• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଯିଏ ସାଢ଼େ ୪ କୋଟି ଓଡ଼ିଆଙ୍କ ଦୁଃଖ ବୁଝୁଥିବା କଥା କହୁଛନ୍ତି, ସେହି ମୁଖ୍ୟମନ୍ତ୍ରୀ କେମିତି ନିଜ ପରିବାର ସଦସ୍ୟଙ୍କ କଥା ଭୁଲିଯାଇଛନ୍ତି ? କଟକ ଆନନ୍ଦ ଭବନରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପା ପୁଅ ଦିଲୀପ ଓ ଝିଅ ରେଖାଙ୍କ ଦୟନୀୟ ସ୍ଥିତିକୁ ନେଇ ରାଜ୍ୟବ୍ୟାପି ଏବେ ଏଭଳି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଭିତରେ ସ୍ଥାନୀୟ ବିଧାୟକ ଭାବେ ମହମ୍ମଦ ମୋକିମ୍ ଆଜି କଟକ ବାସଭବନକୁ ଯାଇ ଦିଲୀପ ଓ ରେଖାଙ୍କୁ ଭେଟି ଆବଶ୍ୟକ ସହାୟତାର ପ୍ରତିଶ୍ରୁତି ଦେଇଥିବା ବେଳେ ଦିଲୀପ ଆଶା ରଖିଛନ୍ତି, ନବୀନ ବାବୁ ନିଶ୍ଚିତ ତାଙ୍କୁ ଦେଖିବାକୁ ଆସିବେ ବୋଲି ।

ପରିଣତ ବୟସରେ ନିଜର ଅସହାୟତାକୁ ନେଇ କହିବାବେଳେ କଣ୍ଠ ବାସ୍ପରୁଦ୍ଧ ହୋଇଯାଉଛି । ଭାତୃତ୍ୱର ସଂପର୍କକୁ ବଖାଣିବାବେଳେ ମନରେ କ୍ଷୋଭ ଆସିଯାଉଛି । ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ପଡ଼ିରହିବା ପରଠୁ କେତେ ଯେ ଯନ୍ତ୍ରଣା ଭୋଗିବାକୁ ପଡୁଛି ସ୍ୱର୍ଗତ ବିଜୁ ବାବୁଙ୍କ ପୁତୁରା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପାଙ୍କ ପୁଅ ଦିଲୀପ ପଟ୍ଟନାୟକଙ୍କୁ, ମୁହଁର ଭାବଭଙ୍ଗୀ ହିଁ ବଖାଣୁଛି ।

ଦିଲୀପଙ୍କ ଭଉଣୀ ରେଖା ବି ଆଜି ବୟସର ଅପରାହ୍ନରେ । ସ୍ୱର୍ଗତ ବିଜୁ ବାବୁଙ୍କ ପୁତୁରା ତଥା ଜର୍ଜ ପଟ୍ଟନାୟକଙ୍କ ପୁଅ ଦିଲୀପ ଆଉ ଝିଅ ରେଖାଙ୍କ ଏଭଳି ଅବସ୍ଥାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆଜି ଆନନ୍ଦଭବନକୁ ଯାଇ ସାକ୍ଷାତ କରିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ଦୀର୍ଘ ସମୟ ଧରି ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି । ତା’ସହ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସ୍ଥାନୀୟ ବିଧାୟକ ଭାବେ ଆବଶ୍ୟକ ଚିକିତ୍ସା ସୁବିଧା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ମୋକିମ୍ କ୍ଷୋଭ ପ୍ରକାଶ କରିବା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରେ ଆସୁଥିବା ନିଜ ବଡ଼ବାପାଙ୍କ ପୁଅ ଓ ଝିଅଙ୍କ ଏଭଳି ସ୍ଥିତିର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ଅପିଲ୍ କରିଛନ୍ତି ।

୧୯୪୭ରେ ଜନ୍ମିତ ଦିଲୀପ ପଟ୍ଟନାୟକ ଏକ ସ୍ପଞ୍ଜ ଆଇରନ୍ କମ୍ପାନୀରେ କାମ କରୁଥିଲେ । ଆଜିକୁ ୨୫ ବର୍ଷ ହେଲାଣି ଚାକିରିରୁ ଅବସର ନେଇଛନ୍ତି ସେ। ହେଲେ ସଡ଼କ ଦୁର୍ଘଟଣା ପରେ ପରେ ରୋଗାକ୍ରାନ୍ତ ହୋଇ ଏଭଳି ଅବସ୍ଥାରେ ପଡ଼ିରହିଛନ୍ତି । ଦିଲୀପଙ୍କ କହିବା କଥା, ଏହି ଆନନ୍ଦଭବନରେ ନବୀନଙ୍କ ସହ ଭାଇ ପ୍ରେମ ପଟ୍ଟନାୟକ, ଗୀତା ପଟ୍ଟନାୟକଙ୍କ ପିଲାଦିନ କଟିଛି । 

ଆଜି କିନ୍ତୁ ସବୁ ଅତୀତ ହୋଇଯାଇଛି । ଆନନ୍ଦଭବନର ରୂପରେଖ ବି ବଦଳିଯାଇଛି । ବିଜୁ ବାବୁଙ୍କ ଆନନ୍ଦଭବନ ସଂଗ୍ରହାଳୟ ହୋଇଥିବାବେଳେ ଏହି କାନ୍ଥ ଆରପଟେ ଭଙ୍ଗାଦଦରା ହୋଇପଡ଼ିରହିଛି ବିଜୁଙ୍କ ବଡ଼ଭାଇ ଜର୍ଜ ପଟ୍ଟନାୟକଙ୍କ ଆନନ୍ଦଭବନ।ଉଭୟ ଘରକୁ ସଂଯୋଗ କରୁଥିବା ମଝି ରାସ୍ତା ବି ବନ୍ଦ ରହିଛି । ଏହି ଘରେ ଭଉଣୀ ରେଖାଙ୍କ ସହ ଆର୍ଥିକ ଅନଟନ ସହ ରୋଗଦୁଃଖରେ କାଳ କାଟୁଛନ୍ତି ଅବିବାହିତ ଦିଲୀପ ପଟ୍ଟନାୟକ । ଆଶା ରଖିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ ଭାବେ ତାଙ୍କୁ ଦିନେ ଦେଖିବାକୁ ଆସିବେ ।

୨ ଦିନ ହେଲା ବିଜୁଙ୍କ ପୁତୁରା ଦିଲୀପ ଓ ଝିଆରୀ ରେଖାଙ୍କ ଏଭଳି ଦୁର୍ଦ୍ଦିଶା ସଂପର୍କରେ ନାନା ଚର୍ଚ୍ଚା ଲାଗିରହିଥିଲେ ବି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

  • Reported by:
  • DEBASHISH MOHANTY