିଛନ୍ତି। କାରଣ ନବୀନ ନିବାସ ଭିତରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସୁଟିଂ କରିବାର ତାକତ ଆଉ କାହାର ନାହିଁ। ତେଣୁ ଏହା କୁହାଯାଇ ପାରେ ଯେ, ଭିଡିଓଟିକୁ ଜାଣି ଜାଣି ନବୀନ ନିବାସ ପକ୍ଷରୁ ହିଁ ଭାଇରାଲ୍ କରାଯାଇଛି।

Advertisment

କଥା ହେଲା, ନବୀନ ବାବୁ ତାଙ୍କ ବ୍ୟକ୍ତିଗତ ଜୀବନକୁ କେବେ ବାହାରକୁ ଆସିବାକୁ ଦେଇନାହାଁନ୍ତି। ଏଥିପାଇଁ ସେ ଆଗ୍ରାହୀ ନୁହଁନ୍ତି ନା ତାଙ୍କର କିଛି ଅସୁବିଧା ଥାଏ, ନା ଏହା ତାଙ୍କର ପସନ୍ଦ ନୁହେଁ, ତାହା କେବଳ ତାଙ୍କୁ ହିଁ ଜଣା। କିନ୍ତୁ ସେ କେବେ କୌଣସି ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦିଅନ୍ତି ନାହିଁ, କେବଳ ଦିଅନ୍ତି ବିବୃତି। ଯଦି କେବେ ସାକ୍ଷାତକାର ଦେଇଛନ୍ତି, ତେବେ ଇଂରାଜୀ କିମ୍ବା ଜାତୀୟ ଗଣମାଧ୍ୟମକୁ, ଓଡ଼ିଆ ଗଣମାଧ୍ୟମକୁ ପ୍ରାୟ ନୁହେଁ। ଯଦିବି ଗଣମାଧ୍ୟମ ପ୍ରତିନିଧି ଯାଆନ୍ତି, ନବୀନ ନିବାସ କୋଠାର ପାହାଚ ଯାଏଁ ହିଁ ଯାଆନ୍ତି। ପିଣ୍ଡା ଉପରକୁ ଉଠିବାକୁ ଅନୁମତି ନଥାଏ। ନବୀନ ଯେତେବେଳେ ନୂଆ ନୂଆ ରାଜନୀତିକୁ ଆସିଥିଲେ, ସେତେବେଳେ ସେ ଗଣମାଧ୍ୟମକୁ କେତେଥର ସାକ୍ଷାତକାର ଦେଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ଚତୁର୍ଥ ସ୍ତମ୍ଭକୁ ଏଡ଼େଇ ଯିବାକୁ ପସନ୍ଦ କରିଛନ୍ତି।

ତେବେ ଅଧିକ କିଛି ଆଲୋଚନା କରିବା ଆଗରୁ, କାହିଁକି ନିଜର ଏହି ଭିଡ଼ିଓଟିକୁ ଭାଇରାଲ କରାଯାଇଛି ତାହାକୁ ନେଇ ବେଶି ଚର୍ଚ୍ଚା। ଦେଖାଯାଉଛି ଯେ, ନବୀନ ବାବୁ ତାଙ୍କ ଘରେ, ଅର୍ଥାତ ନବୀନ ନିବାସରେ ଅଛନ୍ତି, ସେ ଗୋଟିଏ ଘରୁ ଚାଲି ଚାଲି ଆସୁଛନ୍ତି ବାହାର ପଟ ଅଗଣାକୁ। ପିନ୍ଧିଛନ୍ତି ଏକ ଲୁଙ୍ଗି ଓ ହାତବାଲା ଗଂଜି। ନବୀନ ଚାଲି ଚାଲି ଆସି ଅଗଣା ପଟର କବାଟ ଖୋଲୁଛନ୍ତି। କବାଟ ଖୋଲିବା ପରେ ଦେଖାଯାଉଛି ଯେ, ବାହାର ପଟେ କାନ୍ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଫଟୋ ମରାଯାଇଛି। ନବୀନ ବାବୁ କବାଟ ଖୋଲି ଖଟ ଏପଟେ ଠିଆ ହୋଇ, ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଠିଆ ଠିଆ ନମସ୍କାର ପକାଉଛନ୍ତି। ପୂରା ଭିଡିଓରୁ, ନବୀନ ବାବୁ ଚାଲି ଚାଲି ଆସିବାଠାରୁ ରୁମ୍ ଖୋଲି ଦିଅଁଙ୍କୁ ନମସ୍କାର ହେବା ପର୍ଯ୍ୟନ୍ତ ବ୍ୟାକଗ୍ରାଉଣ୍ଡରେ ଏକ ଲୋକପ୍ରିୟ ଓଡ଼ିଆ ଭଜନ ବାଜୁଛି।

Advertisment

ତେବେ ନବୀନ ନିବାସ ଭିତରେ ନବୀନଙ୍କର ଏହି ବ୍ୟକ୍ତିଗତ ଭିଡିଓ ବାହାରକୁ ଆସିବା ଏହା ନୂଆ ନୁହେଁ। ପୂର୍ବରୁ ନବୀନ ବାବୁ ବ୍ୟାୟାମଶାଳାରେ ବ୍ୟାୟାମ କରୁଥିବାର ଏକ ଭିଡିଓ ପଦାକୁ ଆସିଥିଲା। ଆଉ କେତେଟି ଫଟୋ, ଯେମିତିକି କୁକୁର ଖେଳାଉଥିବାର, ବଡ଼ ଅତିଥିଙ୍କ ସହ ପଖାଳ ଖାଉଥିବାର, ଏମିତି କିଛି କିଛି ଦୃଶ୍ୟ ବାହାରକୁ ଆସିଛି। ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା, ଯେତେବେଳେ ଗଣମାଧ୍ୟମରେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠିଛି, କିମ୍ବା ପାଖାପାଖି କୌଣସି ନିର୍ବାଚନ ଥାଏ, ଏମିତି ବେଳେ ହିଁ ଏପରି କିଛି ଭିଡିଓ ପଦାକୁ ଆସୁଥିବା ଓଡ଼ିଶାବାସୀ ଦେଖନ୍ତି। ତେବେ ଏହି ଶେଷତମ ଭିଡିଓଟିକୁ ନବୀନ ନିବାସ ତରଫରୁ ରିଲିଜ୍ କରାଯିବାର ଅସଲ ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ହୋଇନାହିଁ, କିମ୍ବା ଏ ସଂପର୍କରେ ନବୀନ ନିବାସ ତରଫରୁ କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ।

Naveen Patnaik Odisha CM Naveen
Advertisment
Advertisment