ଗୁଣଗାନ ପରେ ବଢ଼ିଲା ଚର୍ଚ୍ଚା: ରାଜନୀତିରୁ ସନ୍ନ୍ୟାସ ପରେ ବି କାହିଁକି ପାଣ୍ଡିଆନ୍ ପ୍ରୀତି ?

ପୁଣି ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଲେ ନବୀନ। ପୂର୍ବରୁ କ୍ଲିନଚିଟ୍ ଦେଇଥିଲେ । ଆଉ ଆଜି ଢାଲ ହୋଇ ଛିଡ଼ା ହେଲେ। ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ଗୁଣ ଗାନ ବି କଲେ। 

Naveen Patnaik

ନବୀନଙ୍କ ପାଣ୍ଡିଆନ୍ ପ୍ରୀତି ! ପୁଣିଥରେ ପାଣ୍ଡିଆନ୍‌ଙ୍କ ସୁରକ୍ଷା ପାଇଁ ବାହାରିଲେ ବିଜେଡି ସୁପ୍ରିମୋ। କେବଳ ପ୍ରୋଟେକ୍ସନ ଦେଲେନି, ଗୁଣଗାନ ବି କରିଛନ୍ତି । ପାଣ୍ଡିଆନ ବିଜେଡିକୁ ଭାଙ୍ଗି ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ପାଇଁ ସେ ସହଯୋଗ କରିବେ ବୋଲି ବିଜେପି ନେତୃତ୍ୱକୁ ଜଣାଇଥିବା ଏକ ଜାତୀୟସ୍ତରର ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ଏ ଖବରକୁ ଖଣ୍ଡନ କରିଏଭଳି ପ୍ରତିକ୍ରିୟା ରଖିଛନ୍ତି ନବୀନ। ଅନ୍ୟପକ୍ଷରେଜାତୀୟ ଗଣମାଧ୍ୟମରେ ବିଜେପି-ବିଜେଡି ପୁଣି ନିବିଡ଼ ହେଉଥିବା ଖବରକୁ ଉଭୟ ଦଳ ଖଣ୍ଡନ କରିଛନ୍ତି।

ପୁଣି ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଲେ ନବୀନ। ପୂର୍ବରୁ କ୍ଲିନଚିଟ୍ ଦେଇଥିଲେ । ଆଉ ଆଜି ଢାଲ ହୋଇ ଛିଡ଼ା ହେଲେ। ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ଗୁଣ ଗାନ ବି କଲେ। ଖବରକୁ ନେଇ ନିରବ ରହିଲେ ପାଣ୍ଡିଆନ, ହେଲେ ନବୀନ ଓ ବିଜେଡି ରଖିଲା ସ୍ପଷ୍ଟୀକରଣ । ପାଣ୍ଡିଆନଙ୍କୁ ନେଇ ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କରି ଆଜି ନିଜ ସୋସିଆଲ ମିଡିଆ ହାଣ୍ଡେଲ-Xରେ କିଛି ଏମିତି ଲେଖିଛନ୍ତି ନବୀନ। ଲେଖିଛନ୍ତି, ପାଣ୍ଡିଆନ ଅତ୍ୟନ୍ତ ଉତ୍ସର୍ଗୀକୃତ, ସ୍ୱଚ୍ଛ ମନୋଭାବ ନେଇ ଦକ୍ଷତା ଓ ନିଷ୍ଠାର ସହ ରାଜ୍ୟ ପାଇଁ ଓ ଦଳ ପାଇଁ କାର୍ଯ୍ୟ କରିଛନ୍ତି। ଯେଉଁଥିପାଇଁ ସେ ରାଜ୍ୟରେ ଜଣାଶୁଣା ଓ ସମ୍ମାନିତ ମଧ୍ୟ। 

