Advertisment

ସରକାରୀ ବାସଭବନରେ ବିଜେଡି ନେତା ବବି ଦାସଙ୍କ ଆଲିସାନ୍ ବଙ୍ଗଳା

ବବିଙ୍କ ଆଲିସାନ୍ ବଙ୍ଗଳାକୁ ନେଇ ତେଜିଲା ରାଜନୀତି । ବେଆଇନ୍ ନିର୍ମାଣ ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ କହିଲା ଜିଏ ବିଭାଗ ।

undefined

Bobby Das

Advertisment

VIIMR-1। ରାଜଧାନୀର ଭିଭିଆଇପି ଏରିଆରେ ବିଜେଡିର ତୃତୀୟ ପାୱାରଫୁଲ୍ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଏଇ ସରକାରୀ କ୍ବାର୍ଟରକୁ ନେଇ ହଇଚଇ । ୪ ହଜାର ୮ ଶହ ସ୍କୋୟାରଫୁଟ୍ ପରିମିତ ଏଇ ସରକାରୀ କ୍ୱାର୍ଟର ପରିସରରେ ବବିଙ୍କ ପାଇଁ ଗଢ଼ାଯାଇ, ଏବେ ଭଙ୍ଗା ଚାଲିଛି ଏ ପରିବର୍ଦ୍ଧିତ ଆଲିସାନ୍ ଷ୍ଟ୍ରକଚର ।

Advertisment

ତିନି ମହଲାର ଷ୍ଟିଲ୍ ଷ୍ଟ୍ରକଚରରେ ନିର୍ମିତ ବିଳାସପୂର୍ଣ୍ଣ ଅଣ୍ଡରଗ୍ରାଉଣ୍ଡ ଘର । କ୍ୱାର୍ଟର ପରିସରରରେ ଆଖି ଖୋସିହେଲା ଭଳି ସୌନ୍ଦର୍ଯ୍ୟକରଣ । ଟ୍ରି ହାଉସ୍, କ୍ୱାର୍ଟର କାନ୍ଥରେ ଇଟାଲିଆନ୍ ଉଡ୍, ଫ୍ଲୋରରେ ଦାମୀ ମାର୍ବଲ, ୱିଣ୍ଡୋ ଗ୍ଲାସ୍...ଏମିତି କେତେ କଣ ? ଖାଲି ସେତିକି ନୁହେଁ, କୋଟି କୋଟି ଟଙ୍କାରେ ନିର୍ମିତ ଏ ପରିବର୍ଦ୍ଧିତ ବଙ୍ଗଳାରୁ ସବୁ ଦାମିକିଆ ଫର୍ଣ୍ଣିଚର, ଅର୍ଣ୍ଣାମେଣ୍ଟାଲ୍ ଲାଇଟ୍, କେତେକଣ ବିଳାସମୟ ସାମଗ୍ରୀ ସିଫ୍ଟ ହୋଇ ସାରିଲାଣି।

ଏଥିରୁ ଅନୁମାନ କରିପାରୁଥିବେ ପୂର୍ବ ସରକାର ଅମଳର ଜଣେ ବିଧାୟକଙ୍କ ସୌଖୀନ୍ ଆବାସ କେମିତି ହୋଇଥିବ । ମୁଖ୍ୟ ସରକାରୀ କ୍ୱାର୍ଟରରୁ ଟନେଲ୍ ଦେଇ ଆଲିସାନ୍ ବଙ୍ଗଳାକୁ ଲମ୍ବିଥିବା ପ୍ରବେଶ ପଥ ବି ବେଶ ଆକର୍ଷଣୀୟ । କୁହାଯାଉଛି ସେଇ ବାଟେ ଗଲେ କୁଆଡ଼େ ବବିଙ୍କ ବାର୍। ଏଇଠି ନିଇତି ନେତାଙ୍କ ଆସର ଜମେ।

