Astrospeak
  • Live TV
  • Read In English

ଭୋଟ୍ ବିଭାଜନ ବିଜେଡି ପାଇଁ କାଳ ହେଲା କି?

ସଚେତନତା ସାଙ୍ଗକୁ ବୁଦ୍ଧିମତାର ପରିଚୟ ଦେଇଛନ୍ତି ସହରୀ ଭୋଟର। ଯାହାଦ୍ୱାରା ଅନେକ ପୌର ପରିଷଦରେ ଶାସକ ଦଳର ପ୍ରାର୍ଥୀ ଅଧିକ ସଂଖ୍ୟକ କାଉନ୍‌ସିଲର ପଦ ଜିତିଥିଲେ ବି କେତେକ ଜାଗାରେ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିରୋଧୀ ନହେଲେ ସ୍ୱାଧୀନ କ୍ୟାଣ୍ଡିଡେଟ୍।

Is it time for the BJP to split the vote?
ଭୋଟ୍ ବିଭାଜନ ବିଜେଡି ପାଇଁ କାଳ ହେଲା କି?

ସଚେତନତା ସାଙ୍ଗକୁ ବୁଦ୍ଧିମତାର ପରିଚୟ ଦେଇଛନ୍ତି ସହରୀ ଭୋଟର। ଯାହାଦ୍ୱାରା ଅନେକ ପୌର ପରିଷଦରେ ଶାସକ ଦଳର ପ୍ରାର୍ଥୀ ଅଧିକ ସଂଖ୍ୟକ କାଉନ୍‌ସିଲର ପଦ ଜିତିଥିଲେ ବି କେତେକ ଜାଗାରେ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିରୋଧୀ ନହେଲେ ସ୍ୱାଧୀନ କ୍ୟାଣ୍ଡିଡେଟ୍। ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଏନ୍‌ଏସିକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏଠୁ ଚେୟାରମ୍ୟାନ୍ ପଦରେ ବସିବାକୁ ଭୋଟରଙ୍କ ଅଧିକ ଆସ୍ଥାଭାଜନ ହୋଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ଆରତୀ ପ୍ରଧାନ।

ସବୁଠାରୁ ବଡ଼କଥା ହେଲା ଏଠିକାର ମୋଟ୍ ୧୩ କାଉନସିଲର୍ ପଦରୁ ବିଜେଡି ୮ଟିରେ ବାଜିମାତ୍ କରିଥିଲେ ବି ଚେୟାରମ୍ୟାନ୍‌ ପଦ ପାଇଁ କିନ୍ତୁ ଭୋଟର ଶଙ୍ଖ ଛା଼ଡ଼ି ନଟୁ ଚିହ୍ନକୁ ଅଧିକ ଭରସା କରିଛନ୍ତି। ଯଦି ଏଠି ସିଧାସଳଖ ପୌରାଧ୍ୟକ୍ଷ ନିର୍ବାଚନ ହୋଇ ନଥାନ୍ତା, ତାହାଲେ ଅନାୟସରେ ବିଜେଡି ଖାତାକୁ ଯାଇଥାନ୍ତା ଏହି ପଦ। ସେମିତି ଦଶପଲ୍ଲା, ଭଦ୍ରକ, ନୂଆପଡ଼ା, ସୁନାବେଡ଼ା, ବରପାଲି ଓ ବରଗଡ଼ ଆଦି ସ୍ଥାନରେ ବି ପୌରାଧ୍ୟକ୍ଷ ପଦ ଜିତିବାରେ ଦେଖିବାକୁ ମିଳିଛି ନିର୍ଦ୍ଦଳୀୟଙ୍କ ଦବଦବା।

ସେମିତି ଅଧିକ କାଉନସିଲର୍ ବିଜେଡିରୁ ଜିତିଥିଲେ ବି ଧର୍ମଗଡ଼, ଜୁନାଗଡ଼, କେନ୍ଦୁଝର, ରମ୍ଭା, ଛତ୍ରପୁର, ଉଦଳା ଓ ଢେଙ୍କାନାଳ ଆଦି ସ୍ଥାନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ପୌରାଧ୍ୟକ୍ଷ ପଦରେ ହୋଇଛି ବାଜିମାତ୍। ଉଦାହରଣ ସ୍ୱରୂପ ଢେଙ୍କାନାଳ ଏନ୍‌ଏସି ମୋଟ୍ ୨୩ କାଉନସିଲର୍ ପଦରୁ ବିଜେଡି ୧୩ଟି ଜିତିଛି, ହେଲେ ଚେୟାରମ୍ୟାନ୍ ହୋଇଛନ୍ତି ବିଜେପି ପ୍ରାର୍ଥିନୀ ଜୟନ୍ତୀ ପାତ୍ର।