ବଡ଼ କଥା ପୂର୍ବରୁ ଗତ ଜୁନ୍ ୮ ତାରିଖରେ ମଧ୍ୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଥିଲେ ନବୀନ। ଯେତେବେଳେ ବିଜେଡିର ପରାଜୟ ପରେ ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ତେଜିଥିଲା। ବିଜେଡି ଛାତ୍ର ଓ ଯୁବର ଗୋଟିଏ ଗୋଷ୍ଠୀ ପାଣ୍ଡିଆନଙ୍କୁ ତୀବ୍ର ବିରୋଧ କରିଥିଲେ। ଶଙ୍ଖ ଭବନ ଭିତରେ ପଡିଥିଲା ପାଣ୍ଡିଆନ ବିରୋଧୀ ନାରା। ପାଣ୍ଡିଆନଙ୍କ ଉଚ୍ଚାଭିଳାଷ, ଦଳ ଭିତରେ ମନମାନି, ନେତାଙ୍କୁ ଅଣଦେଖା କରି ଦଳ ଏବଂ ସରକାରର କ୍ଷମତାକୁ ନିଜ ପାଖରେ ରଖିବା ପରାଜୟର କାରଣ ବୋଲି ଦାବି କରିଥିଲେ ନେତା।ସେତେବେଳେ ପରାଜୟର କାରଣ ପାଣ୍ଡିଆନ ନୁହେଁ ବୋଲି ଗଣମାଧ୍ୟମ ଆଗରେ ଖୋଲାଖୋଲି କହିଥିଲେ ନବୀନ। ପ୍ରଶ୍ନ ଉଠୁଛି କାହିଁକି ପାଣ୍ଡିଆନଙ୍କୁ ବାରମ୍ବାର ପ୍ରୋଟେକ୍ସନ ଦେଉଛନ୍ତି ନବୀନ। ନିଜ ଇଚ୍ଛା ମୁତାବକ ସେ ଏଭଳି କରୁଛନ୍ତି ନା ଏହା ନବୀନଙ୍କ ବାଧ୍ୟବାଧ୍ୟକତା ? ବଡ କଥା ହେଲା ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବା ପରେ ବି କାହିଁକି ତାଙ୍କ ବିରୋଧରେ ଅଭିଯୋଗ ଆସିଲେ ସାମ୍ନାକୁ ଆସୁଛନ୍ତି ନବୀନ?

ସାଧାରଣରେ ଚର୍ଚ୍ଚା ହେଉଛି ଏବେ ଦଳ ଭିତରେ ପାଣ୍ଡିଆନଙ୍କୁ ନେଇ ଏକ ବଡ଼ ଅସନ୍ତୋଷ ମୁଣ୍ଡ ଟେକିଛି। ଆଉ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଦଳ ଭିତରେ ପାଣ୍ଡିଆନ ବିରୋଧୀ ଅସନ୍ତୋଷକୁ ଆହୁରି ତେଜିଥାନ୍ତା। ନିର୍ଦ୍ଦିଷ୍ଟ ସମ୍ବାତ ପତ୍ରର ଖବର ଅନୁସାରେ ପାଣ୍ଡିଆନ ବିଜେଡିକୁ ଭାଙ୍ଗି ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ପାଇଁ ସେ ସହଯୋଗ କରିବେ ବୋଲି ବିଜେପି ନେତୃତ୍ୱକୁ ଜଣାଇଛନ୍ତି। ଏମିତି କି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପାଇଁ ପାଣ୍ଡିଆନ୍ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଜରିଆରେ ବାରମ୍ବାର ଚେଷ୍ଟା କରିଥିଲେ।ଏଥିପାଇଁ ସେ ଏକାଧିକ ଥର ଦିଲ୍ଲୀ ଗସ୍ତ କରିଥିଲେ ମଧ୍ୟ ସାକ୍ଷାତ ହୋଇପାରିନଥିଲା। 

ଅନ୍ୟପଟେ ରିପୋର୍ଟରେ ଏହା ବି ଉଲ୍ଲେଖ ରହିଛି, ବିଜେପି-ବିଜେଡି ମଧ୍ୟରେ ତିକ୍ତତା କମିଛି। ରାଜସଭାରେ ବିଜେପିକୁ ବିଜେଡିର ସମର୍ଥନ ଆବଶ୍ୟକତା ଥିବାରୁ ବିଜେଡି ଚାହୁଁଛି  ସମର୍ଥନ ବଦଳରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ପାଣ୍ଡିଆନଙ୍କୁ ଗୁରୁତ୍ୱ ନଦେଉ। ଏନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ ଆଲୋଚନା କରିଥିବା ବି ରିପୋର୍ଟରେ ପ୍ରକାଶ ପାଇଛି। କିନ୍ତୁ ଉଭୟ ବିଜେଡି ଓ ବିଜେପିର ନେତା ଏହି ଖବରକୁ ଖଣ୍ଡନ କରିଛନ୍ତି।

ଦିନକୁ ଦିନ ବିଜେଡି ଭିତରେ ପାଣ୍ଡିଆନ ବିରୋଧୀ ଅସନ୍ତୋଷ ତେଜିବାରେ ଲାଗିଛି। ଏମିତି କି ସମ୍ବିତ ରାଉତ, ଅରୁଣ ସାହୁ, ବଦ୍ରି ନାରାୟଣ ପାତ୍ର, ନୃସିଂହ ସାହୁ, ଅମର ଶତପଥୀଙ୍କ ଭଳି ନେତା ପରୋକ୍ଷରେ ପାଣ୍ଡିଆନଙ୍କୁ ପରାଜୟର କାରଣ ବୋଲି ଦର୍ଶାଇଥିଲେ। ଏମିତି ସ୍ଥିତିରେ ପାଣ୍ଡିଆନଙ୍କୁ ନବୀନଙ୍କ ସୁରକ୍ଷା ବିଜେଡି ପାଇଁ ବୁମେରାଂ ହେବ ନାହିଁ ତ ।