ରାଜନୀତି ରେ ବଢୁଛି କି ଅପରାଧୀକରଣ ? ଏ ପ୍ରଶ୍ନ ସବୁବେଳେ ଏକ ବିତର୍କର ବିଷୟ । ନିର୍ବାଚନ ଆସିଲେ ଏହାକୁ ନେଇ ଚର୍ଚ୍ଚା ହୁଏ, ପୁଣି ଥମିଯାଏ । ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ଚାଲିଥିବା ବିଧାନସଭା ନିର୍ବାଚନରେ ପ୍ରତି ୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହତ୍ୟା କିମ୍ବା ଦୁଷ୍କର୍ମ ଅଭିଯୁକ୍ତ । ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରୁ ଏହା ଜଣାପଡିଛି । ପ୍ରାର୍ଥୀ ଚୟନ ବେଳେ ବିଭିନ୍ନ ରାଜନୈତିକ ଦଳ ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ଅଣଦେଖା କରୁଥିବାର ଆରୋପ ଲଗାଇଛି ଏହି ରିପୋର୍ଟ । ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ ବା ADR ଓ ମହାରାଷ୍ଟ୍ର ଇଲେକ୍ସନ ୱାଚ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।
ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୬୨୯ ଜଣ ଅର୍ଥାତ ୨୯ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସେମାନେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪୧୨ ଜଣ ଅର୍ଥାତ ୧୯ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ ଓ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲା କୋର୍ଟରେ ବିଚାରାଧୀନ ଅଛି । ଏହି ରିପୋର୍ଟରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ତାଲିକାଭୁକ୍ତ କରାଯାଇନାହିଁ । କେବଳ ୨୨୦୧ ଜଣ ଦଳୀୟ ପ୍ରାର୍ଥୀଙ୍କୁ ବିଚାରକୁ ନିଆଯାଇ ତାଲିକା ପ୍ରସ୍ତୁତ କରାଯାଇଛି । ୪୧୩୬ ଜଣ ଏଥର ମହାରାଷ୍ଟ୍ରରେ ନିର୍ବାଚନ ଲଢୁଛନ୍ତି । ଅପରାଧିକ ମାମଲା ଥିବା ସବୁ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିନାହିଁ । କେତେକ ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ବିଶେଷଜ୍ଞ । ବିଜେପିର ୬୮ ପ୍ରତିଶତ ଓ କଂଗ୍ରେସର ୫୮ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ କିଛି ନା କିଛି ଅପରାଧିକ ମାମଲା ରହିଛି ।
Also Read
ଅଧିକ ପଢନ୍ତୁ: ନିର୍ବାଚନ ପାଇଁ ଭାଙ୍ଗିଲା ପରିବାର, ଗୋଟିଏ ଆସନରୁ ଲଢିଲେ ସ୍ୱାମୀ-ସ୍ତ୍ରୀ
ଏହି ରିପୋର୍ଟ ଅନୁସାରେ ୧୦୩୪ ଜଣ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ମଧ୍ୟରେ ରହିଛି । ୫୮ ଜଣ ଅଳ୍ପ ପାଠ ପଢିଥିବା ଓ ୧୦ ଜଣ ନିରକ୍ଷର ଥିବା ଦର୍ଶାଇଛନ୍ତି । ଏହି ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରୁ ୩୮ ପ୍ରତିଶତ କୋଟିପତି ପ୍ରାଥୀ ଅଛନ୍ତି । ସେମାନଙ୍କ ସଂଖ୍ୟା ୮୨୯ । ୨୦୧୯ ନିର୍ବାଚନରେ ୩୨ ପ୍ରତିଶତ ଦଳୀୟ ପ୍ରାର୍ଥୀ କୋଟିପତି ଥିଲେ । ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସମ୍ପତ୍ତି ହାରାହାରି ୪.୨୧ କୋଟି ଥିଲା । ଏବେ ହାରାହାରହି ସମ୍ପତ୍ତି ପହଞ୍ଚିଛି ୯.୧୧ କୋଟିରେ ।
୨୦୨୦ ମସିହାରେ ସୁପ୍ରିମକୋର୍ଟ ଏକ ମାମଲାରେ ସ୍ପଷ୍ଟ ଭାବେ କହିଥିଲେ ଯେ, ଦଳଗୁଡିକ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କଲେ, ଏଥିପାଇଁ ଯୁକ୍ତିସଙ୍ଗତ କାରଣ ଦର୍ଶାଇବେ । ନିର୍ମଳ ଭାବମୂର୍ତ୍ତି ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ରାଜନୈତିକ ଦଳଗୁଡିକ ଏହା ଉପରେ ସେତେଟା ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛି ADR । ଦଳଗୁଡିକ ନିର୍ବାଚନରେ ସଂସ୍କାର ଆଣିବାକୁ ଆଗ୍ରହୀ ନଥିବା ଏଥିରୁ ଜଣାପଡୁଛି ବୋଲି ରିପୋର୍ଟରେ କୁହାଯାଇଛି ।
ଅଧିକ ପଢନ୍ତୁ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ: କିଏ ମାରିବ ବାଜି ?