• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ । ବିଜେଡି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଛି । ଏନେଇ ନିଜେ ଘୋଷଣା କରିଛନ୍ତି ନବୀନ । ସେହିପରି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଛି ଗୁରୁ ଦାୟିତ୍ୱ ।

ବିରୋଧୀ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ବିଧାୟକ ଦଳ ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି । ସେହିପରି ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

ପଢନ୍ତୁ ଏହି ଖବର: ଆଗରୁ ଅସୁସ୍ଥ ଲାଗୁଥିଲେ, ଏବେ ପୂରା ଫିଟ୍

ତେବେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ସାମ୍ନାରେ ଅନେକ ଆହ୍ୱାନ ଆସି ପହଞ୍ଚିଛି । ପ୍ରଶ୍ନ ଉଠୁଛି, ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ହେଲେ କେତେ ପ୍ରଭାବୀ ରହିବେ? କାରଣ ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଖୁବ୍ କମ୍ ବିଧାନସଭା ଆସୁଥିଲେ ନବୀନ । ଏଣୁ ଦଳ ଅନ୍ୟଜଣେ ଉପନେତାଙ୍କୁ ନିର୍ବାଚିତ କରିଥିବା ଆଲୋଚନା ହେଉଛି । ସୂଚନା ଅନୁସାରେ ଗତକାଲିଠୁ ଆରମ୍ଭ ହୋଇଛି ତିନି ଦିନିଆ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ।

ଗତକାଲି ପ୍ରଥମ ଦିନରେ ମୋଟ୍ ୧୦୨ ଜଣ ବିଧାୟକ ଶପଥ ନେଇଛନ୍ତି, ଯାହାଙ୍କ ଭିତରେ ଅଛନ୍ତି ୮୦ ନୂଆ ମୁହଁ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଶପଥପାଠ କରାଇଥିଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ଶପଥ ନେଇଥିଲେ। ଯେଉଁଥିରେ ସ୍ପଷ୍ଟ ବାରି ହେଉଥିଲେ ନୂଆ ଚେହେରା, ସାମ୍ନାକୁ ଆସୁଥିଲା ଗୋଟିଏ ଗୋଟିଏ ରୋଚକ ଦୃଶ୍ୟ । ୨୪ ବର୍ଷ ଧରି ଶାସକ ଦଳରେ ରହି ଆସିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ, ପ୍ରଥମ ଥର ଲାଗି ବିରୋଧୀ ବିଧାୟକ ଭାବେ ଆସିଥିଲେ ଗୃହକୁ ।

ପଢନ୍ତୁ ଏହି ଖବର: ୨୪ ବର୍ଷ ପରେ ବିରୋଧୀ ଦଳ ସିଟ୍‌ରେ ନବୀନ: ଲକ୍ଷ୍ମଣ ବାଗ୍‌ଙ୍କୁ ଦେଖି କହିଲେ...

ଷଷ୍ଠଥର ଲାଗି ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଥିଲେ ନବୀନ । ଶପଥ ପାଠ ପରେ ଗୃହ ଭିତରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ନବୀନ । କଣ୍ଟାବାଜି ଆସନରେ ନବୀନଙ୍କୁ ମାତ୍ ଦେଇଥିଲେ ଲକ୍ଷ୍ମଣ । ଉଭୟେ ପରସ୍ପରକୁ ନମସ୍କାର ହେବା ପରେ ଲକ୍ଷ୍ମଣ ନିଜ ପରିଚୟ ଦେଇଥିଲେ । ଆଉ ପରିଚୟ ପାଇ ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ହସି ହସି କହିଥିଲେ ‘ଓଃ ଆପଣ ତା ହେଲେ ମୋତେ ହରାଇଛନ୍ତି’।

ସେପଟେ ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ପ୍ରଥମ ଥର ପାଇଁ ବିଧାନସଭାକୁ ଏଣ୍ଟ୍ରି କରିଥିଲେ ମୋହନ ଚରଣ ମାଝୀ । ବିଧାୟକ ଭାବେ ଶପଥ ପାଠ ପରେ ବିଧାନସଭାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଚାମ୍ବରକୁ ଯାଇ ବିଧିବଦ୍ଧ ଦାୟିତ୍ୱ ସମ୍ଭାଳିଥିଲେ ମୋହନ । ସେହିପରି ଆସନ୍ତାକାଲି ହେବ ବାଚସ୍ପତି ନିର୍ବାଚନ । ଶାସକ ଦଳ ପକ୍ଷରୁ ପ୍ରାର୍ଥୀ ସ୍ପଷ୍ଟ ହୋଇନଥିଲେ ମଧ୍ୟ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାଁ ଆଗରେ ଥିବା କୁହାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now