• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏଥର ରାଜ୍ୟ ସରକାରଙ୍କ ପ୍ରତି ଆଭିମୁଖ୍ୟ ଆଉ ନରମ ରହିବନି । ବରଂ ଯୁଦ୍ଧ ହେବ । ଦିଲ୍ଲୀରୁ ବୈଠକ ସାରି ଭୁବନେଶ୍ବର ଫେରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି, ଆସନ୍ତା ମାସରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସିବେ ।

୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଆସିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜୟନାରାୟଣ । ଦିଲ୍ଲୀରେ ଅନୁଷ୍ଠିତ ୨ ଦିନିଆ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ୨୪ ସାଧାରଣ ନିର୍ବାଚନ ନେଇ ଦଳ ରଣନୀତି ପ୍ରସ୍ତୁତ କରିଛି ।

ଅନ୍ୟପଟେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସରେ ବଡ଼ଧରଣର ଅଦଳବଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ରୂପରେଖ ବଦଳାଇବା ସହ ୧୨ ନୂଆ ମହାସଚିବ ଏବଂ ୧୨ ନୂଆ ପ୍ରଦେଶ ପ୍ରଭାରୀ ନିଯୁକ୍ତ କରିଛନ୍ତି । ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦଳର ମହାସଚିବ ଭାବେ ନିଯୁକ୍ତି ଦେଇ ଛତିଶଗଡ଼ ପ୍ରଭାରୀ କରିଛି କଂଗ୍ରେସ ।

ସେହିପରି ରମେଶ ଚେନିଥାଲାଙ୍କୁ ମହାରାଷ୍ଟ୍ର, ମୋହନ ପ୍ରକାଶଙ୍କୁ ବିହାର, ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ ଏବଂ ମୁକୁଲ ୱାସନିକଙ୍କୁ ଗୁଜରାଟ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଗତ ୫ ବର୍ଷ ଧରି ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଥାନରେ ପାର୍ଟି ମହାସଚିବ ଅବିନାଶ ପାଣ୍ଡେଙ୍କୁ ନିଯୁକ୍ତି ଦିଆଯାଇଛି ।

ସେପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି କଂଗ୍ରେସ । ଡକ୍ଟର ଅଜୟ କୁମାରଙ୍କୁ ଓଡ଼ିଶା ପିସିସିର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ଚେଲ୍ଲା କୁମାର ଓଡ଼ିଶା ପିସିସି ପ୍ରଭାରୀ ଥିଲେ । ତାଙ୍କ ସ୍ଥାନରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରିଛି କଂଗ୍ରେସ ।

ଅଜୟଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେପଟେ ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ପ୍ରଭାରୀ ଦାୟିତ୍ବ ଦିଆଯାଇଛି ।