• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ହେଉ କି ପ୍ରଶ୍ନକାଳ ଏସବୁ ସମୟରେ ଆଉ ଚଳିବନି ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣ । ଏସବୁ ନକରିବାକୁ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅବଗତ କରିଛନ୍ତି । ନିକଟରେ ସିମଳାରେ ଅନୁଷ୍ଠିତ ବାଚସ୍ପତି ସମ୍ମିଳନୀରେ ଏନେଇ ପ୍ରସ୍ତାବ ପାରିତ ହୋଇଛି । ତେବେ ଏକଥା ଶୁଣି ବିରୋଧୀ ଆଗୁଆ ତରକି ଗଲେଣି । ସାଂପ୍ରତିକ ପ୍ରସଙ୍ଗରେ ତୁରନ୍ତ ଆଲୋଚନା ପାଇଁ ଅନୁମତି ସହ ଗୃହରେ କହିବାକୁ ସୁଯୋଗ ନମିଳିଲେ ଚୁପ୍ ବସିବେନି ବୋଲି ସଫା ସଫା କହିଛନ୍ତି ବିରୋଧୀ ଦଳ । ଜବାବରେ ବିଜେଡି କହିଛି ପ୍ରସ୍ତାବ ସମସ୍ତେ ମାନିବା ଉଚିତ୍ ।

ବିଧାନସଭାରେ ନୂଆ ନୁହେଁ ହଙ୍ଗାମା ଏବଂ ହୋହଲ୍ଲା । ୱେଲ୍ ହେଉ କି ବାଚସ୍ପତିଙ୍କ ପୋଡିୟମ ପାଖ । ବିରୋଧୀଙ୍କ ନାରାବାଜି ଓ ହଲ୍ଲାପଟା ଏବେ ଏକଦମ୍ ସାଧାରଣ ଘଟଣା ପାଲଟିଛି । ହେଲେ ଆଗକୁ କିନ୍ତୁ ବିରୋଧୀଙ୍କ ଏସବୁ ଆଭିମୁଖ୍ୟରେ ଲାଗିପାରେ ବ୍ରେକ୍ । ଏଭଳି ସଙ୍କେତ ଦେଇଛନ୍ତି ଖୋଦ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ ସୂଚନା ଅନୁସାରେ-ଗତ ନଭେମ୍ବର ୧୭ ତାରିଖରେ ଶିମଳାରେ ଅନୁଷ୍ଠିତ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ବିଧାନସଭାର ଗାରିମାକୁ ପରବର୍ତ୍ତୀ ପୀଢ଼ିଙ୍କ ଲାଗି ଅକ୍ଷୁର୍ଣ୍ଣ ରଖିବାକୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଛି ।

ଯାହାମଧ୍ୟରେ ମୁଖ୍ୟତଃ ରାଜ୍ୟପାଳଙ୍କ ଅଭିଭାଷଣ ସମୟ ଓ ପ୍ରଶ୍ନକାଳରେ କୌଣସି ବିଧାୟକ କିମ୍ବା ବିଧାୟିକା ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ । ସଦସ୍ୟମାନେ କେବଳ ଦେଶର ଉନ୍ନତି ଓ ଜନସେବା ସମ୍ପର୍କିତ ବକ୍ତବ୍ୟ ରଖିବେ । ଏ ସମ୍ପର୍କରେ ସବୁ ରାଜନୈତିକ ଦଳମାନଙ୍କୁ ଅବଗତ କରାଇବାକୁ ବାଚସ୍ପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ଆସନ୍ତା ୨୯ ତାରିଖରେ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ଏହି ପ୍ରସ୍ତାବ ରଖିବେ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଡିସେମ୍ବର ପହିଲାରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନ ୩୧ ଯାଏଁ ଚାଲିବ । ଏହି ଅଧିବେଶନରେ ୨୬ଟି କାର୍ଯ୍ୟଦିବସ ରହିଛି । ଗୃହ ସୁପରିଚାଳନା ପାଇଁ ୨୯ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ସେହିଦିନ ବାଚସ୍ପତି ସମ୍ମିଳନୀରେ ପାରିତ ନୂଆ ପ୍ରସ୍ତାବ ସମ୍ପର୍କରେ ବିରୋଧୀ ଦଳମାନଙ୍କୁ ଅବଗତ କରାଇବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

 

ତେବେ ପ୍ରସ୍ତାବ ଶୁଣୁ ଶୁଣୁ ଚିହିଁକିଲେଣି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ବିଜେପି କହିଛି ସାଂପ୍ରତିକ ପରିସ୍ଥିତିରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆସିଲେ ବି ପ୍ରଶ୍ନକାଳରେ ତାହା ଉଠିବ ଏବଂ ବିରୋଧୀଦଳ କେବେ ଏନେଇ ଚୁପ୍ ବସିବ ନାହିଁ । ସେହିପରି କଂଗ୍ରେସ ପକ୍ଷରୁ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ବାଚସ୍ପତି ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଗୁଡ଼ିକରେ ଆଲୋଚନା ପାଇଁ ଅନୁମତି ନଦେଲେ ବିରୋଧ ଜାରି ରହିବ । ଜବାବରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ, ପ୍ରସ୍ତାବ ମନ୍ଦ ନୁହେଁ, ସମସ୍ତେ ମାନିବା ଉଚିତ୍ । ଏବେ ଅପେକ୍ଷା ଡିସେମ୍ବର ୨୯ ସର୍ବଦଳୀୟ ବୈଠକରେ ବାଚସ୍ପତି, ଦେବାକୁ ଥିବା ପ୍ରସ୍ତାବ ଆଗାମୀ ଶୀତ ଅଧିବେଶନରେ କେତେ ଫଳପ୍ରଦ ହେଉଛି?

ରିପୋର୍ଟର- ହରିହର ଚାନ୍ଦ