ବିଜେପିରେ ମିଶିବେ ମମତା ମହାନ୍ତ !

ଗତକାଲି କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ ।

Mamata Mahant

ବିଜେପିରେ ଯୋଗଦେଇ ପାରନ୍ତି ମମତା ମହାନ୍ତ । ଆଉ କିଛି ସମୟ ପରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ସମ୍ଭାବନା ରହିଛି । ତେବେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ । ବିଜେଡିରୁ ଇସ୍ତଫା ଦେବା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ମମତା ।

ସୂଚନା ଅନୁସାରେ ନିର୍ବାଚନ ପରେ ବିଜୁ ଜନତା ଦଳକୁ ଏହା ବଡ଼ ଧକ୍କା । ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ମମତା ମହାନ୍ତ । ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ । ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ନିଜେ ସୂଚନା ଦେଇଥିଲେ ମମତା ।

ଇସ୍ତଫାର କାରଣ ସମ୍ପର୍କରେ ମମତା ଦର୍ଶାଇଥିଲେ ଯେ, ବିଜେଡିରେ ସେ ଅଲୋଡ଼ା ହୋଇପଡ଼ିଥିଲେ ଏବଂ ଦଳ ତାଙ୍କ ସେବାର ଆବଶ୍ୟକତା ଅନୁଭବ କରୁନଥିଲା । ସେ ଲୋକଙ୍କ ନେତା ଏବଂ ଲୋକଙ୍କ ସେବା ହିଁ ତାଙ୍କର ମୁଖ୍ୟ ଧ୍ୟେୟ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ସେ ଆଉ ସେହି ଦଳରେ ରହିବାର ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି ଉଲ୍ଲେଖ କରିଥିଲେ ମମତା ।

ମୟୂରଭଞ୍ଜ ଜିଲ୍ଲାର କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସରିବାର ଥିଲା । ତେବେ ଏହାର ପ୍ରାୟ ୨୧ ମାସ ପୂର୍ବରୁ ସେ ରାଜ୍ୟସଭା ସଭ୍ୟ ପଦ ସହ ବିଜେଡି ମଧ୍ୟ ଛାଡ଼ିଛନ୍ତି । ସେପଟେ ମମତା ସାଂସଦ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକଡ ସୂଚନା ଦେଇଥିଲେ। ମମତାଙ୍କ ଇସ୍ତଫା ପରେ ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୯ରୁ ୮କୁ ଖସିଛି ।