ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି

ଭୁବନେଶ୍ୱର ମହାନଗର ନିଗମର ମଙ୍ଗ ଏବେ ମହିଳାଙ୍କ ହାତରେ । ପ୍ରଥମେ ମେୟର ତାପରେ ଡେପୁଟି ମେୟର, କଟକ ପରେ ଭୁବନେଶ୍ୱରରେ ବିଜେଡ଼ିର ସରପ୍ରାଇଜ୍ କାର୍ଡ । ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି ।

Deputy Mayor

କଟକ ପରେ ଭୁବନେଶ୍ୱରରେ ବି ଡେପୁଟି ମେୟର ପଦ ଲାଗି ବସ୍ତିକୁ ଗୁରୁତ୍ୱ । ବିଜେଡି ଫୋକସ୍‌ରେ ମହିଳା । ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମଞ୍ଜୁଲତା କହଁର । ଅପରପକ୍ଷେ ନବ ନିର୍ବାଚିତ ମେୟର ଓ କର୍ପୋରେଟରମାନେ ଆଜି ଶପଥ ଗ୍ରହଣ କରିଛନ୍ତି ।ଏଥର ବିରୋଧୀଙ୍କ ସଂଖ୍ୟା ବଢିଥିବାରୁ ଶାସକ ଦଳକୁ ହରଡ଼ ଘଣାରେ ପକାଇବା ଲାଗି ବିଭିନ୍ନ ପ୍ରସଙ୍ଗ ସହ ତୟାରି ଆରମ୍ଭ କଲେଣି ବିରୋଧୀ । ସେପଟେ ସମସ୍ତଙ୍କୁ ନେଇ କାମ କରିବେ ବୋଲି କହିଛନ୍ତି ଭୁବନେଶ୍ୱରର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ।

ଭୁବନେଶ୍ୱର ମହାନଗର ନିଗମର ମଙ୍ଗ ଏବେ ମହିଳାଙ୍କ ହାତରେ । ପ୍ରଥମେ ମେୟର ତାପରେ ଡେପୁଟି ମେୟର, କଟକ ପରେ ଭୁବନେଶ୍ୱରରେ ବିଜେଡ଼ିର ସରପ୍ରାଇଜ୍ କାର୍ଡ । ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି । ୨୨ ନମ୍ବର ୱାର୍ଡର ଅନୁସୂଚିତ ଜନଜାତି ବର୍ଗର କର୍ପୋରେଟର ମଞ୍ଜୁଲତା କହଁରଙ୍କୁ ଦଳ ଡେପୁଟି ମେୟର କରିଛି ।

ସକାଳ ୧୦ଟାରେ ମଞ୍ଜୁଲତା ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ସେ ହିଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ୨୭ ବର୍ଷିୟା । ମଞ୍ଜୁଲତା ଭରତପୁର ଅଞ୍ଚଳରେ ରୁହନ୍ତି ସେ ରାଜନୀତି ବିଜ୍ଞାନରେ ପିଜି କରିଛନ୍ତି । ପ୍ରଥମଥର ଲାଗି ବିଜେଡି ଟିକେଟରୁ କର୍ପୋରେଟର ଭାବେ ବିଜୟୀ ହେବା ପରେ ଡେପୁଟି ମେୟର ପଦ ବି ପାଇଛନ୍ତି । ଭୁବନେଶ୍ୱରର ବିକାଶ ଲାଗି ପ୍ରଚେଷ୍ଟା କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମଞ୍ଜୁଲତା ସେପଟେ ଡେପୁଟି ମେୟର ପଦ ଲାଗି ଆଶାୟୀ ଥିବା କର୍ପୋରେଟରଙ୍କ ମନରେ ଅସନ୍ତୋଷ ଭାବ ଥିଲେ ବି ଦଳର ନିଷ୍ପତ୍ତିକୁ ସ୍ୱୀକାର କରିଥିବା କହିଛନ୍ତି ।

 

ଡେପୁଟି ମେୟର ନିର୍ବାଚନ ପୂର୍ବରୁ ସକାଳ ସାଢେ ୯ଟାରେ ପ୍ରଥମେ ମେୟର ଓ ପରେ ୬୭ ଜଣ କର୍ପୋରେଟରଙ୍କୁ ଶପଥପାଠ କରାଇଥିଲେ । ପୌର ପ୍ରଶାସକ ନିର୍ବାଚିତ ପ୍ରତିନିଧିଙ୍କୁ ସ୍ୱାଗତ କରିବା ଲାଗି ପୁରା ବିଏମ୍‌ସି କାର୍ଯ୍ୟାଳୟ ସୁସଜ୍ଜିତ କରଯାଇଥିଲା । ଅନ୍ୟପଟେ ମେୟରଙ୍କ ପାଇଁ ଚାଲେଞ୍ଜ ବି ଅନେକ ତିନି ମାସ ପରେ ବର୍ଷା ଦିନ ଆସିବାକୁ ଥିବାବେଳେ ଜଳବନ୍ଦୀ ସମସ୍ୟାକୁ କମ୍ ଦିନ ଭିତରେ କିପରି ଦୂର କରିବେ ।

ଗତ ବର୍ଷ ଖୋଲା ଡ୍ରେନ୍‌ରେ ଜଣେ ଛାତ୍ର ଭାସିଯାଇ ମୃତ୍ୟୁ ମୁଖରେ ପଡିଥିଲେ । ମାତ୍ର ଏଯାଏ ସବୁ ଡ୍ରେନ୍ କଭର ହୋଇପାରିନି । ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଚନ୍ଦକା ଡମ୍ପିଂ ୟାର୍ଡ ଏଯାଏ ସ୍ଥାପିତ ହୋଇପାରିନି । ବସ୍ତିବାସିନ୍ଦାଙ୍କୁ ଥଇଥାନ ଲାଗି ପ୍ରତିଶ୍ରୁତି ଦେଇ ଦଳ ଭୋଟ ହାତେଇଛି । କିନ୍ତୁ ଏଯାଏ ବସ୍ତି ବାସିନ୍ଦାଙ୍କ ଥଇଥାନ୍ ଲାଗି ଆପାର୍ଟମେଣ୍ଟ ନିର୍ମାଣ କାମ ସମ୍ପୂର୍ଣ ହୋଇପାରିନି । ସେହିପରି ସ୍ମାର୍ଟସିଟି ପ୍ରୋଜେ ବି ଅଧପନ୍ତରିଆ ରହିଛି । ଏଥରେ କର୍ପୋରେସନରେ ବିଜେପିର ୧୦ କର୍ପୋରେଟର ଅଛନ୍ତି ଏସବୁ ପ୍ରସଙ୍ଗକୁ ନେଇ ମେୟରଙ୍କୁ ଅକଳରେ ପକାଇପାରନ୍ତି ।

ପ୍ରାୟ ସାଢେ ତିନି ବର୍ଷ ବିଳମ୍ବରେ ବିଏମ୍ସି ନିର୍ବାଚିତ ସଦସ୍ୟଙ୍କୁ ପାଇଛି । ଏଥର କର୍ପୋରେସନରେ ବିରୋଧୀଙ୍କ ସଂଖ୍ୟା ବି ବଢିଛି । ତେବେ ଲୋକଙ୍କୁ ପାଖରେ ମୌଳିକ ସୁବିଧା କେତେ ସୁବିଧାରେ ମିଳିପାରୁଛି ତାଉପରେ ନଜର ।

ରିପୋର୍ଟର- ସୌମ୍ୟରଞ୍ଜନ ସାହୁ ଓ ଜଗଦୀଶ ଦାସ