Advertisment

ଦାୟିତ୍ୱ ଗ୍ରହଣ ପରେ ନୂଆ ମନ୍ତ୍ରୀଙ୍କ ପ୍ରତି ଚ୍ୟାଲେଞ୍ଜ୍

ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୪ ନିର୍ବାଚନ ପାଇଁ ହାତରେ ଦୁଇ ବର୍ଷରୁ ବି କମ୍ ସମୟ ଥିବାରୁ ମନ୍ତ୍ରୀମାନେ କିଭଳି ନିଜ ନିଜ ବିଭାଗରେ ପାରଦର୍ଶିତା ଆଣିବେ ତା’ ଉପରେ ରହିବ ଫୋକସ୍।

author-image
Pramod Behera
ଅଦ୍ୟତନ ହୋଇଛି
New challenges for new ministers

New challenges for new ministers

ନୂଆ ମନ୍ତ୍ରୀ, ନୂଆ ଚ୍ୟାଲେଞ୍ଜ୍। ରବିବାର ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୪ ନିର୍ବାଚନ ପାଇଁ ହାତରେ ଦୁଇ ବର୍ଷରୁ ବି କମ୍ ସମୟ ଥିବାରୁ ମନ୍ତ୍ରୀମାନେ କିଭଳି ନିଜ ନିଜ ବିଭାଗରେ ପାରଦର୍ଶିତା ଆଣିବେ ତା’ ଉପରେ ରହିବ ଫୋକସ୍। ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ମହିଳା ମନ୍ତ୍ରୀ, କାରଣ ପ୍ରଥମ ଥର ଲାଗି ସର୍ବାଧିକ ୫ଜଣ ମହିଳାଙ୍କୁ ନବୀନ ନିଜ କ୍ୟାବିନେଟ୍‌ରେ ନେବା ସହ ସେମାନଙ୍କୁ ଓଜନିଆ ବିଭାଗ ବି ମିଳିଛି।

Advertisment

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ହୋଇଥିବା ପ୍ରମିଳା ମଲ୍ଲିକଙ୍କ ପାଇଁ ବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ବାଲି ଚୋରି, ଜମିଜମା ବିବାଦର ସମାଧାନ ବଡ଼ ଚ୍ୟାଲେଞ୍ଜ୍ ରହିବ। ନଗର ଉନ୍ନୟନ ବିଭାଗ ପାଇଥିବା ଊଷା ଦେବୀଙ୍କ ପାଇଁ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ମାଧ୍ୟମରେ ଜାଗା ଆବଣ୍ଟନ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବା ବଡ଼ ଆହ୍ୱାନ ହେବ।

ସେହିପରି ବିଭାଗ ବଦଳିଥିବା ଟୁକୁନି ସାହୁଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହେବ ଜଳ ସେଚନ ସମସ୍ୟାର ସମାଧାନ। ପ୍ରତି ବ୍ଲକ୍‌ରେ ୩୫ ପ୍ରତିଶତ ଜଳସେଚନ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ବି ତାହା ହୋଇପାରିନି। ଇନ୍‌ଷ୍ଟ୍ରିମ୍ ବ୍ୟାରେଜ୍‌ ନିର୍ମାଣ ସହିତ ଜଳସେଚନ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ୍‌ ହେବ।

Advertisment

ସେପଟେ ବାସନ୍ତି ହେମ୍ବ୍ରମଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ହେବ ମିଶନ ଶକ୍ତି ଲକ୍ଷ୍ୟ ପୂରଣ। SHGମାନଙ୍କୁ ାଗାମୀ ୫ବର୍ଷରେ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ୍‌ ଋଣ ଯୋଗାଇଦେବା ଓ ବିଭିନ୍ନ ବ୍ୟବସାୟ ମାଧ୍ୟମରେ ୬ ହଜାର କୋଟି ଟଙ୍କା ପ୍ରଦାନ କରିବା ବଡ଼ ଟାସ୍କ ରହିବ।

