ସର୍ବଦଳୀୟ ବୈଠକରୁ ବାହାରି ପାରିଲାନି ନିଷ୍କର୍ସ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ । ସେହିପରି କଂଗ୍ରେସ ବିଧାୟକ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ ।

Odisha Assembly

ବିଧାନସଭାରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ପାଇଁ ବସିଥିବା ସର୍ବଦଳୀୟ ବୈଠକରୁ ବାହାରି ପାରିଲାନି ନିଷ୍କର୍ସ । ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେ । ଆଜି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଧୋଇ ଯାଇଥିଲା ବିଧାନସଭା ପ୍ରଶ୍ନକାଳ । ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଓ ନାରାବାଜି କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ ।

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ । ସେହିପରି କଂଗ୍ରେସ ବିଧାୟକ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ । ବିଜେଡି କହିଛି, ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେବନି । ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବା ଦରକାର । ମୁଖ୍ୟମନ୍ତ୍ରୀ ବିବୃତି ନ ଦେବା ପର୍ଯ୍ୟନ୍ତ ବିଜେଡି ସହଯୋଗ କରିବନି ବୋଲି କଳିକେଶ ସିଂହଦେଓ କହିଛନ୍ତି ।

ବିଜେପି ବିଧାୟକ ବାବୁ ସିଂ ବିଜେଡିକୁ କାଉଣ୍ଟର କରି ମାହାଙ୍ଗା ଡବଲ୍ ମର୍ଡର କଥା ଉଠାଇଛନ୍ତି । ବାବୁ ସିଂ ପ୍ରଶ୍ନ କରିଛନ୍ତି ଯେ, ଆଜି ଯେଉଁ କଥା କହୁଛନ୍ତି ଶାସନରେ ଥିଲା ବେଳେ କରୁ ନ ଥିଲେ କାହିଁକି ।

ସେପଟେ ସରଗରମ ହେଉଛି ବିଧାନସଭା ବଜେଟ୍ ଅଧିବେଶନ । ହୁଲୁସ୍ତୁଲ ହେଉଛି ଗୃହ । ଗତକାଲି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଗିରଫ କରିବାକୁ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ବିରୋଧୀ ଦଳ ନେତା ଗୃହର ନିୟମ ଭଙ୍ଗ କରିଥିବା କହିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଅନ୍ୟପଟେ ଏହାର ଜାବାବ ଦେଇ ମୁକେଶ ମହାଲିଙ୍ଗଙ୍କ ଦାବିକୁ ହାସ୍ୟାସ୍ପଦ କହିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ପୂର୍ବରୁ ଏଭଳି ଦାବି କରାଯିବାର କୌଣସି ନଜିର ନାହିଁ ବୋଲି କହିଥିଲେ ବିଧାୟକ ଅରୁଣ ସାହୁ ।

ସେହିପରି ଓଡ଼ିଶାରେ ଶାସନ କରୁଥିଲେ ଫାଇଭ୍ ଟାଉଟର୍ । ଫାଇଭ-ଟାଉଟର ଚୌକିରେ ବସୁଥିଲେ। ବିଜେଡି ବିଧାୟକ, ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ। ସେତେବେଳେ କୁଆଡ଼େ ଯାଇଥିଲା ଆପଣ ମାନଙ୍କ ଓଡ଼ିଆ ଅସ୍ମିତା ? ବିଧାନସଭାରେ କିଛି ଏଭଳି ପ୍ରଶ୍ନ ଉଠାଇ ବିରୋଧୀ ବିଜେଡିକୁ ବର୍ଷିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିରୋଧୀ ଦଳ ପାଖରେ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଥିଲେ ।