ଉତ୍କର୍ଷ ଓଡିଶାର ଲକ୍ଷ୍ୟ ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନର ପ୍ରତିଶ୍ରୁତି ଓ ସଂକଳ୍ପ ରଖିଥିବା ରାଜ୍ୟ ସରକାରଙ୍କ ସମ୍ମୁଖରେ ସବୁଠାରୁ ବଡ ସମ୍ଭାର ତଥା ସମ୍ଭାବନା ହେଉଛି ଖଣିଜ ସମ୍ପଦ । ଏଥିପାଇଁ ଅନେକ ନିଷ୍ପତ୍ତି ଓ ପଦକ୍ଷେପ ଗତ ୭ମାସ ମଧ୍ୟରେ ନିଆଯାଇଛି । ଦୁଇ ଦିନିଆ ଖଣିମନ୍ତ୍ରୀ ସମ୍ମିଳନୀରେ ଯେଉଁ ବାର୍ତ୍ତା ପ୍ରକାଶ ପାଇଛି ସେଥିରୁ ଜଣାପଡୁଛି ରାଜ୍ୟ ତଥା ଦେଶର ବିକାଶ କ୍ଷେତ୍ରରେ ଖଣିଜସମ୍ପଦ ହିଁ ବିକାଶର ବଡ ବିକଳ୍ପ ଭାବରେ ମୁଣ୍ଡ ଟେକିଛି।
ରାଜ୍ୟ ସରକାର ପ୍ରାକୃତିକ ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟକୁ ନେଇ ଉତ୍କର୍ଷ ଓଡିଶାର ନକ୍ସା ପ୍ରସ୍ତୁତ କଲାବେଳେ ଏ କ୍ଷେତ୍ରରେ ପୂର୍ବରୁ ଯେଉଁ ଆହ୍ୱାନଗୁଡିକ ଆସିଛି ତାର ତର୍ଜମା କରିବାର ଆବଶ୍ୟକତା ରହିଛି । ଯାହା ଗତ ପୂର୍ବ ସରକାର ସମୟରେ ଦେଖିବାକୁ ମିଳିଥିଲା । ଓଡିଶାରେ ଆୟୋଜିତ ଦୁଇଦିନିଆ ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀରେ ସେଗୁଡିକପ୍ରତି ବିଶେଷ ଧ୍ୟାନାକର୍ଷଣ କରିବାର ଆବଶ୍ୟକତା ଥିଲା । ଦ୍ରୁତ ବିକାଶକୁ ଲକ୍ଷ୍ୟରେ ରଖି ଖଣି ଉତ୍ତୋଳନକୁ ଯେଉଁଭଳି ପ୍ରାଧାନ୍ୟତା ଦିଆଯାଇଛି, ସେହିଭଳି ବିସ୍ତାପନ, ପୁନଃଥଇଥାନ, ଜଳବାୟୁ ପରିବର୍ତ୍ତନ, ପରିବେଶ, ପର୍ଯ୍ୟଟନ ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ଆଦି ପ୍ରସଙ୍ଗୀୟ ଆହ୍ୱାନଗୁଡିକ ସେଭଳି ଗୁରୁତ୍ୱ ପାଇନାହିଁ ।
ଯଦିଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶ କ୍ଷେତ୍ରରେ ପରିବେଶ ସନ୍ତୁଳନ ପ୍ରତି ଦୃଷ୍ଟି ନିକ୍ଷେପ କରିବା କଥା କହିଛନ୍ତି । କିନ୍ତୁ ବାସ୍ତବରେ ତାହା ଘଟୁଛି କି ? ବିଭିନ୍ନ ବ୍ୟତିକ୍ରମକୁ ନେଇ ଅନେକ ସମୟରେ NGT ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ବିଭିନ୍ନ କାରଣ ଦୃଷ୍ଟିରୁ ଶିଳ୍ପ କମ୍ପାନୀଗୁଡିକୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିବାରେ ସମସ୍ୟା ଦୃଷ୍ଟିରୁ ଅନେକ କମ୍ପାନୀ ପ୍ରକଳ୍ପରୁ ଓହୋରିବାକୁ ବାଧ୍ୟ ହେଉଛନ୍ତି ନତୁବା ଦୀର୍ଘ ଦିନଧରି ଅପେକ୍ଷା କରିବାକୁ ପଡୁଛି । ଯାହାଦ୍ୱାରା ରାଜ୍ୟ ସରକାରଙ୍କ ବିକାଶର ବେଗ ବାଧାପ୍ରାପ୍ତ ହେଉଛି।
Also Read
କୋଣାର୍କ ଇକୋ-ରିଟ୍ରିଟ୍ ପରିସରରେ ଦୁଇଦିନ ଧରି ଆୟୋଜିତ ତୃତୀୟ ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀରେ ବିଶ୍ୱର ଖଣିଜସମ୍ପଦର ପ୍ରମୁଖ କେନ୍ଦ୍ର ହୋଇଥିବା ଭାରତ ଆଗକୁ ଖଣିଜ ହବ୍ ହେବା ମତପ୍ରକାଶ ପାଇଛି । ଜାତୀୟ ମହତ୍ତ୍ୱପୂର୍ଣ୍ଣ ଖଣିଜ ମିଶନ (ସିଏମ୍ଏମ୍) ଜରିପାରେ ଆଗକୁ ଗ୍ରାଫାଇଟ୍, ନିକେଲ, ଲିଥିୟମ୍ ଭଳି ମହତ୍ତ୍ୱପୂର୍ଣ୍ଣ ଖଣିଜ ଉତ୍ତୋଳନ କରାଯିବ । ସମ୍ମିଳନୀରେ କେନ୍ଦ୍ର ଖଣିମନ୍ତ୍ରୀଙ୍କ ସମେତ ୧୬ଟି ରାଜ୍ୟର ଖଣିମନ୍ତ୍ରୀ ଓ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ଓଡିଶା ପୂର୍ବରୁ ସେପ୍ଟେମ୍ବର ୨୦୨୨ରେ ପ୍ରଥମ ସମ୍ମିଳନୀ ହାଇଦ୍ରାବାଦରେ ହୋଇଥିବା ବେଳେ ଦ୍ୱିତୀୟ ସମ୍ମିଳନୀ ଭୋପାଳରେ ୨୦୨୪ ଜାନୁଆରୀରେ ହୋଇଥିଲା ।
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଯେଉଁ ଖଣିଜବହୁଳ ରାଜ୍ୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ସେଥିରେ ଓଡିଶା ସର୍ବାଗ୍ରେ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦର୍ଶାଇଛନ୍ତି । ତେବେ ଏଠାରେ ପୂର୍ବ ଆହ୍ୱାନ ଗୁଡିକୁ ଆଲୋଚନା ପରିସରକୁ ନନେଲେ ମଧ୍ୟ ପୂର୍ବ ସରକାରକୁ ଟାର୍ଗେଟ କରିବାକୁ ସେ ଭୁଲିନଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶାରେ ସବୁପ୍ରକାର ଖଣିଜ ସଂପଦ ଭରି ରହିଥିଲା ବେଳେ ରାଜନୈତିକ ଇଛାଶକ୍ତି ଅଭାବରୁ ରାଜ୍ୟର ବିକାଶ ହୋଇପାରିନି । ବର୍ତ୍ତମାନ ଡବଲ ଇଞ୍ଜିନ ସରକାରରେ ଦ୍ରୁତ ବିକାଶକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ ଦର୍ଶାଇଥିଲେ ।
ଏମିତି ନୁହଁ ଯେ ବର୍ତ୍ତମାନ ମୋହନ ସରକାର ହିଁ ବିକାଶର ବାର୍ତ୍ତା ଦେଉଛନ୍ତି; ଗତ ୨୪ ବର୍ଷର ନବୀନ ସରକାରରେ ଓଡିଶା ବିକାଶର ଶୀର୍ଷରେ ପହିଯାଇଥିବା ଦାବୀ କରାଯାଉଥିଲା । ଶିଳ୍ପ କମ୍ପାନୀ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସରକାର କିଭଳି ରକ୍ତମୁଖା ପାଲଟିଯାଇଥିଲେ ସେହି କଳଙ୍କିତ ଅଧ୍ୟାୟ କଳିଙ୍ଗନଗର ଓ ଢିଙ୍କିଆରୁ ଦେଖିବାକୁ ମିଳିଥିଲା । ରକ୍ତାକ୍ତ ଓ ଆତଙ୍କର ବାତାବରଣ ସନ୍ଦେଶ ଦେଉଥିଲା ଯେମିତି ମାଟି ନିଜ ଗର୍ଭରେ ଖଣିଜ ସମ୍ପଦ ଧାରଣ କରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିପତ୍ତି ଆଣିଛି!
ଗତ ୨୪ ବର୍ଷରେ ରାଜ୍ୟରେ କଳିଙ୍ଗନଗର, ଢିଙ୍କିଆ, ଗୋପାଳପୁର ଟାଟା ଷ୍ଟିଲ, ନିୟମଗିରି, କାଶିପୁର, କୁଚେଇପଡା, ଗନ୍ଧମାର୍ଦ୍ଦନ ଆଦି ବିଶାଳ ଆନ୍ଦୋଳନ ମୁଣ୍ଡ ଟେକିଛି ଏବଂ ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଲୋକ ଏବଂ ପରିବେଶର ବ୍ୟାପକ କ୍ଷୟକ୍ଷତି ଘଟିଛି । ଜଳ, ଜମି, ଜଙ୍ଗଲ, ପର୍ଯ୍ୟାବରଣ ଜୀବୀକା ଓ ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ଯେଉଁ ସଂଗ୍ରାମ ଓ ସଙ୍ଘର୍ଷ ଲୋକେ କରୁଛନ୍ତି ସେଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନେକ ସମୟରେ ଅଡୁଆ ପରିସ୍ଥିତିର ସାମ୍ମା କରିବାକୁ ପଡୁଛି । ଏନ୍.ଜି.ଟି.ରେ ପ୍ରାୟ ପ୍ରତିବର୍ଷ ମାଳ ମାଳ ମାମଲା ଓଡିଶା ସରକାରଙ୍କ ବିରୋଧରେ ଦାଏର ହେଉଛି ।
ଶିଳ୍ପଉତ୍ପାଦନ ଦ୍ୱାରା ଦ୍ରୁତ ବିକାଶ କ୍ଷେତ୍ରରେ ଖଣିଜ ସମ୍ପଦର ବିନିଯୋଗକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବାବେଳେ ଉପରୋକ୍ତ ଆହ୍ୱାନଗୁଡିକୁ ନେଇ ବ୍ୟାପକ ଆଲୋଚନା କରିବାର ଆବଶ୍ୟକତା ରହିଛି । ଯାହା ୨୦୩୬ ସୁଦ୍ଧା ଉତ୍କର୍ଷ ଓଡିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ପରିକଳ୍ପନାର ଲକ୍ଷ୍ୟ ରହିଛି । ଏହାର ନିଷ୍କର୍ଷ ପାଇଁ କୋଣାର୍କ ଖଣିମନ୍ତ୍ରୀ ସମ୍ମିଳନୀ ଏକ ଉତ୍କୃଷ୍ଟ ମଂଚ ହୋଇଥିଲା । ତେବେ ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱଦେବାର ଆବଶ୍ୟକତା ରହିଛି ।
ଶିଳ୍ପାୟନ ମାଧ୍ୟମରେ ଓଡିଶାର ବିକାଶ ଓ ନିଯୁକ୍ତି ସୃଷ୍ଟିର ଦ୍ୱାହି ଦେଇ ଗତ ସରକାର ଯେଉଁ ପରିମାଣରେ ରାଜ୍ୟର ଭୂ-ସମ୍ପଦ, ଖଣି ଖାଦାନ ଆଦି କମ୍ପାନୀମାନଙ୍କ ହାତକୁ ଟେକିଦେଲେ ସେହି ଅନୁପାତରେ ନିଯୁକ୍ତି ମିଳିଛି କି? ଯୁବକ, ମହିଳା, ବୟସ୍କ ଆଦି ବାହାର ରାଜ୍ୟକୁ ଛୁଟୁଥିବା ଦାଦନ ସ୍ରୋତ କେତେ କମିଛି ? ଓଡିଶାରେ ସେହି ମାନବ ସମ୍ବଳର ବିନିଯୋଗକୁ କେତେ ଗୁରୁତ୍ୱ ଦିଆଯାଇଛି ? ୨୪ ବର୍ଷ ଭିତରେ ରାଜ୍ୟରେ ଭୂତକୋଠି ପାଲଟିଥିବା ପ୍ରମୁଖ ଶିଳ୍ପକାରଖାନା ଗୁଡିକର ପୁନରୁଦ୍ଧାର ହୋଇପାରିଲା ନାହିଁ କାହିଁକି? ଏହି ସମସ୍ତ ବିଷୟ ପ୍ରତି ବର୍ତ୍ତମାନର ସରକାର ଦୃଷ୍ଟି ଦେବା ଆବଶ୍ୟକ ।
ପ୍ରଚୁର କୋଇଲା ଉତ୍ପାଦନ ସତ୍ୱେ ଓଡ଼ିଶାରେ ବିଦ୍ୟୁତ ମୂଲ୍ୟ ଅନ୍ୟ ରାଜ୍ୟ ଠାରୁ କମ୍ ନୁହେଁ । ଯାହାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ ଅନେକ ସମୟରେ ଉଦବେଗ ପ୍ରକାଶ ପାଉଛି । କିନ୍ତୁ ଖଣି ଖନନ ଦ୍ୱାରା ଚାଷ, ବାସ, ପାଣି, ପରିବେଶ ଓ ଜଙ୍ଗଲ ଜମି ସବୁ କ୍ଷେତ୍ରରେ ରାଜ୍ୟ କ୍ଷତି ସହୁଛି । ଯେତେ ଦ୍ରୁତ ବେଗରେ ଖଣି ଖୋଳା ହେବ, ସେତେ ଶୀଘ୍ର ଖଣି ଖାଲି ହେବାର ଆଶଙ୍କା ରହିଛି । ବିକାଶ କ୍ଷେତ୍ରରେ ସବୁଜ ପରିବେଶକୁ ଦୃଷ୍ଟି ଦେବା ଯେତିକି ଆବଶ୍ୟକ ଆଗାମୀ ପିଢିପାଇଁ ଖଣିଜ ସମ୍ପଦର ସୁରକ୍ଷା ପ୍ରତି ଧ୍ୟାନ ଦେବା ସେତିକି ଜରୁରୀ । ଏ ଦୃଷ୍ଟିରୁ ସରକାର ଯେତିକି ଆବଶ୍ୟକ ସେତିକି ଖଣିକୁ ଅନୁମତି ଦେବା ଆବଶ୍ୟକ । ଆଉ ଏଥିପାଇଁ ରାଜ୍ୟ ସରକାର ଏକ ନିଜସ୍ୱ ନୀତି ପ୍ରଣୟନ କରିବା ଦରକାର ।
ଉତ୍କର୍ଷ ଓଡିଶା କନକ୍ଲେଭ ମାଧ୍ୟମରେ ଓଡିଶାକୁ ୫ଲକ୍ଷ କୋଟିର ବିନିଯୋଗ ହେବ ଏବଂ ଏଥିଦ୍ୱାରା ରାଜ୍ୟର ସାଢେ ୩ ଲକ୍ଷଙ୍କୁ ନିଯୁକ୍ତି ମିଳିବ ବୋଲି ବର୍ତ୍ତମାନର ମୋହନ ମାଝୀ ସରକାର ଲକ୍ଷ୍ୟ ରଖିଛନ୍ତି । ଏକ୍ଷେତ୍ରରେ ପୂର୍ବ ସରକାରରେ ଖଣି ଖନନକୁ ନେଇ କ୍ଷତିଗ୍ରସ୍ତ ଚାଷୀ, ଆଦିବାସୀ ଆଦି ବର୍ତ୍ତମାନର ସରକାରରେ ଥିବା ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅନେକ ଆଶା ଓ ବିଶ୍ୱାସ ରଖିଛନ୍ତି । ଏଥିପ୍ରତି ମଧ୍ୟ ସରକାର ଯତ୍ନବାନ ହେବା ଜରୁରୀ ।