ସେହିପରି ବିଜେଡି ଗଡ଼ ଜଗତସିଂହପୁରରେ ଅଧ୍ୟକ୍ଷ ପଦ ଅକ୍ତିଆର କରିଛି କଂଗ୍ରେସ। ଏଠୁ ପୌରାଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି ଅର୍ଚ୍ଚନା ସିଂ। ବେଲପାହାଡ଼, ଖଡିଆଳ, କଣ୍ଟାବାଂଝି, ଦିଗପହଣ୍ଡି, କୋଟପାଡ଼ ଓ ଜୟପୁର ଆଦି ସ୍ଥାନରେ ବି ଶାସକ ଦଳର ଚକ୍ରବ୍ୟୁହକୁ ଭେଦକରି ଚେୟାରମ୍ୟାନ୍ ପଦ ଦଖଲ କରିଛି କଂଗ୍ରେସ।

ପାରାଦୀପରେ ଦେଖିବାକୁ ମିଳିଛି ରୋଚକ ଫଳ। ଏଠି ବାପି ସର୍ଖେଲଙ୍କ ସଂଗଠନ ଆମ ପାରାଦୀପ ଆମ ପ୍ରଗତି ସମୁଦାୟ ୧୯ରୁ ୮ଟି ଓ୍ୱାର୍ଡରେ ଜିତିଥିବା ବେଳେ ବିଜେଡି ୭ଟି ଓ୍ୱାର୍ଡରେ ଜିତାପଟ ହାସଲ କରିପାରିଛି। ବିଜେପି ୩ଟି ଓ କଂଗ୍ରେସ ଗୋଟିଏ ଓ୍ୱାର୍ଡ ଦଖଲ କରିପାରିଛି। ତେବେ ଅଧ୍ୟକ୍ଷ ଆସନ ଯାଇଛି ବିଜେଡି ଖାତାକୁ।

ତେବେ ଏଠି ପ୍ରଶ୍ନ ଉଠେ ଯେ ଶାସକ ଦଳର ଦବଦବା ସତ୍ତ୍ୱେ କେମିତି ଏତେ ସଂଖ୍ୟକ ପୌର ପରିଷଦରେ ଚେୟାରମ୍ୟାନ୍ ପଦ ହାତେଇ ପାରିଲେ ବିରୋଧୀ ଓ ସ୍ୱାଧୀନ ପ୍ରାର୍ଥୀ ? କାହିଁକି ହେଲା ଭୋଟ୍ ବିଭାଜନ? ଏହା ବିଜେଡି ଭିତରେ ଥିବା ଅନ୍ତଃଦ୍ୱନ୍ଦ୍ୱର କାରଣ କି ? ନା ଭିତରେ ଭିତରେ ଭୋଟରଙ୍କ ମନରେ କୁହୁଳୁଥିବା ଅସନ୍ତୋଷର ପ୍ରତିଫଳନ?

ବିଜେପି କହିଛି ଯେ ପୌର ଫଳାଫଳରୁ ବିଜେଡି କନ୍ଦଳ ପଦାରେ ପଡ଼ିଛି, ଯାହାର ଫାଇଦା ଆଗକୁ ମଧ୍ୟ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯିବ। ସେହିପରି କଂଗ୍ରେସ କହିଛି, ବିଜେଡିର କାଉନ୍‌ସିଲର୍‌ ଓ ଚେୟାରମ୍ୟାନ୍‌ ପ୍ରାର୍ଥୀଙ୍କ ମଧ୍ୟରେ ତାଳମେଳର ଅଭାବ ସାଙ୍ଗକୁ ସେମାନଙ୍କ ଅହଂଙ୍କାରର ଜନତା ଜବାବ ଦେଇଛନ୍ତି। ବିଜେଡି ବି ଭୋଟ୍ ବିଭାଜନ କଥାକୁ ସ୍ୱୀକାର କରିଥିଲେ ବି ସହରୀ ଭୋଟର ବିଜେଡି ପ୍ରତି ବିମୁଖ ହୋଇ ନଥିବା କହିଛି।