ଫାରୁକ୍‌ ଅବଦୁଲ୍ଲାଙ୍କ ବଡ଼ ଘୋଷଣା, ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବ NC

ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା J-K ନ୍ୟାସନାଲ କନଫରେନ୍ସର ସଭାପତି ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ସହ ମେଣ୍ଟ କରିବ ।

Farooq Abdullah

ଜାମ୍ମୁ-କାଶ୍ମୀର ନିର୍ବାଚନ ପୂର୍ବରୁ ଫାରୁକ୍‌ ଅବଦୁଲ୍ଲାଙ୍କ ବଡ଼ ଘୋଷଣା । ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ଘୋଷଣା କରିଛନ୍ତି ଫାରୁକ୍‌ ଅବଦୁଲ୍ଲା । ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା J-K ନ୍ୟାସନାଲ କନଫରେନ୍ସର ସଭାପତି ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ସହ ମେଣ୍ଟ କରିବ । ସେ କହିଛନ୍ତି ଯେ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ଏକତ୍ର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ ଏହି ମେଣ୍ଟର ବିଧିବଦ୍ଧ ଘୋଷଣା ସନ୍ଧ୍ୟାରେ କରାଯିବ ।

ଜାମ୍ମୁ-କାଶ୍ମୀରରେ ଅଗଷ୍ଟ ୨୦ରୁ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୭ ରହିଛି । ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ସେପ୍ଟେମ୍ବର ୧୮ରେ ଅନୁଷ୍ଠିତ ହେବ । ଯେଉଁଥିରେ ୨୪ଟି ବିଧାନସଭା ଆସନ ପାଇଁ ଭୋଟି ଗ୍ରହଣ ହେବ। ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

ସେପ୍ଟେମ୍ବର ୧୮ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ସେଥିମଧ୍ୟରୁ ୧୬ଟି ସିଟ୍ କାଶ୍ମୀର ଉପତ୍ୟକାରୁ ଥିବାବେଳେ ବାକି ୮ଟି ସିଟ୍ ଜାମ୍ମୁ ଅଞ୍ଚଳର । ତେବେ ଆଗାମୀ ଦିନେ, ଦୁଇ ଦିନ ମଧ୍ୟରେ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିପାରିନ୍ତି । ସୂଚନା ଅନୁସାରେ ୩ଟି ପର୍ଯ୍ୟାୟରେ ଜାମ୍ମୁ-କାଶ୍ମୀର ବିଧାନସଭା ପାଇଁ ଭୋଟିଂ ହେବ । ତେବେ ଆସନ୍ତା ଅକ୍ଟୋ‍ବର ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

୨୦୧୪ ପରେ ଜାମ୍ମୁ କାଶ୍ମୀରରେ ଏହା ପ୍ରଥମ ବିଧାନସଭା ନିର୍ବାଚନ । ୨୦୧୪ରେ ଜାମ୍ମୁ-କାଶ୍ମୀରରେ ୮୭ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ଏଥିରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ୨୮ଟି ଆସନ ଜିତି ସର୍ବ ବୃହତ ଦଳ ଭାବରେ ଉଭା ହୋଇଥିଲା। ସେହିପରି ବିଜେପି ୨୫, ନ୍ୟାସନାଲ କନଫରେନ୍ସ ୧୫ ଓ କଂଗ୍ରେସ ୧୨ଟି ଆସନରେ ବିଜୟଲାଭ କରିଥିଲା । ନିର୍ବାଚନ ଫଳାଫଳରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ପାଇ ପାରିନଥିଲା । ନିର୍ବାଚନ ଫଳାଫଳ ଘୋଷଣା ପରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନିତ ଦଳ ପିଡିପି ଏବଂ ବିଜେପି ମେଣ୍ଟ ସରକାର କରିଥିଲେ ।