Advertisment

‘ମୋ ଘର’ ପାଇଁ ତରତର, ହେଲେ ପିଏମ୍ ଆବାସ ପାଇଁ କୁନ୍ଥକୁନ୍ଥୁ ରାଜ୍ୟ ସରକାର

ଆରମ୍ଭ ହେଲା ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା । ଆଜିଠୁ ବିଧିବଦ୍ଧ ଭାବେ ଅନଲାଇନରେ ପଞ୍ଜିକରଣ କରୁଛନ୍ତି ଆଶାୟୀ ହିତାଧିକାରୀ ।

author-image
Manoranjan Behera
undefined

Mo Ghara Yojna

‘ମୋ ଘର’ ଯୋଜନା ପାଇଁ ରାଜ୍ୟ ସରକାର ତତ୍ପର, କିନ୍ତୁ ପିଏମ୍ ଆବାସ ବେଳକୁ କୁନ୍ଥକୁନ୍ଥ । ଆଜିଠୁ ରାଜ୍ୟରେ ମୋ ଘର ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ପିଏମ୍ ଆବାସ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେବାକୁ ନିର୍ଦ୍ଦେଶ ପରେ ବି କାର୍ଯ୍ୟକାରୀ ହେଉନି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । କହିଛି, ପିଏମ୍ ଆବାସ ହିତାଧିକାରୀ ଚୟନରେ ହୋଇଥିବା ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ରାଜ୍ୟ ସରକାର ମୋ ଘର ଯୋଜନା କରିଛନ୍ତି । ଏହାର ଜବାବ ରଖିଛି ବିଜେଡି ।

Advertisment

ଆରମ୍ଭ ହେଲା ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା । ଆଜିଠୁ ବିଧିବଦ୍ଧ ଭାବେ ଅନଲାଇନରେ ପଞ୍ଜିକରଣ କରୁଛନ୍ତି ଆଶାୟୀ ହିତାଧିକାରୀ । ଜନସେବା କେନ୍ଦ୍ରରେ ରୁରାଲ ହାଉସିଂ ପୋର୍ଟାଲରେ ପଞ୍ଜିକରଣ କରୁଛନ୍ତି ହିତାଧିକାରୀ । ମୋ ଘର ଯୋଜନାରେ କିଏ ଗୃହ ନିର୍ମାଣ ପାଇଁ ତ ଆଉ କିଏ ମରାମତି କିମ୍ବା ସଂପ୍ରସାରଣ ପାଇଁ ସବସିଡିରେ ୧ ଲକ୍ଷରୁ ୩ ଲକ୍ଷ ଯାଏଁ ରୁଣ ପାଇଁ ଚାଲିଛି ଆବେଦନ ।

ଗରମ ଗୁଳୁଗୁଳିକୁ ସହି ଲମ୍ବା ଧାଡ଼ି ଲଗାଇ ଆଜିଠୁ ପଞ୍ଜିକରଣ କରୁଛନ୍ତି ଆବେଦନକାରୀ। କିନ୍ତୁ ଆଜି ପ୍ରଥମ ଦିନରେ କେଉଁଠି ବିଜୁଳି ବିଭ୍ରାଟ ଦେଖାଦେଇଥିଲା ତ ଆଉ କେଉଁଠି ସର୍ଭର ଡାଉନ ଯୋଗୁଁ ନିର୍ଦ୍ଧିଷ୍ଟ ପୋର୍ଟାଲ ଖୋଲିନଥିଲା । ଅମଲାଙ୍କ ଆନ୍ଦୋଳନ ଯୋଗୁ କିଛି ଆବେଦନକାରୀ ଜାତି, ଇନକମ୍ ଆଦି ସାର୍ଟଫିକେଟ କରିପାରୁନଥିବାରୁ ଆଜି ନିରାଶ ହେବାକୁ ପଡ଼ିଛି। 

Advertisment

ଗୋଟେ ପଟେ ମୋ ଘର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା, ଅନ୍ୟପଟେ କିନ୍ତୁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ପିଏମ ଆବାସ ଘରକୁ ନବାଣ୍ଟି ପକାଇ ରଖିଛନ୍ତି । ଏମିତିକି ଜାନୁୟାରୀରୁ ଘର ମଞ୍ଜୁର ହୋଇଥିଲେ ବି ସାଢ଼େ ୯ ଲକ୍ଷ ଘର ପଡ଼ିରହିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛି ବିଜେପି । ପିଏମ୍ ଆବାସ ହିତାଧିକାରୀ ଚୟନରେ ହୋଇଥିବା ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବା ପାଇଁ ରାଜ୍ୟ ସରକାର ମୋ ଘର ଯୋଜନା କରିଛନ୍ତି । ତେବେ ବିଜେଡି କହିଛି, ଏହି ଯୋଜନା ସମସ୍ତଙ୍କ ପାଇଁ । 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କାର୍ଯ୍ୟାଦେଶ ବାଣ୍ଟିବାକୁ ରାଜ୍ୟର ସମସ୍ତ ବିଡ଼ିଓଙ୍କୁ ଚିଠି କରିସାରିଛି ପଞ୍ଚାୟତିରାଜ ବିଭାଗ । ଉପଯୁକ୍ତ ଯାଞ୍ଚ କରି ଅନଲାଇନରେ  କାର୍ଯ୍ୟାଦେଶ ଦେବାକୁ ଚିଠିରେ ଦର୍ଶାଯାଇଛି । କିନ୍ତୁ, ଯୋଗ୍ୟ ହିତାଧିକାରୀ ଚୟନ ବାହାନାରେ ଘର ନବାଣ୍ଟି ପକାଇ ରଖିଛନ୍ତୁ ବିଭିନ୍ନ ଜିଲ୍ଲାର ପ୍ରଶାସନ । କୁହାଯାଉଛି, ଘର ପାଇବା ପାଇଁ ବହୁ ଲୋକ ଆବେଦନ କରିଛନ୍ତି ।

ତେଣୁ ଅଯୋଗ୍ୟଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀ ବାଛିବା ବଡ଼ ଚାଲେଞ୍ଜ ହୋଇଛି । କାଳେ ସାଢ଼େ ୯ ଲକ୍ଷ ଘର ବାଣ୍ଟିଦେଲେ ଆଉ କିଛି ଲୋକ ଅସନ୍ତୋଷ ପ୍ରକାଶ କରିବେ, ସେହି ଭୟ ବି ଘାରିଛି ରାଜ୍ୟ ସରକାରଙ୍କୁ । ତେଣୁ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଥିବାବେଳେ ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି,  ଯୋଗ୍ୟ ହିତାଧିକାରୀଙ୍କ ଜିଓଟ୍ୟାଗିଂ ଚାଲିଛି । ଅଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ହେଉଛି । ମୋ ଘର ବନାମ ପିଏମ୍ ଆବାସ ପ୍ରତିଯୋଗିତା ଭିତରେ ସାଧାରଣ ହିତାଧିକାରୀଟିଏ କେବେ ଘର ପାଇବ, ତାକୁ ଅପେକ୍ଷା ।

PM Awas Yojana
Advertisment
Advertisment