• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଘମାସାନ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ, ବଢୁଥିବା ଦୁର୍ନୀତି ଭଳି ଘଟଣାକୁ ନେଇ ସରକାର ବ୍ୟାକ୍‌ଫୁଟ୍‌ରେ ଥିବା ବେଳେ ବିଜେଡିକୁ କାଠଗଡ଼ାକୁ ଟାଣିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ପଦାଧିକାରୀ ବୈଠକରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ନବୀନ ସରକାରର ବିଫଳତା, କେନ୍ଦ୍ରୀୟ ଯୋଜନା ହଡ଼ପ ସାଙ୍ଗକୁ କେନ୍ଦ୍ରର ଅନୁଦାନ ଖର୍ଚ୍ଚ କରିନପାରିବା ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଦଳ ନିଷ୍ପତ୍ତି ନେଇଛି । ତୃଣମୂଳସ୍ତରରେ ଦଳକୁ ମଜଭୁତ କରିବା ସହ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନ ଲାଗି ଖସଡା ପ୍ରସ୍ତୁତ କରାଯାଇଛି । ତେବେ ବିଜେପିର ଅଭିଯୋଗ ତଥ୍ୟ ଭିତ୍ତିକ ନୁହେଁ ବୋଲି ବିଜେଡି କହିଥିବା ବେଳେ ଉଭୟ ଦଳକୁ ଟାର୍ଗେଟ କରିଛି କଂଗ୍ରେସ ।

ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଜନଜାଗରଣ ଯାତ୍ରା । ରାଜନୈତିକ ଝଡ଼ ଭିତରେ ଆରମ୍ଭ ହୋଇଛି ବିଜେପିର ଦୁଇଦିନିଆ କାର୍ଯ୍ୟକର୍ତ୍ତା ବୈଠକ । ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ମାନସମନ୍ଥନ କୃଷକ ମୋର୍ଚ୍ଚା, ଏସସି ମୋର୍ଚ୍ଚ, ମହିଳା ମୋର୍ଚ୍ଚା ଓ ସାଧାରଣ ସଂପାଦକମାନଙ୍କୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ସଂଗଠନକୁ ତୃଣମୂଳସ୍ତରରେ ମଜଭୂତ କରିବା ନେଇ ରାଜ୍ୟ ପଦାଧୀକାରୀ ଓ ଜିଲ୍ଲା ସଭାପତିମାନଙ୍କ ସହ ପ୍ରଭାରୀ ପୁରନ୍ଦେଶ୍ୱରୀ ବିଚାରବିମର୍ଶ କରିଛନ୍ତି । ବିଭିନ୍ନ ସମୟରେ ଦିଆଯାଇଥିବା ଦାୟିତ୍ୱକୁ ନେତାଏ କେତେ କାର୍ଯ୍ୟକାରୀ କରିଛନ୍ତି, ତାହା ବୈଠକରେ ସମୀକ୍ଷା କରାଯାଇଛି । ତା ସହିତ ପଞ୍ଚାୟତ ନିର୍ବାଚନ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଲଢିବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।

ବଢିଚାଲିଥିବା ମହିଳା ବିରୋଧୀ ହିଂସା, ଶିଶୁ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ସବୁସ୍ତରରେ ଦୁର୍ନୀତି, ପଛୁଆ ବର୍ଗକୁ ଅବହେଳା, ବେକାରୀ ସମସ୍ୟା, ଖଣି ଲୁଟ୍ ଓ ରତ୍ନ ଭଣ୍ଡାର ଚାବି ହଜିବା ଭଳି ପ୍ରସଙ୍ଗକୁ ନେଇ ଲୋକଙ୍କୁ ପାଖରେ ପହଞ୍ଚାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଇଛି । ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି । କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରିବା, କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ଠିକ୍‌ରେ ବନିଯୋଗ ନକରିବା ଓ ଠିକ୍ ସମୟରେ ବିନିଯୋଗ ପ୍ରମାଣପତ୍ର ନଦେବା ନେଇ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛି ବିଜେପି । ତେବେ କୋଭିଡ ଟିକାକରଣରେ ରାଜ୍ୟକୁ କେନ୍ଦ୍ର ସରକାର ସହାୟତା ସଂପର୍କରେ ଲୋକଙ୍କୁ ଅବଗତ କରାଇବା ଲାଗି ଦଳ ନିଷ୍ପତ୍ତି ନେଇଛି ।

 

ସେପଟେ ବିଜେଡି କହିଛି ବିଜେପିର ଅଭିଯୋଗ ତଥ୍ୟ ଭିତ୍ତିକ ନୁହେଁ । ବିରୋଧୀ କେବଳ ଚକ୍ରାନ୍ତ କରୁଛନ୍ତି । ହୋହାଲ୍ଲା କଲେ ମିଛ କଣ ସତ ହୋଇଯିବ କି ବୋଲି ବିଜେଡି ନେତା ନଳିନୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ବିଜେପିର ତୁତୁମେଁମେଁ ଭିତରେ ଉଭୟ ଦଳକୁ ନିଶାନା କରିଛନ୍ତି କଂଗ୍ରେସ ଦଳର ବିଧାୟକ ତାରାପ୍ରସାଦ ବାହିନୀପତି ।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧଂଦେହୀ ଡାକରା ଦେଇଥିବା ବେଳେ ଗ୍ୟାସ ଦରକୁ ଢାଲ କରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛି ବିଜେଡି ଦଳ । ରାଜନୈତିକ ଘମାସାନ ଭିତରେ ରାଜ୍ୟର ଜନତା ପଞ୍ଚାୟତ ନିର୍ବାଚନରେ କି ନିଷ୍ପତ୍ତି ଦେଉଛନ୍ତି ଏବେ ତାକୁ ଅପେକ୍ଷା ରହିଛି ।

ରିପୋର୍ଟର- ସମ୍ବଲପୁର ସଂଜୟ ଜେନା ଓ ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ ଓ ହରିହର ଚାନ୍ଦ