• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଞ୍ଚଭୂତରେ ବିଲୀନ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭା ପରିସରରୁ ଜନ୍ମମାଟି ଦିଗପହଣ୍ଡି ଯାଏଁ ସବୁଠି ଦିବଂଗତ ନେତାଙ୍କୁ ଦଳମତ ନିର୍ବିଶେଷରେ ଶେଷଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଲାଗିଥିଲା ପ୍ରବଳ ଭିଡ଼ । ଗଂଜାମ ରାଜନୀତିର ଏହି ଅପ୍ରତିଦ୍ୱନ୍ଦ୍ୱୀ ନେତାଙ୍କ ବିୟୋଗ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଥିବାବେଳେ ସୂର୍ଯ୍ୟଙ୍କୁ ଝୁରୁଛନ୍ତି ବିଧାନସଭାର ସାଥୀ ସଦସ୍ୟ ଓ ସମର୍ଥକ ।

ପାର୍ଥିବ ଶରୀରରେ ଢଙ୍ଗା ଯାଇଥିଲା ତ୍ରିରଙ୍ଗା । ଗାର୍ଡ ଅଫ୍ ଅନର ଦିଆଗଲା । ଚାରିଆଡ଼ ଅନ୍ନା ଅମର ରହେ ନାରା ଶୁଭୁଥିଲା । ତାରି ଭିତରେ ବଡ଼ ପୁଅ ବିପ୍ଲବ ପାତ୍ର ମୁଖାଗ୍ନି ଦେବା ପରେ ପଞ୍ଚଭୂତରେ ବିଲୀନ ହୋଇଗଲେ ଗଂଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଓ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ଜନ୍ମମାଟି ଦିଗପହଣ୍ଡିର କପାମଣ୍ଡି ପାଖ ପଡ଼ିଆରେ ଅନ୍ତିମ ବିଦାୟ ଦେବାକୁ ଉପସ୍ଥିତ ଥିଲେ ବହୁ ରାଜନେତା ଓ ସାଧାରଣ ଜନତା ।

ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରଠୁ ତାଙ୍କୁ ଶେଷଦର୍ଶନ ପାଇଁ ଦଳମତ ନିର୍ବିଶେଷରେ ଲାଗିଥିଲା ଭିଡ଼ । ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆଜି ସକାଳେ ତାଙ୍କ  ବାସଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାରକୁ ସମବେଦନା ବି ଜଣାଇଥିଲେ । ସେଠାରୁ ଦିବଂଗତ ନେତାଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନକୁ ନିଆଯାଇଥିଲା । ସେଠାରେ ବିଜେଡିର ବହୁ ବିଶିଷ୍ଟ ନେତା ଓ କର୍ମୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ସେଠାରୁ ବିଧାନସଭା ପରିସରକୁ ନିଆଯାଇ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସେଠି ମଧ୍ୟ ବିଧାୟକ, ମନ୍ତ୍ରୀ, ବିଭିନ୍ନ ରାଜନୈତିକ ଦଳ ନେତା ଶେଷଦର୍ଶନ କରିଥିଲେ । ସେଠାରୁ ମରଶରୀରକୁ ବ୍ରହ୍ମପୁର ଅଭିମୁଖେ ନିଆଯାଇଥିଲା । ସେଠି ବି ପ୍ରିୟ ନେତା ଆନ୍ନାଙ୍କୁ ଶେଷ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ତାପରେ ସେଠୁ ଜନ୍ମମାଟି ଦିଗପହଣ୍ଡି ନିଆଯାଇଥିଲା । ଯେଉଁଠି ପରିବାର ଓ ଗାଁ ଲୋକଙ୍କ ସହ ବହୁ ରାଜନେତା ଓ ସମର୍ଥକ ଉପସ୍ଥିତ ଥିଲେ ।

ଗଂଜାମ ରାଜନୀତିରେ ସ୍ୱର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ପରେ ଅନ୍ୟଜଣେ ଅପ୍ରତିଦ୍ୱନ୍ଦୀ ନେତା ଥିଲେ ସୂର୍ଯ୍ୟନାରାୟଣ ପାତ୍ର । ଯିଏ କେବେ ନିର୍ବାଚନ ହାରି ନାହାନ୍ତି । ୧୯୯୦ରୁ ୨୦୧୯ ଭିତରେ ମୋହନାରୁ ୪ଥର ଓ ଦିଗପହଣ୍ଡି ବିଧାନସଭା ଆସନରୁ ୩ଥର ବିଧାୟକ ଭାବେ ଜିତିଛନ୍ତି । ପେସାରେ ଜଣେ ଆଇନଜୀବୀ ବି ଥିଲେ ସୂର୍ଯ୍ୟ ପାତ୍ର । ଯେଉଁଥିପାଇଁ ମନ୍ତ୍ରୀ କି ବିଧାୟକ ବଦଳରେ ତାଙ୍କ ଘର ନାମ ଫଳକରେ ନିଜ ନାଁ ସହ ଶିକ୍ଷାଗତ ଯୋଗ୍ୟତା BSc, LLB ହିଁ ଲେଖୁଥିଲେ ।

୧୯୭୭ରେ ବ୍ରହ୍ମପୁର ମ୍ୟୁନିସିପାଲିଟି କାଉନସିଲର ହୋଇଥିଲେ ସୂର୍ଯ୍ୟ ପାତ୍ର । ବାପାଙ୍କ ପରେ ବ୍ରହ୍ମପୁରର ଏକ ପ୍ରମୁଖ ଖବର କାଗଜର ବିତରକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ନିଜ ମନ୍ତ୍ରୀତ୍ୱ ସମୟରେ ରାଜସ୍ୱ, ଜଙ୍ଗଲ ଓ ପରିବେଶ, ଶକ୍ତି, ପର୍ଯ୍ୟଟନ, ଆଇଟି, ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଦକ୍ଷତା ପ୍ରତିପାଦନ ରଖିଛନ୍ତି । ୨୦୧୯ରେ ବାଚସ୍ପତି ପଦ ସମ୍ଭାଳିଥିଲେ ଓ ୨୦୨୨ରେ ଇସ୍ତଫା ଦେଇଥିଲେ । ତାଙ୍କ ସମୟରେ ବିଧାନସଭାକୁ ପେପରଲେସ୍ କରି ଉଦାହରଣ ସୃଷ୍ଟି କରିଥିଲେ ।

ଗତକାଲି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ୭୫ ବର୍ଷରେ ପରଲୋକ ଗମନ କରିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ତାଙ୍କ ବିୟୋଗ ପରେ ପରିବାର ଲୋକଙ୍କ ଅନୁମତିରେ ହୋଇଛି ଚକ୍ଷୁ ଦାନ ।