• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିହାରରେ ଆଜିଠୁ ଆରମ୍ଭ ହେଉଛି ନୂଆ ମହାଗଠବନ୍ଧନ ସରକାର ପାର୍ଟ ଟୁ । ଆଜି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ଏହାସହିତ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଆ ତେଜସ୍ୱୀ ଯାଦବ ରାଜ୍ୟର ଉପମୁଖ୍ୟନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।ରାଜ୍ୟପାଳ ଫାଗୁ ଚୌହାନ୍‌ ରାଜଭବନରେ ଉଭୟ ନେତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ଶପଥ ଗ୍ରହଣ କରିବା ପରେ ତେଜସ୍ୱୀ ଯାଦବ ନୀତୀଶ କୁମାରଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି ।  ୨୨ ବର୍ଷ ମଧ୍ୟରେଅଷ୍ଟମ ଥର ପାଇଁ ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ  ହୋଇଛନ୍ତି । ୨୦୦୦ ମସିହାରେ ପ୍ରଥମେ ସେ ୭ଦିନ ପାଇଁ ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

 

ତେବେ ମନ୍ତ୍ରିମଣ୍ଡଳରେ କିଏ ସଦସ୍ୟ ରହିବ, ସେ ନେଇ ନିଷ୍ପତ୍ତି ନେବାକୁ ନୀତୀଶଙ୍କୁ ବିଶେଷ ଅଧିକାର ଦିଆଯାଇଛି । ସେପଟେ ବିଧାନସଭାର ବାଚସ୍ପତି ପଦ ତେଜସ୍ୱୀଙ୍କ ଦଳ ଆରଜେଡି ଭାଗରେ ପଡ଼ିବ ବୋଲି ଜଣାପଡ଼ିଛି । ନୀତୀଶଙ୍କ ନୂଆ ସରକାରରେ କଂଗ୍ରେସ ଓ ବାମ ଦଳର ସଦସ୍ୟ ବି ସାମିଲ ହେବେ ବୋଲି ସୂଚନା ମିଳିଛି ।

ଆଉ କେବେ କେବେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ . . 

ମାର୍ଚ୍ଚ, ୨୦୦୦ ମସିହାରେ ପ୍ରଥମେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କେନ୍ଦ୍ରରେ ବାଜପେୟୀଙ୍କ ସରକାର ବେଳେ ସେ ମୁଖ୍ୟମନ୍ତ୍ରୀ ସିନା ହୋଇଥିଲେ କିନ୍ତୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ପୂର୍ବରୁ ଛାଡ଼ିବାକୁ ପଡ଼ିଥିଲା ପଦବୀ । ୨୦୦୫ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର । ବିହାରରେ ଓବିସି ବର୍ଗଙ୍କ ମଧ୍ୟରେ ବେଶ୍ ପରିଚିତ ଥିବା ନୀତୀଶ ସେତେବେଳେ ସମସ୍ତଙ୍କ ପ୍ରଥମ ପସନ୍ଦ ଥିଲେ ।

ଏକଦା ଲାଲୁ ଯାଦବଙ୍କ ସାନ ଭାଇ ଭାବେ ପରିଚିତ ଥିବା ନୀତୀଶ, ୨୦୧୦ରେ ବିଜେପି ସହ ମେଣ୍ଟରେ ଲଢ଼ିଥିଲେ ନିର୍ବାଚନ । ସେତେବେଳେ ସ୍କୁଲ ଛାତ୍ରୀଙ୍କୁ ମାଗଣା ସାଇକେଲ୍ ବାଣ୍ଟି ବେଶ ଚର୍ଚ୍ଚାକୁ ଆସିଥିଲେ । ହେଲେ ୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁର ଖରାପ ପଦର୍ଶନ ଓ ମୋଦି କ୍ୟାମ୍ପେନ୍ କମିଟିର ମୁଖ୍ୟ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଥିଲେ । ସେ ନୀତୀଶ, କେବେ ଏପଟେ କେବେ ସେପଟେ । ଏହି ଥିଓରୀରେ ପୁଣିଥରେ ୨୦୧୫ରେ ଆରଜେଡି ଓ କଂଗ୍ରେସର ହାତ ଧରି ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଦୁଇ ବର୍ଷ ନଯାଉଣୁ ମହାମେଣ୍ଟ ସହ ଅଲଗା ହୋଇଥିଲେ ।

ଗତକାଲି ଭଳି ୨୦୧୭ରେ, ନୀତୀଶ କୁମାର ସକାଳେ ମହାମେଣ୍ଟରୁ ଇସ୍ତଫା ଦେଇ ସଂଧ୍ୟାରେ ବିଜେପି ଆଡ଼ୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୨୦ରେ ପୁଣି ଥରେ ବିଜେପି ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଉ ଆଜି ପୁଣି ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।