Advertisment

ପୌର ଲଢେଇରେ ବାଜି ମାରିନେଲା ବିଜେଡି

ପୌର ଫାଇଟ୍‌ରେ ବି ବିଜେଡିର ବାଜିମାତ। ମୋଟ ୧୦୫ ମ୍ୟୁନିସିପାଲିଟି ଓ ଏନ୍ଏସି ଫଳାଫଳରେ ପ୍ରାୟ ୭୦ ପ୍ରତିଶତ ଅଧ୍ୟକ୍ଷ ପଦବୀ ଯାଇଛି ବିଜୁ ଜନତା ଦଳ ଖାତାକୁ।

BJD won everywhere in municipality election

BJD won everywhere in municipality election

Advertisment

ପୌର ଫାଇଟ୍‌ରେ ବି ବିଜେଡିର ବାଜିମାତ। ମୋଟ ୧୦୫ ମ୍ୟୁନିସିପାଲିଟି ଓ ଏନ୍ଏସି ଫଳାଫଳରେ ପ୍ରାୟ ୭୦ ପ୍ରତିଶତ ଅଧ୍ୟକ୍ଷ ପଦବୀ ଯାଇଛି ବିଜୁ ଜନତା ଦଳ ଖାତାକୁ। ଦଳ ୭୩ଟି ପୌରାଧ୍ୟକ୍ଷ ଆସନ ଜିତିଥିବା ବେଳେ, ୧୬ଟି ବିଜେପି, ୭ଟି କଂଗ୍ରେସ ଓ ୯ଟି ସ୍ୱାଧୀନ ପ୍ରାର୍ଥୀଙ୍କ ପାଖକୁ ଯାଇଛି ଅର୍ଥାତ ମୋଟ୍ ଅଧ୍ୟକ୍ଷ ପଦବୀରୁ ବିଜେଡି ୬୯.୫୨ ପ୍ରତିଶତ, ବିଜେପି ୧୫.୨୩ ପ୍ରତିଶତ, କଂଗ୍ରେସ ୬.୬୬ ପ୍ରତିଶତ ହାସଲ କରିଛି। ସ୍ୱାଧୀନ ପ୍ରାର୍ଥୀ ପାଇଛନ୍ତି ୮.୫୭ ପ୍ରତିଶତ ସିଟ୍।

Advertisment

ଗତ ନିର୍ବାଚନରେ ୧୦୨ ପୌରସଂସ୍ଥା ମଧ୍ୟରୁ ବିଜେଡି ୮୦, ବିଜେପି ମାତ୍ର ୩ ଓ କଂଗ୍ରେସ ୧୩ଟି ପୌରାଧ୍ୟକ୍ଷ ଆସନ ହାତେଇଥିଲା। ସେ ଦୃଷ୍ଟିରୁ ଦେଖିଲେ ଏଥର ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି। ଚଳିତ ବର୍ଷ ବ୍ରହ୍ମପୁର ମହାନଗର ନିଗମର ୩ଟି ୱାର୍ଡକୁ ମିଶାଇ ରାଜ୍ୟର ମୋଟ ୬୧ଟି ୱାର୍ଡରେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ସେହିପରି ରେମୁଣା, ବିଜେପୁର, ଚାନ୍ଦବାଲି ଓ ଧାମନଗର ଏନ୍ଏସି ମାନ୍ୟତା ପାଇବା ପରେ ପ୍ରଥମ ଥର ଲାଗି ଭୋଟ୍ ହୋଇଛି। ତେବେ ଧାମନଗର ଏନ୍ଏସିରେ ମତଦାନ ବେଳେ ହିଂସାକାଣ୍ଡ ହୋଇଥିବାରୁ ସେଠାରେ ଗଣତି ହୋଇ ନାହିଁ।

ବହୁ ବିଜେଡି ହେଭିୱେଟ୍‌ଙ୍କ ଗଡ଼ରେ ବି ଫୁସୁକି ଯାଇଛି ଶଙ୍ଖ। ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ଛତ୍ରପୁର, କୋଦଳା ଓ ରମ୍ଭା ଏନ୍ଏସିରେ ବି ପଦ୍ମ ଫୁଟିଛି। ଛତ୍ରପୁରରେ ଶର୍ମିଷ୍ଠା ପ୍ରଧାନ, କୋଦଳାରେ ସୂର୍ଯ୍ୟ ନାରାୟଣ ନାୟକ ଓ ରମ୍ଭାରେ ୨୨ ବର୍ଷୀୟା ମାନସୀ ସ୍ୱାଇଁ ପୌରାଧ୍ୟକ୍ଷ ପଦ ଜିତିଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ହୋମ୍‌ଗ୍ରାଉଣ୍ଡ ଦିଗପହଣ୍ଡି ଏନ୍ଏସିରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ବିଜୟୀ ହୋଇଛନ୍ତି।

Advertisment

ଗଞ୍ଜାମ ଓ ପୁରୁଷୋତ୍ତମପୁର ଏନ୍ଏସିରେ ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢ଼ୀ ଓ ୨୩ ବର୍ଷୀୟା ପ୍ରିୟଙ୍କା ଗୌଡ଼ ଜିତିଛନ୍ତି। ତେଣେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏରିଆ କଳାହାଣ୍ଡିର ଜୁନାଗଡ଼ ଓ ଧର୍ମଗଡ଼ ଏନ୍ଏସିରେ ବି ବିଜୟର ସ୍ୱାଦ ଚାଖିଛନ୍ତି ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରୱାଲ ଓ ଅଶୋକ ମହାନ୍ତି। ନୀଳଗିରି ଓ ପାରଳାଖେମୁଣ୍ଡି ଭଳି ବିଭିନ୍ନ ଏନ୍ଏସି ଓ ମ୍ୟୁନିସିପାଲିଟିରେ ବହୁ ସ୍ୱଳ୍ପ ବୟସ୍କ ପ୍ରାର୍ଥୀଙ୍କ ହାତରେ ଭୋଟର୍ କ୍ଷମତା ଡୋରି ସମର୍ପି ଥିବାବେଳେ, ନବରଙ୍ଗପୁର ଉମରକୋଟରେ ୩ ପ୍ରମୁଖ ପ୍ରାର୍ଥିନୀଙ୍କ ବୟସ ୨୩ ଓ ୨୪ ବର୍ଷ ଥିଲା। ସେମାନଙ୍କ ମଧ୍ୟରୁ ବିଜେଡିର ୨୪ ବର୍ଷୀୟା ରାଧା ଭତ୍ରା ବିଜୟୀ ହୋଇଛନ୍ତି।

ପୌର ନିର୍ବାଚନରେ ବିଜୟ ପରେ ବିଭିନ୍ନ ସ୍ଥାନରେ ଉତ୍ସବମୁଖର ପରିବେଶ ଦେଖାଦେଇଛି। ପରସ୍ପରକୁ ମିଠା ଖୁଆଇ, ନାଚି ଗାଇ ଖୁସି ମନାଇଛନ୍ତି ବିଜୟୀ ପ୍ରାର୍ଥୀ, ଦଳୀୟ ନେତା ଓ ସମର୍ଥକ। ତେବେ ଏ ଭିତରେ ସୁବର୍ଣ୍ଣପୁରରରେ ଜଣେ କାଉନ୍‌ସିଲର ବନ୍ଧୁକ ଫୁଟାଇ ସେଲିବ୍ରେସନ୍ କରିବା ପରେ ବିବାଦ ତେଜିଛି।

Advertisment

ସୋନପୁର ପୌର ପରିଷଦର ୯ ନମ୍ବର ଓ୍ୱାର୍ଡର ବିଜୟୀ ବିଜେଡି କାଉନ୍‌ସିଲର କଇରୁ ସ୍ୱାଇଁଙ୍କ ଔଦ୍ଧତ୍ୟପୂର୍ଣ୍ଣ ତଥା ବିପଜ୍ଜନକ କାଣ୍ଡକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ବନ୍ଧୁକ ଜବତ କରିଛି ଏବଂ ସମ୍ପୃକ୍ତ କାଉନ୍‌ସିଲରଙ୍କ ସମେତ ୨ଜଣଙ୍କୁ ଅଟକ ରଖିଛି।

ସେପଟେ ବରଗଡ଼ ବରପାଲି ଏନ୍ଏସିରେ ଦେଖିବାକୁ ମିଳିଛି ବିରଳ ବିଜୟ ଶୋଭାଯାତ୍ରା। ସେଠାରେ ୧୧ ଓ୍ୱାର୍ଡ କାଉନ୍‌ସିଲରଙ୍କ ମଧ୍ୟରୁ ୧୦ ବିଜେଡି ହାତକୁ ଯାଇଥିଲେ ବି ଅଧ୍ୟକ୍ଷ ପଦ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଦୀନେଶ ଗହୀର। ଦିନେଶଙ୍କ ବିଜୟ ଶୋଭାଯାତ୍ରାରେ ସମସ୍ତ ବିଜେଡି କାଉନ୍‌ସିଲର ଏବଂ ବିଜେଡି ବିଧାୟିକା ରିତା ସାହୁ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

କାର୍ଯ୍ୟକାଳ ସରି ନ ଥିବାରୁ ଅତାବିରା ଓ ହିନ୍ଦୋଳ ଏନ୍ଏସିରେ ନିର୍ବାଚନ ହୋଇ ନାହିଁ। ସେହିପରି କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଏବଂ ପୁରୀ ମ୍ୟୁନିସିପାଲିଟିରେ ମଧ୍ୟ ନିର୍ବାଚନ କରାଯାଇ ନାହିଁ।

Odisha News Municipality Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