• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଜସ୍ୱ ଖର୍ଚ୍ଚରେ ଦିଲ୍ଲୀ ସରକାରୀ କ୍ୱାଟର୍ସ ପରିସରରେ ନିର୍ମାଣ କରୁଥିବା ମାଟି ଘରକୁ ନେଇ ଏବେ ବେଶ ଚର୍ଚ୍ଚା । ଘରର ବାହାର କାନ୍ଥରେ ଯେଉଁଭଳି ଜୀବନ ସ୍ପନ୍ଦନର ଚିତ୍ର ପ୍ରସ୍ଫୁଟିତ ହେଉଛି, ଘର ଭିତରେ ବି ମାଟି ପ୍ରତି ଗଭୀର ମମତାର ବାସ୍ନା ଠିକ୍ ବାରି ହୋଇ ପଡୁଛି । ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ଏ ଘରେ ରହିଛି ଦୁଇଟି ବେଡରୁମ୍ ସହ ଗୋଟିଏ ବୈଠକ ଖାନା । ବସିବା ଓ ଶୋଇବା ପାଇଁ ମାଟିରେ ପିଣ୍ଡି ବି ତିଆରି ହୋଇଛି । ଘର କାନ୍ଥରେ ବୃକ୍ଷଲତା ଓ ଯୋଗମୁଦ୍ରାର ପ୍ରତିଛବି ସ୍ପଷ୍ଟ ଦର୍ଶାଉଛି ଜଣେ ସରଳ ମଣିଷର ନିଛକ ପ୍ରକୃତି ପ୍ରେମକୁ ।

ମାଟି, ଗୋବର, ଗୋମୂତ୍ର, ନିମ୍ବପତ୍ର ଓ ବାଲିରେ ଘର ତିଆରି ଚାଲିଥିବାବେଳେ ଛପର ପାଇଁ ବାଉଁଶ, କାଠ ଓ ନଡା ବ୍ୟବହାର କରାଯାଇଛି । ଘର ଭିତରେ ନନାଙ୍କ ସାଇକେଲଟି ବି ସାଇତା ହୋଇଛି । କେନ୍ଦ୍ରମନ୍ତ୍ରୀ ଥିବାବେଳେ ବଡ଼ ଘର ମିଳିଥିଲା, ତେଣୁ ସେତେବେଳେ ତାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କୁ ଅସୁବିଧା ହେଉନଥିଲା । ହେଲେ ଏବେ ସାଂସଦ ଥିବାରୁ ଟିକେ ଅଧିକ ଯାଗା ଲୋଡ଼ା ପଡୁଛି । ସେଥିପାଇଁ ଏମିତିକା ପରିବେଶ ଉପଯୋଗୀ ଘରଟିଏ ନିର୍ମାଣ କରିବାକୁ ମନ ବଳାଇଥିବା କହିଛନ୍ତି ପ୍ରତାପ ନନା ।

ରାଜଧାନୀ ଦିଲ୍ଲୀର ଚାକଚକ୍ୟ ପରିବେଶ ଭିତରେ ପୁଣି ଇକୋ ଫ୍ରେଣ୍ଡଲି ଘର । କେମିତି ତିଆରି ହେଉଛି ? କେଉଁ କାରିଗର ତିଆରି କରୁଛନ୍ତି ? ସେ କଥା ଜାଣିବାକୁ ବି ବଢ଼ିଛି ଦେଖଣାହାରୀଙ୍କ ଆଗ୍ରହ । ନନା ଆହୁରି ମଧ୍ୟ କହିଛନ୍ତି, କ୍ୱାଟର୍ସ ପରିସରରେ ପୁଣି କୋଠା ଘରଟିଏ ନିର୍ମାଣ ଲାଗି ସରକାରଙ୍କ ଅନୁମତି ଦରକାର । ଯେହେତୁ ଏ ପ୍ରକ୍ରିୟା ସମୟ ସାପେକ୍ଷ, ତେଣୁ ସେ ମାଟି ଘରଟିଏ ନିର୍ମାଣ ପାଇଁ ଇଚ୍ଛା କଲେ, ହିମାଚଳପ୍ରଦେଶର ଜଣେ କାରିଗର ଜୁଟିବା ପରେ ତାଙ୍କୁ ଦାୟିତ୍ୱ ଦେଲେ । କାମ ସାରିବାକୁ ୬ମାସ ପାଖାପାଖି ଲାଗିବ । ମାଟି, ଗୋବର ଓ ବାଉଁଶ ସବୁ ୫୦ରୁ ୬୦ କିଲୋମିଟର ଦୂରରୁ ଆସୁଛି ।

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସରଳ ଜୀବନ ଯାପନ ଶୈଳୀ କାହାକୁ ଅଛପା ନାହିଁ । ଏମିତିକି ସେ କେନ୍ଦ୍ରମନ୍ତ୍ରୀ ହେବା ପରେ ନୀଳଗିରି ଗୋପୀନାଥପୁରରେ ଥିବା ତାଙ୍କ ମାଟି ଘର, ଗାଁ ପୋଖରୀରେ ଗାଧୁଆ ଓ ମନ୍ଦିରରେ ପୂଜାର୍ଚ୍ଚନାକୁ ନେଇ ବି ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା ।