ମଣ୍ଡିରେ ନାହିଁ ସିସିଟିଭି, କେମିତି ଆସିବ ସ୍ୱଚ୍ଛତା?

ଧାନ ସଂଗ୍ରହ ବେଳେ ମଣ୍ଡିରେ ସ୍ବଚ୍ଛତା ଆଉ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସବୁ ଧାନ କିଣା କେନ୍ଦ୍ରରେ କାର୍ଯ୍ୟକାରୀ କରୁଛନ୍ତି ସିସିଟିଭି ବ୍ୟବସ୍ଥା।

Massive irregularities surfaces in installation of CCTV at mandis in Odisha

ଧାନ ମଣ୍ଡି ଜଗିବ ସିସିଟିଭି, ବ୍ୟବସ୍ଥାରେ ଆସିବ ସ୍ବଚ୍ଛତା। ଚାଷୀଙ୍କ ସ୍ବାର୍ଥରେ ଆଞ୍ଚ ଆସିବନି କି ସରକାର ଅଡୁଆରେ ପଡ଼ିବେନି। ଏଇ ଲକ୍ଷ୍ୟ ନେଇ ରାଜ୍ୟ ସାରା

ସମସ୍ତ ମଣ୍ଡିରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନେଇଥିଲା ସମବାୟ ବିଭାଗ। ବିଧାନସଭାର ଷ୍ଟାଣ୍ଡିଂ କମିଟିର ସୁପାରିସ କ୍ରମେ କଟନିଛଟନି ମହା ଅଭିଯୋଗରୁ ବର୍ତ୍ତିବାକୁ ରାଜ୍ୟର ସବୁ ମାର୍କେଟ୍ ୟାର୍ଡ, ଧାନ କ୍ରୟ କେନ୍ଦ୍ରରେ ଏ ବ୍ୟବସ୍ଥା ହୋଇଛି।

ହେଲେ ରାଜ୍ୟର ସର୍ବାଧିକ ଧାନ ସଂଗ୍ରହ ହେଉଥିବା ଜିଲ୍ଲା ବରଗଡ଼ର ସରକଣ୍ଡା କ୍ରୟ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ଅନେକ ଦିନ ପରେ ବି ମଣ୍ଡିରେ ଏଯାଏଁ ଲାଗିନି ସିସିଟିଭି। ଇଏ ବରଗଡ଼ RMC ଅଧୀନ ବରଗଡ଼ ଧାନ କ୍ରୟ କେନ୍ଦ୍ର। ଏଠି ଲାଗିଥିବା ୪ଟି କ୍ୟାମେରା ଭିତରୁ ୨ଟି ଅଚଳ। ସେମିତି ଜିଲ୍ଲାର ବରଗଡ଼, ଅତାବିରା ଓ ପଦ୍ମପୁର ଭଳି ତିନିଟି RMC ଅଧୀନରେ ୧୦୦ରୁ ଅଧିକ ମଣ୍ଡି ଓ ଧାନ ସଂଗ୍ରହ କେନ୍ଦ୍ର ରହିଛି।

ଆସନ୍ତା ୧୦ ତାରିଖରୁ ଏସବୁ ସ୍ଥାନରେ ରବି ଧାନ ସଂଗ୍ରହ ହେବାକୁ ଥିବା ବେଳେ ସବୁ ମଣ୍ଡି ସିସିଟିଭି ଯୁକ୍ତ ହୋଇନଥିବାରୁ ଏହାକୁ ନେଇ ଚାଷୀ ମନରେ ଅସନ୍ତୋଷ ଆଉ ଅଭିଯୋଗ। ସେହିଭଳି ଧାନ ଉତ୍ପାଦନରେ ରାଜ୍ୟର ଦ୍ୱିତୀୟ ସ୍ଥାନରେ ଥିବା କଳାହାଣ୍ଡି ଜିଲ୍ଲାରେ ବି ସମାନ ଅବସ୍ଥା। ଧର୍ମଗଡ଼ ସହରରେ ଥିବା ମଣ୍ଡିରେ ସିସିଟିଭି ଲାଗିଛି, କିନ୍ତୁ କାମ କରୁନି।

ତେଣୁ ଖୋଲାମେଲାରେ ପଡୁଥିବା ଧାନ ଚୋରି ହେଉଥିବାର ଅଭିଯୋଗ କରିଛନ୍ତି ଚାଷୀ। ସେମିତି ଇଏ ବୋଡେନ୍ ଅଞ୍ଚଳରେ ଥିବା ମଣ୍ଡିର ଚିତ୍ର। ଏଠି ପାଣି, ବିଜୁଳି ଭଳି ସାଧାରଣ ସୁବିଧା ନଥିବା ବେଳେ କ୍ୟାମେରା କଥା ପଚାରୁଛି କିଏ ? ରାଜ୍ୟରେ ସିସିଟିଭି ଲାଗିନଥିବା, ଲାଗିଥିଲେ ବି ଅଚଳ ଥିବା ଏବଂ ଆଦୌ
ସିସିଟିଭି ଲାଗିବା ଭଳି ଭିତ୍ତିଭୂମି ନଥିବା ସମସ୍ୟା କେବଳ ବରଗଡ଼ କି କଳାହାଣ୍ଡିର ନୁହେଁ, ବରଂ ସବୁ ଜିଲ୍ଲାର। ତେଣୁ ମଣ୍ଡିରେ ସିସିଟିଭି ବ୍ୟବସ୍ଥାକୁ ଅନେକ ସ୍ଥାନରେ କାଗଜ କଲମରେ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ। ସେପଟେ କେବଳ ସିସିଟିଭି ଲଗାଇଦେଲେ ଯେ ବ୍ୟବସ୍ଥାରେ ସୁଧାର ଆସିବ, ସେ କଥାରେ କିଛି ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି ବିରୋଧୀ।