ମହାରାଷ୍ଟ୍ରରେ ସରକାର ଗଢିବାକୁ ଯାଉଛି ମହାୟୁତି । ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେପି ନେତୃତ୍ୱାଧୀନ ମହାୟୁତି । ତେବେ ଏ ସବୁ ଭିତରେ ଚର୍ଚ୍ଚାରେ ଅଛନ୍ତି ବିଜେପି ନେତା କାଳିଦାସ କୋଲମ୍ୱକର । ସେ ପୁଣି କହୁଛନ୍ତି, ଏଥର ଗିନିଜ୍ ବୁକ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବେ । ଆଜି ଭୋଟ ଗଣତି ଚାଲିଥିଲା ବେଳେ କାଳିଦାସ ହିଁ ବିଜେପିରୁ ଜିତିଛନ୍ତି ବୋଲି ପ୍ରଥମେ ଜଣାପଡିଥିଲା । ଅର୍ଥାତ ବିଜେପିର ଖାତା ଖୋଲିଥିଲେ କାଳିଦାସ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶିବସେନା (ଉଦ୍ଧବ ଠାକରେ) ପ୍ରାର୍ଥୀ ଶ୍ରଦ୍ଧା ଯାଦବଙ୍କୁ ୨୪ ହଜାର ୯୭୩ ଭୋଟରେ ପରାସ୍ତ କରିଛନ୍ତି । ମୁମ୍ୱାଇର ବଡାଲା ଆସନରେ ସେ ୬୬ ହଜାର ୮୦୦ ଭୋଟ ପାଇଥିଲା ବେଳେ ମୁମ୍ୱାଇର ପୂର୍ବତନ ମେୟର୍ ଶ୍ରଦ୍ଧା ୪୧ ହଜାର ୮୨୭ ଖଣ୍ଡ ଭୋଟ ପାଇଛନ୍ତି । ଏଇ ଆସନର ନାଁ ପୂର୍ବରୁ ଥିଲା ନଇଗାଁ ।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ପରାଜୟ ପରେ ରାହୁଲଙ୍କୁ ଟ୍ରୋଲ୍ କଲେ ଗୁଜରାଟର ମନ୍ତ୍ରୀ, କହିଲେ...
Also Read
ତେବେ ବଡ କଥା ହେଉଛି କାଳିଦାସ ଲଗାତର ୯ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବିଧାନସଭାରେ ସେ ହୋଇଛନ୍ତି ସବୁଠୁ ବରିଷ୍ଠ ବିଧାୟକ । ୯ ଥର ବିଧାୟକ ହୋଇଥିବା କାଳିଦାସ ଦୁଇଥର ବିଜେପିରୁ, ଦୁଇଥର କଂଗ୍ରେସରୁ ଓ ୫ ଥର ଶିବସେନା ପକ୍ଷରୁ ପ୍ରାର୍ଥୀ ହୋଇ ଜିତିଛନ୍ତି । ୧୯୯୦ ମସିହାରୁ ସେ ଜିତି ଆସୁଛନ୍ତି, କେବେ ନିର୍ବାଚନରେ ହାରିନାହାନ୍ତି ।
ଅଧିକ ପଢ଼ନ୍ତୁ: ଫଡ଼ନାଭିସ୍, ସିନ୍ଦେ ନା ପାୱାର ? କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?
କାଳିଦାସଙ୍କୁ ରାଜନୀତିକୁ ଆଣିଥିଲେ ଶିବସେନାର ପ୍ରତିଷ୍ଠାତା ସ୍ୱର୍ଗତ ବାଲାସାହେବ ଠାକରେ । ଶିବସେନା ଟିକେଟରେ ସେ ଜିତି ଆସୁଥିଲେ । ତେବେ ୨୦୦୫ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ସହ ଶିବସେନା ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୯ରେ କଂଗ୍ରେସ ଛାଡି ଯୋଗଦେଲେ ବିଜେପିରେ । ସେତେବେଳେ ସେ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରାୟ ୩୧ ହଜାର ଭୋଟରେ ପରାଜିତ କରିଥିଲେ । କଂଗ୍ରେସ ଏହି ଅଞ୍ଚଳର ବିକାଶ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରି ସେ ଦଳ ଛାଡିଥିଲେ । ଲୋକଙ୍କୁ ବି ସେ କଥା ସେତେବେଳେ ଧରିଥିଲା । ଏଥର ବି ରାଜନୈତିକ ମଇଦାନରେ ସଫଳ ହୋଇଛନ୍ତି କାଳିଦାସ । ଲୋକମାନେ ତାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି । ୯ ଥର ଲଗାତର ଜିତିଥିବାରୁ ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇବାକୁ ଆବେଦନ କରିବେ ବୋଲି କହିଛନ୍ତି ।
ପୂର୍ବରୁ ପିଡବ୍ଲୁପି ନେତା ଗଣପତରାଓ ଦେଶମୁଖ ୧୧ ଥର ନିର୍ବାଚନ ଜିତିଛନ୍ତି । କିନ୍ତୁ ସେ ଲଗାତର ଜିତିନାହାନ୍ତି । ୧୯୬୨ ମସିହାରେ ସେ ପ୍ରଥମେ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ ମଧ୍ୟ ୧୯୭୨ ଓ ୧୯୯୫ ନିର୍ବାଚନରେ ହାରିଯାଇଥିଲେ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧି ୧୩ ଥର ଅର୍ଥାତ ଦୀର୍ଘ ୬୧ ବର୍ଷ ଧରି ତାମିଲନାଡୁରେ ବିଧାୟକ ଥିଲେ । କିନ୍ତୁ ଲଗାତର ଜିତିନଥିଲେ । କାହିଁକି ନା ସେ ୧୯୮୪ରେ ନିର୍ବାଚନ ଲଢିନଥିଲେ । ସେ ୧୯୫୭ରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ଲଗାତର ୯ ଥର ଜିତିବାର ରେକର୍ଡକୁ ନେଇ କାଳିଦାସ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି । ବାରମ୍ୱାର ଦଳ ବଦଳାଇଛନ୍ତି କାଳିଦାସ କିନ୍ତୁ ଭୋଟରମାନେ ତାଙ୍କୁ କେବେ ଛାଡିନାହାନ୍ତି । ନିଜର ଲୋକପ୍ରିୟତାକୁ ଆଧାର କରି ରାଜନୀତିରେ ଅଛନ୍ତି କାଳିଦାସ । ସେ ବିଭିନ୍ନ ଦଳରେ ଯୋଗଦେଇଥିଲେ ବି ଶିବସେନା ପ୍ରତିଷ୍ଠାତା ବାଲସାହେବ ଠାକରେଙ୍କ ଆଦର୍ଶରେ ଚାଲିଛନ୍ତି ବୋଲି ମତ ଦିଅନ୍ତି ।