Aravind Dhali
ପୁଣି ଖୋର୍ଦ୍ଧା ବିଜେଡିକୁ ଲାଗିଲା ଝଟ୍କା । ବିଜେଡି ଛାଡ଼ିଲେ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଆସନ୍ତାକାଲି ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ରହିଛି । ବିଜେଡିରୁ ଇସ୍ତଫା ପରେ ଅରବିନ୍ଦ ଢାଲି କହିଛନ୍ତି ଘରବାହୁଡ଼ା କରିବି । ‘ଆସନ୍ତାକାଲି ବିଜେପିରେ ଯୋଗ ଦେବି । କଣ ଦାୟିତ୍ୱ ଦିଆଯିବ ତାହା ଦଳ ନିଷ୍ପତ୍ତି ନେବ । ନିର୍ବାଚନ ଲଢ଼ିବି, ନ ଲଢ଼ିବି ତାହା ଦଳ ନିଷ୍ପତ୍ତି ନେବ । ଲୋକଙ୍କ ମତାମତ ଗ୍ରହଣ କରି ନିଷ୍ପତ୍ତି ନେଇଛି ।'
ତେବେ ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜ୍ୟ ରାଜନୀତି ସରଗରମ ହେଉଛି । ଗୋଟିଏ ପରେ ଗୋଟିଏ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି । ଅରବିନ୍ଦ ଢ଼ାଲି ମଧ୍ୟ ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଥିବା ବେଳେ ଖୋର୍ଦ୍ଧାରେ ବିଜେଡି ଦୁର୍ବଳ ହେବାରେ ଲାଗିଛି ବୋଲି କୁହାଯାଉଛି । କାରଣ ଦୁଇ ଦିନ ପୂର୍ବରୁ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେ ଏବେ ଚିଲିକା ବିଧାନସଭାର ବିଧାୟକ ରହିଛନ୍ତି ।
ବିଜେପିର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ପ୍ରଶାନ୍ତ। ଆଉ ପଦ୍ମ ଶିବିରରେ ସାମିଲ ହେଉ ହେଉ ସିଧା ନବୀନଙ୍କୁ ନିଶାନା କରିଥିଲେ ଜଗଦ୍ଦେବ। ନିଜ ଆଗ୍ରେସିଭ ଅନ୍ଦାଜରେ କହିଥିଲେ ନବୀନ ଆଉ ପାରୁନାହାନ୍ତି, ରାଜନୀତି ଛାଡ଼ି ଦିଅନ୍ତୁ। ପ୍ରଶାନ୍ତଙ୍କ ସହ ତାଙ୍କର କିଛି ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ଏହାପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଯାହାକି ରାଜ୍ୟ ରାଜନୀତିକୁ ସବୁଠାରୁ ବେଶି ଚର୍ଚ୍ଚାର ଖୋରାକ ଯୋଗାଇଥିଲା । କହିବାକୁ ଗଲେ ଏବେ ବିଜେପି ମୁହାଁ ବିଜେଡି ବିଦ୍ରୋହୀ। ୨୧ରେ ପ୍ରଦୀପ ପାଣିଗ୍ରାହୀ। ୨୫ରେ ଦେବାଶିଷ ନାୟକ। ତାପରେ ପ୍ରଶାନ୍ତ ଜଗଦ୍ଦେବ।
ସେହିଭଳି ରାଜ୍ୟରେ କଂଗ୍ରେସକୁ ମଧ୍ୟ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି । ଗତକାଲି ଦଳ ଛାଡ଼ିଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ। ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି। ରଜତ ଚୌଧୁରୀ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ୨୦୧୪ରୁ ୨୦୧୬ ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ବ ତୁଳାଇଥିଲେ। ପରେ ପିସିସି ସାଧାରଣ ସଂପାଦକ ପଦ ମଧ୍ୟ ତାଙ୍କୁ ମିଳିଥିଲା। ହାତ ଛାଡିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି।
ଅନ୍ୟପଟେ ଗତକାଲି ରାତିରୁ ସ୍ପଷ୍ଟ ହୋଇସାରିଛି ଯେ, ଓଡ଼ିଶାରେ ବିଜେଡି - ବିଜେପି ମଧ୍ୟରେ କୌଣସି ପ୍ରକାର ମେଣ୍ଟ ହେବ ନାହିଁ । ଏହି ମେଣ୍ଟ ଚର୍ଚ୍ଚା ଉପରେ ବିରାମ ଲଗାଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଏକାକୀ ଲଢ଼ିବ ବିଜେପି। ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ରାଜ୍ୟରେ ବିଜେଡି ସହ କୌଣସି ମେଣ୍ଟ ହେବନି। ୧୪୭ ବିଧାନସଭା ଏବଂ ୨୧ ଲୋକସଭାରେ ବିଜେପି ଏକା ଲଢିବ। ଏପରିକି ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ। ଏପଟେ ୨୪ ଲଢ଼େଇ ପାଇଁ ଖୁବ୍ଶୀଘ୍ର ଆସିବ ବିଜେପି ଯୋଦ୍ଧାଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା। ଯେକୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ମନମୋହନ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709356082.jpg)