Advertisment

ସବୁଠୁ ବଡ଼ କଥା ହେଉଛି, ପ୍ରଣବଙ୍କୁ ଗୋଟିଏ କ୍ୱାର୍ଟର ଆଲଟ୍ ହୋଇଥିଲା ବେଳେ ତାକୁ ଲାଗି VIIMR-2କୁ ନିଜ ଅକ୍ତିଆରକୁ ନେଇ ହୋଟେଲ ଢାଞ୍ଚାରେ ପାର୍କିଂ, ରେଷ୍ଟରୁମ୍, କନ୍ଫରେସନ୍ସ ହଲ୍ ତିଆରି କରିଥିଲେ ବବି। ସରକାରୀ ଆବାସ ରଖିବା ଆଳରେ ଅର୍ଥାତ୍ ରାଜଧାନୀ ଛାତି ଉପରେ ପ୍ରାୟ ୯ ହଜାର ୬ ଶହ ସ୍କୋୟାରଫୁଟ୍ ଜାଗାରେ ଗଢ଼ି ଉଠିଥିଲା ବବିଙ୍କ ଏ ସୌଖୀନ୍ ସାମ୍ରାଜ୍ୟ।

ହେଲେ କ୍ଷମତା ହାତରୁ ଯାଉ ଯାଉ, ଗୁମର ପଦାରେ ପଡ଼ିବା ଭୟରେ ପୂରା ଅସ୍ଥିତ୍ୱକୁ ହଜାଇ ଦେବା ଉଦ୍ୟମରେ ଅଛନ୍ତି ବବି। ଗେଟରେ ତାଲା ମାରି କ୍ୱାର୍ଟର ଭିତରେ ବେଶ୍ କିଛି ଦିନ ଧରି ଭଙ୍ଗାରୁଜା, ସିଫ୍ଟିଂ ଚାଲିଥିଲା ବେଳେ, ଆଜି ଗଣମାଧ୍ୟମ ସାମ୍ନାକୁ ଏସବୁ ଚିତ୍ର ଆସିଯିବା ପରେ ଏ ହଇଚଇ।

Advertisment

ହେଲେ ଏଠି ପ୍ରଶ୍ନ ଉଠୁଛି, ବବିଙ୍କ ସରକାରୀ କ୍ୱାଟର୍ସରେ ଚାଲିଥିଲା କଣ ? ଏତେ ବଡ଼ ନିର୍ମାଣ, ଅଣ୍ଡର୍ ଗ୍ରାଉଣ୍ଡରେ ଘର ନିର୍ମାଣ ହୋଇଥିଲା ତଥାପି କେହି କେମିତି ବର୍ଷ ବର୍ଷ ଧରି ଜାଣି ପାରିଲେନି? ସରକାରୀ ଜାଗାରେ, ସରକାରୀ କ୍ୱାର୍ଟର୍ସ ପରିସରରେ ଏତେ ବଡ଼ ନିର୍ମାଣ ପାଇଁ ଅନୁମତି ଦେଇଥିଲା କିଏ ? ସାଧାରଣ ପ୍ରଶାସନ ବିଭାଗ ଘର ନିର୍ମାଣ କଥା ଜାଣିଥିଲା ନା ସବୁ ଜାଣି ତତ୍କାଳୀନ ପାୱାରଫୁଲ୍ ବିଧାୟକଙ୍କ କାଟତି ପାଇଁ ଚୁପ୍ ବସିଥିଲା ?

ମିଳିଥିବା ସୂଚନା ମୁତାବକ ସରକାରୀ ଭାବେ ବବିଙ୍କ ସରକାରୀ ଆବାସରେ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୯ ଲକ୍ଷ ଟଙ୍କା କିନ୍ତୁ କୁହାଯାଉଛି ଏତେ ସବୁ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଲାଗିଛି। ଏତେ ଟଙ୍କା କେଉଁଠୁ ଆସିଥିଲା ଓ କିଏ ଦେଇଥିଲା? ତାସହ ଏବେ ୟାକୁ ଭାଙ୍ଗିବା ପଛରେ କାରଣ କଣ? ଶାସକ ବିଜେପି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା ଅତି ଚିନ୍ତାଜନକ ଓ ଦୁଃଖଦ ବୋଲି କହିଛି l

ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, ସରକାରୀ କ୍ୱାର୍ଟର ପରିସରରେ ଅଣ୍ଡର ଗ୍ରାଉଣ୍ଡ ଘର ସହ ସୁଇମିଂ ପୁଲ୍ ଏବଂ ଆର୍ଟିଫିସିଆଲ ସ୍ନୋ ଫଲ ଭଳି ବ୍ୟବସ୍ଥା ଥିବା କୁହାଯାଉଛି। ବିଜେଡି ସରକାରର ୨୪ ବର୍ଷ ଶାସନର ଇଏ ଏକ ନୂଆ କେଳେଙ୍କାରି ସାମ୍ନାକୁ ଆସିଛି l ଯେଉଁଥିରେ ନବୀନ ବାବୁ ଧଳା କୁର୍ତ୍ତା ପିନ୍ଧି ଓଡିଶାବାସୀଙ୍କ ସମ୍ମୁଖରେ ସଫା ଚରିତ୍ର ଦେଖାଉଛନ୍ତି, ହେଲେ ତାଙ୍କ ଦଳର ନେତା ନିଜ ସରକାରୀ କ୍ୱାର୍ଟର ପରିସରରେ ରଙ୍ଗଶାଳା, ମଧୁଶାଳା କରି କିଭଳି ବିଳାସ ବ୍ୟସନରେ ବୁଡିଥିଲେ ତାର ଚିତ୍ର ସାମ୍ନାକୁ ଆସୁଛି ବୋଲି ଅଭିଯୋଗ କରିଛନ୍ତି ଅନିଲ।

ତେବେ ଘଟଣା ଉପରେ ମୁହଁ ଖୋଲି ବବି ପ୍ରକାରନ୍ତରେ ନିର୍ମାଣକୁ ସ୍ୱୀକାର କରି କହିଛନ୍ତି ନେତା ଓ କର୍ମୀ ବସିବା ସହ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ କେବଳ ଏକ ଅସ୍ଥାୟୀ ଏକ୍ସଟେନ୍ସନ୍ କରାଯାଇଥିଲା। ତେବେ ଯେମିତି କ୍ୱାର୍ଟର୍ସ ମିଳିଥିଲା ଠିକ୍ ସମୟରେ ମୁଁ ସେହିଭଳି ସ୍ଥିତିରେ କ୍ୱାର୍ଟର୍ସକୁ ଫେରାଇ ଦେବି।

ତେବେ ଏଠି ପ୍ରଶ୍ନ ଉଠୁଛୁ ବବିଙ୍କୁ ଆବଣ୍ଟିତ ସରକାରୀ କ୍ୱାର୍ଟର୍ସଠୁ ମାତ୍ର ଅଧ କିଲୋମିଟର ଦୂରରେ ତାଙ୍କ ନିଜର ଘର ଥିବା ବେଳେ ସରକାରୀ ଆବାସ ପରିସରରେ ଏଭଳି ଆଲିସାନ୍ ବଙ୍ଗଳା କରିବାର କାରଣ କଣ। କୁହାଯାଉଛି, ସରକାରୀ କଳର ଅପବ୍ୟବହାରରେ ଦୁଇ ଦୁଇଟି କ୍ୱାର୍ଟର ଅକ୍ତିଆର କରି ହୋଇଥିବା ଏ ନିର୍ମାଣ ଓ ସାଜସଜ୍ଜାରେ, ସରକାରୀ ଅର୍ଥ ବ୍ୟୟ କମ୍ ଓ ଅନୁଗୃହିତ ଠିକାଦାରଙ୍କ ପୁଞ୍ଜି ବେଶି ଲାଗିଛି।

ଅପରପକ୍ଷେ ଆଜି ଦିନ ତମାମର ହଇଚଇ ପରେ ଅପରାହ୍ଣରେ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ନିର୍ମାଣ ପାଇଁ ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