Advertisment

୪ ରାଜ୍ୟରେ ବିଜେପିର ବାଜିମାତ୍‌ ପରେ ଓଡ଼ିଶାରେ ଚାଲିବ କି ମୋଦି ମ୍ୟାଜିକ୍‌ ?

୨୦୨୨ର ପ୍ରଥମ ବାଜିକୁ ୪-୧ରେ ଜିତିନେଲା ବିଜେପି । ୫ ରାଜ୍ୟରୁ ୪ ରାଜ୍ୟରେ ପଦ୍ମ ଛାଇ ଯିବା ପରେ ପୁଣି ମୋଦି ମ୍ୟାଜିକ୍‌କୁ ନେଇ ଚର୍ଚ୍ଚା । ଆଗକୁ ଓଡ଼ିଶାରେ ପଡ଼ିବ କି ମୋଦି ଯାଦୁର ପ୍ରଭାବ? ରାଜ୍ୟ ବିଜେପି ଏହାକୁ ନେଇ ବେଶ୍ ଆଶାବାଦୀ ଥିଲା ବେଳେ, ବିଜେଡି କହିଛି ଆଞ୍ଚଳିକ ସ୍ତରରେ ଜାତୀୟ ଷ୍ଟ୍ରାଟେଜି କାମ କରିବନି । ସେପଟେ କଂଗ୍ରେସର କହିବା କଥା ବିଜେପି ବିଜୟର ପ୍ରଭାବ ବିଜେଡି ଉପରେ ପଡିବ ।

modi Impact

modi Impact

Advertisment

ପଶ୍ଚିମବଙ୍ଗ ଝଟକା ପରେ ପୁଣି ଲେଉଟିଲା ମୋଦି ମ୍ୟାଜିକ୍ । ଖାଲି ଲେଉଟିଲାନି, ରାଜନୀତିର କ୍ରିକେଟ୍ ଫିଲ୍ଡରେ ଯାଦୁ ଚାଲିଲା ଆହୁରି ଜବରଦସ୍ତ । ମ୍ୟାଚ୍ ସହଜ ନଥିଲା ସାମ୍ନାରେ ଚାଷୀ ଆନ୍ଦୋଳନ ଥିଲା, ବେରୋଜଗାରୀ ଥିଲା, ଦରବୃଦ୍ଧି ଭଳି ତମାମ ଜାତୀୟ ଓ ସ୍ଥାନୀୟ ପ୍ରସଙ୍ଗ ବି ଥିଲା । ହେଲେ ତା ସତ୍ତ୍ୱେ ବି ୨୨ର ପ୍ରଥମ ମ୍ୟାଚ୍‌ରେ ୪ ଜୋରଦାର ଚୌକା । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ୫ ରାଜ୍ୟରୁ ମିସ୍ ହେଲା କହିଲେ କେବଳ ପଞ୍ଜାବ । ଆଉ ବିଜୟ ପରେ ପରେ ଇସାରା ଇସାରାରେ ପଲିଟିକାଲ୍ ଜ୍ଞାନୀଙ୍କ କଥା କହି ମୋଦି ମଧ୍ୟ କହିଦେଲେ, ୨୨ର ଏଫଳ ୨୪ ସାଧାରଣ ନିର୍ବାଚନର ସଂକେତ ।

Advertisment

ତମାମ୍ ପ୍ରତିକୂଳତା ସତ୍ତ୍ୱେ ୪ ରାଜ୍ୟରେ ଗେରୁଆ ବାନା ଉଡ଼ିବା ଏବଂ ବିଜେପିର ବିଜୟ ରଥ ଆଗକୁ ବି ଗଡ଼ିବାର ଇସାରା ପରେ, ସଦ୍ୟ ପଞ୍ଚାୟତ ନିର୍ବାଚନ ଝଟକା ପାଇଥିବା ରାଜ୍ୟ ବିଜେପି ଶିବିରିରେ ବେଶ୍ ଉତ୍ସାହ । ଏପରିକି ୪ ରାଜ୍ୟ ବିଜୟର ପ୍ରଭାବ ବିଶେଷକରି ରାଜ୍ୟର ସହରାଞ୍ଚଳରେ ପ୍ରତିଫଳନ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖିଆ ସମୀର ମହାନ୍ତି । ହେଲେ ବିଜେଡି କହିଛି ଯେ, ବିଜେପିର ଏ ବିଜୟ ୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ କିଛି ବି ପ୍ରଭାବ ପକାଇବନି ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ଜାତୀୟ ସ୍ତରର ଷ୍ଟ୍ରାଟେଜି ଆଞ୍ଚଳିକସ୍ତରରେ କାମ କରିବନି ।

ତେବେ ଅନ୍ୟ ରାଜ୍ୟ ଭଳି ଏଠି ବି ଅସ୍ତିତ୍ୱ ସଂକଟରେ ଥିବା କଂଗ୍ରେସ କହିଛି । ଏହି ନିର୍ବାଚନ ଫଳାଫଳର ପ୍ରଭାବ ଆମ ଉପରେ ନୁହଁ ବିଜେଡି ଉପରେ ପଡ଼ିବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ଏପରିକି ଏଠି କଂଗ୍ରେସ ପାଇଁ କଂଗ୍ରେସ ହାରୁଛି ବୋଲି କହିବାକୁ ପଛାଇ ନାହାନ୍ତି ବିଧାୟକ ତାରା ବାହିନୀପତି ।

Advertisment

ସେପଟେ ରାଜନୈତିକ ସମୀକ୍ଷକ ରବି ଦାସଙ୍କ ମତରେ ଅନ୍ୟ ରାଜ୍ୟରେ ସଫଳତା ସତ୍ତ୍ୱେ ଏଠି ବିଜେପିକୁ କିନ୍ତୁ ବହୁବାଟ ଯିବାକୁ ବାକି ଅଛି । ୪ ରାଜ୍ୟର ସଫଳତାକୁ ପୁଞ୍ଜି କରି ଆଗକୁ ବଢ଼ିବାକୁ ଚାହୁଁଥିବା ରାଜ୍ୟ ବିଜେପି ପାଖରେ ସଂଗଠନକୁ ବୁଥ୍ ସ୍ତରରୁ ସକ୍ରିୟ କରିବା, ପୂର୍ବ ତ୍ରୁଟିରୁ ଶିଖିବା, ଲୋକଙ୍କ ସମସ୍ୟା ଜଡ଼ିତ ପ୍ରସଙ୍ଗକୁ ଛୁଇଁ ଶାସକ ଦଳ ସହ ଲଢ଼ିବାକୁ ଆଗ ମାନସିକ ସ୍ତରରେ ପ୍ରସ୍ତୁତ ହେବା ହିଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ।

ରିପୋର୍ଟର- ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଓ ସୌମ୍ୟରଞ୍ଜନ ସାହୁ

Municipal Elections 2022 BJP Effect
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