ସେହିପରି ଶିଳ୍ପ ଓ ଶକ୍ତି ବିଭାଗ ପାଇଥିବା ପ୍ରତାପ ଦେବଙ୍କ ଲାଗି ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ରହିବ ପାଓ୍ୱରକଟ୍ ସମସ୍ୟାର ସମାଧାନ, ତା’ ସହିତ ଶିଳ୍ପ ପାଇଁ ପୁଞ୍ଜି ଯୋଗାଡ଼ ଓ ନିଯୁକ୍ତି ସୃଷ୍ଟି। ତେଣେ ଧାନ ସଂଗ୍ରହ ଓ ଟୋକନ୍ ସମସ୍ୟା, ଚାଷୀଙ୍କୁ ଠିକ୍ ସମୟରେ ଋଣ ପ୍ରଦାନ ଏହି ପରୀକ୍ଷା ଦେଇ ଗତି କରିବେ ନୂଆ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚ ନାୟକ।

ଅନ୍ୟପଟେ କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ପାଇଁ ଚାଷୀଙ୍କ ଚିରାଚରିତ ସମସ୍ୟାଠାରୁ, କାଳିଆ ଯୋଜନାର ସଠିକ୍ କାର୍ଯ୍ୟକାରିତା ବଡ଼ ଚ୍ୟାଲଞ୍ଜ୍ ହେବ ବୋଲି କୁହାଯାଉଛି। ଏ ସମସ୍ତଙ୍କଠାରୁ ବଡ଼ ପରୀକ୍ଷା ଅପେକ୍ଷା କରିଛି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ। ପୁରୀ ଶ୍ରୀମନ୍ଦିରଠୁ ଆରମ୍ଭ କରି ଲିଙ୍ଗରାଜ, ଘଟଗାଁ ତାରିଣୀ ଭଳି ମନ୍ଦିରର ବିକାଶ ତଥା ସୌନ୍ଦର୍ଯ୍ୟକରଣ ତାଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେବାକୁ ଯାଉଛି।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ପାଇଁ ପ୍ରତି ଘରକୁ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ନବ ଦାସଙ୍କ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କ ଲାଗି ଅପହଞ୍ଚ ଇଲାକାକୁ ରାସ୍ତା ନିର୍ମାଣ ଓ ଶ୍ରମ ଶ୍ରୀକାନ୍ତ ସାହୁଙ୍କ ଲାଗି ଦାଦନ ସମସ୍ୟାର ସଫଳ ମୁକାବିଲା ବଡ଼ ଚ୍ୟାଲେଞ୍ଜ୍‌ ହେବ।

ସରକାରଙ୍କ ଫୋକସ୍‌ରେ ଥିବା ସ୍କୁଲ୍ ରୂପାନ୍ତୀକରଣରେ ଅଧିକ ସ୍କୁଲକୁ ସାମିଲ କରିବା, ଶିକ୍ଷକ ସମସ୍ୟା ଓ ପରୀକ୍ଷା ପରିଚାଳନା ମନ୍ତ୍ରୀ ସମୀର ଦାଶଙ୍କ ପାଇଁ ଆହ୍ୱାନ ଥିବାବେଳେ ନୂଆ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ପାଇଁ ନୂଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ କାର୍ଯ୍ୟକାରୀ କରାଇବା ପ୍ରଥମ ଚ୍ୟାଲେଞ୍ଜ୍ ହେବ। ଏସବୁ ବାଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ପାଇଥିବା ତୁଷାରକାନ୍ତି ବେହେରାଙ୍କ ଲାଗି ଚ୍ୟାଲେଞ୍ଜ୍‌ ରହିବ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା।

ଦେଖିବାର କଥା କେଉଁ ମନ୍ତ୍ରୀ କିଭଳି ଦକ୍ଷତାର ସହ ନିଜ ବିଭାଗର ପରିଚାଳନା କରୁଛନ୍ତି, ଆଉ ବିବାଦରେ ନରହି ଲୋକଙ୍କୁ ନିକଟରେ କିଭଳି ସେବା ପହଞ୍ଚାଉଛନ୍ତି।

Odisha News
Advertisment
Advertisment